ଖଣ୍ଡଗିରି: ନୋଟ୍ବନ୍ଦୀ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହୁଣ୍ଡିରୁ ମିଳିଥିବା କୋଟି କୋଟି ଟଙ୍କା ଅଚଳ ହୋଇ ରହିଗଲା। ମାତ୍ର ଯାଁଳା ଓଗାଳପଡ଼ାସ୍ଥିତ ମା’ ବାଟ ଭୁଆସୁଣୀଙ୍କ ହୁଣ୍ଡିରୁ ବାହାରିଥିବା ଲକ୍ଷ ଲକ୍ଷ ଟଙ୍କାର କଏନ୍ ଏବେ ବିନା ନୋଟ୍ବନ୍ଦୀରେ ଅଚଳ ହୋଇ ପଡ଼ିଛି। ବ୍ୟାଙ୍କମାନେ ଖୁଚୁରା ଗ୍ରହଣ କରୁ ନଥିବାରୁ ପାଖାପାଖି ୩ ଲକ୍ଷ ଟଙ୍କା ଅଚଳ ହୋଇପଡ଼ି ରହିଛି। ଏମିତିକି ରିଜର୍ଭ ବ୍ୟାଙ୍କ ମଧ୍ୟ କଏନ୍ ଗ୍ରହଣ କରିବାକୁ ଟାଳଟୂଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି। ଏଥିସହିତ ବ୍ରୋକର୍ମାନେ ଖୁଚୁରା ବଦଳ ବାବଦରେ ୧୪ ପ୍ରତିଶତ କମିସନ୍ ଦାବି କରୁଥିବାରୁ ମନ୍ଦିର ଟ୍ରଷ୍ଟ୍ ଅଡ଼ୁଆରେ ପଡ଼ୁଛି। ସରକାର ଅସ୍ପଷ୍ଟ ନୀତି ଓ ବ୍ୟାଙ୍କମାନଙ୍କ ମନମାନୀ ଯୋଗୁଁ ସଚଳ ମୁଦ୍ରାଗୁଡ଼ିକ ଅକାରଣରେ ଅଚଳ ହୋଇଯାଇଛି ବୋଲି ଅଭିଯୋଗ ହେଉଛି।
ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ ପୂର୍ବରୁ ମା’ବାଟଭୁଆସୁଣୀଙ୍କ ଶ୍ରଦ୍ଧାଳୁମାନଙ୍କ ଦାନରୁ ସଂଗ୍ରହ ହେଉଥିବା ମନ୍ଦିରର ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରାଯାଉଥିଲା। କିଛି ସମସ୍ୟା ନଥିଲା। ମାତ୍ର ଏବେ ପ୍ରାୟ ୨ ମାସ ହେବ କୌଣସି ବ୍ୟାଙ୍କ ସେମାନଙ୍କଠାରୁ ଖୁଚୁରା ଗ୍ରହଣ କରୁନାହାନ୍ତି। ଏମିତିକି ସ୍ଥାୟୀ ଜମା କରିବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଗଲେ ବି ବ୍ୟାଙ୍କମାନେ ରାଜି ହେଉନାହାନ୍ତି। ୧୦/୧୫ ହଜାର ଟଙ୍କା(ନୋଟ୍) ସହ ମିଶାଇ ୧ ହଜାର ଟଙ୍କାର କଏନ୍ ଦେଲେ ଚଳେଇନେବେ ବୋଲି ବିଭିନ୍ନ ବ୍ୟାଙ୍କ ଟ୍ରଷ୍ଟକୁ କହୁଥିବା ସୂଚନା ମିଳିଛି। ଏଭଳି ଜମା ପାଇଁ ବ୍ୟାଙ୍କ ଯେଉଁ ସମୟ କହିବ, ସେହି ସମୟରେ ଯିବାକୁ ପଡ଼ିବ ବୋଲି ସର୍ତ ରଖାଯାଉଛି। ଫଳରେ କଏନ୍ ବଦଳ ପାଇଁ ସମସ୍ୟା ହେଉଛି। ସେହିଭଳି କିଛି ବ୍ରୋକର୍ ଖୁଚୁରା କଏନ୍ ବଦଳ କରିବାକୁ ଲକ୍ଷେ ଟଙ୍କାରେ ୧୪ ହଜାର ଟଙ୍କା କମିସନ ଦାବି କରୁଛନ୍ତି। ଏତେ ପରିମାଣର କମିସନ ଦେଲେ ମନ୍ଦିର ପରଚାଳନା ସହିତ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା କରି ଟ୍ରଷ୍ଟ ପକ୍ଷରୁ ଚୁପ୍ ରହିବାକୁ ଶ୍ରେୟ ମଣିଛନ୍ତି। ଏଭଳି ପରିସ୍ଥିତିରେ ହୁଣ୍ଡିରୁ ବାହାରି ଥିବା ଲକ୍ଷ ଲକ୍ଷ ଟଙ୍କାର କଏନ୍ ଏବେ ବସ୍ତାରେ ବନ୍ଧା ହୋଇ ରହିଛି। ମନ୍ଦିର ପରିଚାଳକ କାଳନ୍ଦୀ ଚରଣ ସାହୁଙ୍କ ସୂଚନାନୁସାରେ ପାଖାପାଖି ୩ ଲକ୍ଷ ଟଙ୍କା ବସ୍ତା ହୋଇ ରହିଛି। ବିଭିନ୍ନ ବ୍ୟାଙ୍କକୁ ଧାଇଁ ଧାଇଁ ହତାଶ ହେଲେଣି ବୋଲି ସେ କହିଛନ୍ତି। ବଦଳ ନ ହେଉ ପଛେ ସ୍ଥାୟୀ ଜମା ଆକାରରେ ରଖିବାକୁ ବି ବ୍ୟାଙ୍କମାନେ ନାରାଜ। ଏମିତିକି ରିଜର୍ଭ ବ୍ୟାଙ୍କରେ ବି ସେମାନେ ଟଙ୍କା ଜମା ନକରିପାରି ଫେରିଛନ୍ତି। ଏତେ ପରିମାଣର ଖୁଚୁରା ଗଣିବାକୁ ସମସ୍ୟା ହେଉଥିବା ବାହାନା କରି ରିଜର୍ଭ ବ୍ୟାଙ୍କ ଅଧିକାରୀ ସେମାନଙ୍କୁ ଫେରାଇ ଦେଇଥିବା ଶ୍ରୀ ସାହୁ କହିଛନ୍ତି।