ଆଙ୍କର୍ କରାଇଦେବାକୁ କହି ୨ଲକ୍ଷ ଚଳୁ

ୱେବ ପୋର୍ଟାଲ ନାଁରେ ପୁଣି ଠକେଇ ଅଭିଯୋଗ

ଭୁବନେଶ୍ବର: ନ୍ୟୁଜ୍ ଆଙ୍କର୍ କରାଇଦେବାକୁ କହି ଏକ ୱେବ୍ ପୋର୍ଟାଲ ୧୦ରୁ ଅଧିକ ଯୁବକ ଯୁବତୀଙ୍କ ପାଖରୁ ପ୍ରାୟ ୨ଲକ୍ଷ ଟଙ୍କା ଠକି ନେଇଛି। ଏନେଇ ଆଜି ଠକେଇର ଶିକାର ହୋଇଥିବା ଯୁବକ ଯୁବତୀମାନେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଖବର ଅନୁଯାୟୀ, ଗତ ୨ମାସ ତଳେ ଖଣ୍ଡଗିରି ଗଣ୍ଡମୁଣ୍ଡା ଅଞ୍ଚଳରେ ଥିବା ଏକ ୱେବ ପୋର୍ଟାଲ ସାମାଜିକ ଗଣମାଧ୍ୟମରେ ନ୍ୟୁଜ୍ ଆଙ୍କର ପାଇଁ କିଛି ପଦବି ବିଜ୍ଞାପନ ଦେଇଥିଲା।

ଏହି ବିଜ୍ଞାପନ ଆଧାରରେ ଗଂଜାମ ଆସ୍କା ଅଞ୍ଚଳର କିଛି ସାମ୍ବାଦିକ ଛାତ୍ର ଚାକିରି ପାଇଁ ଯୋଗାଯୋଗ କରିଥିଲେ। ଚାକିରି କରିବାକୁ ହେଲେ ଜଣ ପିଛା ୧୮ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ୱେବ ପୋର୍ଟାଲ କର୍ତ୍ତୃପକ୍ଷ କହିଥିଲେ। ଟଙ୍କା ଦେବା ପାଇଁ ୱେବ ପୋର୍ଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ବି ଦେଇଥିଲେ। ଏହା ପରେ ନିଯୁକ୍ତି ଆଶାୟୀମାନେ ୧୮ହଜାର ଟଙ୍କା ହିସାବରେ ମୋଟ ୨ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ନେବା ପରେ ନିଯୁକ୍ତି ପାଇଁ ଉକ୍ତ ୱେବ ପୋର୍ଟାଲକୁ ଯୋଗଯୋଗ କରିବାରୁ ଆଉ କୌଣସି ଉତ୍ତର ମିଳିନଥିଲା।

ତେଣୁ ବାଧ୍ୟ ହୋଇ ଅଭିଯୋଗକାରୀ ବିଜ୍ଞାପନରେ ଲିଖିତ ଠିକଣାରେ ଆସି ଖୋଜାଖୋଜି କରିଥିଲେ। ମାତ୍ର ସେଭଳି କୌଣସି ୱେବ ଚ୍ୟାନେଲ୍ ସେଠାରେ ନଥିବା ଜାଣିବାକୁ ପାଇଥିଲେ। ତେଣୁ ବାଧ୍ୟ ହୋଇ ଅଭିଯୋଗକାରୀମାନେ ପ୍ରଥମେ ଆସ୍କା ଓ ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଗଣ୍ଡମୁଣ୍ଡାସ୍ଥିତ ଠିକଣାକୁ ଯାଇ ପଚରାଉଚରା କରିଥିଲେ ହେଁ ଠକର ପତ୍ତା ପାଇନାହିଁ। ତେଣୁ ସଂପୂର୍ଣ୍ଣ ଠିକଣା ଓ ଟଙ୍କା ଦେବାର ପୂରା ତଥ୍ୟ ପାଇବା ପରେ ହିଁ ମାମଲା ରୁଜୁ କରି ତଦନ୍ତ ଆଗକୁ ବଢ଼ାଇବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର