ଭୁବନେଶ୍ବର: ‘ମାଡାମ୍, ଆପଣ ଜଣେ ଇଞ୍ଜିନିୟର। କାହିଁକି ଚାକିରି ଖୋଜୁଛନ୍ତି? ସୋଲାର୍ ଶକ୍ତି ବ୍ୟବସାୟ କରନ୍ତୁ। ଘରେ ବସି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ମାତ୍ର ଲକ୍ଷେ ଦୁଇ ଲକ୍ଷ ଟଙ୍କା ନିବେଶ କଲେ ମାସିକ ୧୧ଲକ୍ଷ ଟଙ୍କା ରୋଜଗାର କରିବେ।’ ଜଣେ ମହିଳା ଇଞ୍ଜିନିୟରଙ୍କୁ ଏମିତି ଲୋଭ ଦେଖାଇ ସାଇବର ଠକ ଲୁଟିନେଲା ୨ଲକ୍ଷ ଟଙ୍କା। ଠକାମିର ଶିକାର ହେବା ନେଇ ନିଶ୍ଚିତ ହେବା ପରେ ମହିଳା ଇଞ୍ଜିନିୟର ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି।
ସୂଚନା ମୁତାବକ, ଖଣ୍ଡଗିରି ଜାଗମରା ଅଞ୍ଚଳର ଏହି ଯୁବତୀଜଣଙ୍କ ଆନ୍ଧ୍ରପ୍ରଦେଶର ଏକ ବିଶ୍ବବିଦ୍ୟାଳୟରୁ ଏଗ୍ରି ଇଂଜିନିୟରିଂ କରିଛନ୍ତି। ଗତ କିଛି ଦିନ ହେଲା ସେ ଅନ୍ଲାଇନ୍ରେ ଚାକିରି ଖୋଜାଖୋଜି କରୁଥିଲେ। ଏକଦା ସେ ୟୁଟ୍ୟୁବ୍ରେ ସୋଲାର୍ ବ୍ୟବସାୟ ନେଇ ଏକ ବିଜ୍ଞାପନ ଦେଖିଥିଲେ। ଦିଆଯାଇଥିବା ନମ୍ବରରେ ସମ୍ପୃକ୍ତ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ଯୋଗାଯୋଗର ଦୁଇ ଦିନ ପରେ ଆଉ ଏକ ନମ୍ବରରୁ ତାଙ୍କୁ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ସୋଲାର୍ ସଂସ୍ଥାର ମୁଖ୍ୟ ବୋଲି ପରିଚୟ ଦେଇ ଉକ୍ତ ବ୍ୟବସାୟର ବିଭିନ୍ନ ସ୍କିମ୍ ବିଷୟରେ ବୁଝାଇଥିଲା।
କିନ୍ତୁ ସେ ଯେ ସାଇବର ଠକ ବୋଲି ଯୁବତୀଜଣଙ୍କ ଜାଣିପାରିନଥିଲେ। କେତେ କିଲୋୱାଟ୍ର ସୋଲାର୍ ପ୍ୟାନେଲ୍ ବସାଇଲେ, କେତେ ଲୋକଙ୍କୁ ସଂଯୋଗ ଦେଇହେବ, କେତେ ଟଙ୍କା ରୋଜଗାର କରିହେବ, କେତେ ପୁଞ୍ଜି ନିବେଶ କରିବାରକୁ ହେବ, ଏସବୁ ବିଷୟରେ ସେ ଟିକିନିକି କରି ବୁଝାଇଥିଲା। ପ୍ରତି କନେକ୍ସନରୁ ଦିନକୁ ଅତି କମ୍ରେ ୭ଶହ ଅର୍ଥାତ୍ ମାସକୁ ୨୧ହଜାର ଟଙ୍କା ମିଳିବ ବୋଲି କହିଥିଲା। ଏହାପରେ ୩ଶହ ଟଙ୍କା ଦେଇ ରେଜିଷ୍ଟ୍ରେସନ୍ କରିବାକୁ କହିଥିଲା। ଯୁବତୀଜଣଙ୍କ ରେଜିଷ୍ଟ୍ରସନ୍ କରିଥିଲେ। ୫୦ ଜଣିଆ କନେକ୍ସନ ପାଇଁ ଡିଲ୍ ହୋଇଥିଲା। ଟଙ୍କା ଜମା କରିବା ପରେ ସଂସ୍ଥାର ଇଂଜିନିୟର ଯାଇ ଘର ପାଖରେ ପ୍ୟାନେଲ୍ ଇନ୍ଷ୍ଟଲ କରିବା ସହ ନିୟମିତ ବ୍ୟବଧାନରେ ତାଲିମ୍ ଦେବେ ବୋଲି ସେ କହିଥିଲା। ଏଥିପାଇଁ ସେ ୧୦ଟି କିସ୍ତିରେ ୮ଟି ଆକାଉଣ୍ଟରେ ୨ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ହାତେଇବା ପରେ ସାଇବର ଠକ ସବୁ ଫୋନ୍ ନମ୍ବରକୁ ବନ୍ଦ କରିଦେଇଥିଲା। ମାସ ମାସ ବିତିଯିବା ପରେ ଯୁବତୀଜଣଙ୍କ ବୁଝିଥିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି।