ଭୁବନେଶ୍ବର: ରାଜଧାନୀରୁ ଜବତ ହୋଇଛି କାର୍ବାଇନ୍ ଭଳି ଭୟଙ୍କର ଆଗ୍ନେୟାସ୍ତ୍ର। କମିସନରେଟ୍ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍(ଏସ୍ସିୟୁ) କାର୍ବାଇନ୍ ସହ ୫ଟି ଅତ୍ୟାଧୁନିକ ମାଉଜର୍, ୨ଟି ମାଗାଜିନ୍ ଓ ୯ଟି ଗୁଳି ଜବତ କରିଛି। ବିହାର ମୁଙ୍ଗେରରୁ ଏହି ସବୁ ଆଗ୍ନେୟାସ୍ତ୍ର ଚାଲାଣ କରି ଓଡ଼ିଶା ଆସିଥିବା ୨ ମୁଙ୍ଗେର ମାଫିଆଙ୍କଠାରୁ ଏସବୁ ଜବତ କରାଯାଇଛି। ସେମାନେ ହେଲେ ମୁଖ୍ୟ ଚାଲାଣକାରୀ ତଥା ମାଷ୍ଟରମାଇଣ୍ଡ ବିହାର ଖଗରିଆ ଅଞ୍ଚଳର ଦିବ୍ୟାଂଶୁ କୁମାର(୨୬) ଓ ତା’ର ଡାହାଣ ହାତ କୁହାଯାଉଥିବା ଚନ୍ଦନ କୁମାର(୨୬)। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରାୟ ୫ବର୍ଷ ହେଲା ଓଡ଼ିଶାର ପାଞ୍ଚ ପାଞ୍ଚଟି ଜିଲ୍ଲାରେ ବିଶାଳ ନେଟ୍ୱର୍କ ବିଛାଇଥିବା ଏହି ୨ ମାଫିଆ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ବନ୍ଧୁକ ଚାଲାଣ କରିଛନ୍ତି। ଏହି ୨ ମାଫିଆ ଏକ ବଡ଼ ଗ୍ୟାଙ୍ଗ୍ର ସଦସ୍ୟ ଏବଂ ଏମାନଙ୍କର ରୢାକେଟ୍ ବିହାରରୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଦେଇ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ତେଣୁ ଅଧିକ ତଦନ୍ତ ପାଇଁ ଏହି ୨ ଜଣଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ ଯୋଜନା କରିଛି।
ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର(ସିପି) ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା ଓ ଡିସିପି(ଏସ୍ସିୟୁ) ଅନୁପ୍ କାନୁନ୍ଗୋ ଏହି ଗ୍ୟାଙ୍ଗ୍ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଗ୍ୟାଙ୍ଗ୍ରେ ଆହୁରି ୧୦ରୁ ଊର୍ଧ୍ବ ଅପରାଧୀ ସାମିଲ ଅଛନ୍ତି ବୋଲି ସିପି ଶ୍ରୀ ସିଂ କହିଛନ୍ତି। ଗିରଫ ଦୁଇଜଣଙ୍କ ଗ୍ୟାଙ୍ଗ୍ ଓ ସେମାନଙ୍କ ଅପରାଧିକ ଇତିହାସ ଜାଣିବା ପାଇଁ କମିସନରେଟ୍ ପୁଲିସ ବିହାର ପୁଲିସ ସହ ଯୋଗାଯୋଗ କରିଛି।
ଗ୍ରାହକ ସାଜି ଚକ୍ମା ଦେଲା ପୁଲିସ
ଏହି ବିହାରୀ ଗ୍ୟାଙ୍ଗ୍ ୫ ବର୍ଷ ହେଲା ଓଡ଼ିଶାରେ ବନ୍ଧୁକ କାରବାର ଚଳାଇଥିଲା। ରାଜଧାନୀ ସମେତ ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ବ୍ରହ୍ମପୁରରେ ଏହି ଗ୍ୟାଙ୍ଗ୍ ବେପାର ଜାଲ ବିଛାଇଥିଲା। ଲଘୁ ଖଣିଜ ବାଲି, ମାଟି, ପଥର ଆଦି ଚୋରା ଚାଲାଣ କରୁଥିବା ମାଫିଆ ଓ ଗଞ୍ଜେଇ, ବ୍ରାଉନ୍ସୁଗାର ଭଳି ନିଶା ଚାଲାଣ କରୁଥିବା ଅପରାଧୀମାନେ ଥିଲେ ଏହି ଗ୍ୟାଙ୍ଗ୍ର ଗ୍ରାହକ। ଗ୍ୟାଙ୍ଗ୍ର ଓଡ଼ିଶା ମୁଖ୍ୟ ଥିଲା ଦିବ୍ୟାଂଶୁ ଏବଂ ଚାଲାକ ଚନ୍ଦନ ଥିଲା ରେକି ମାଷ୍ଟର। କଟକ ଓ ଭୁବନେଶ୍ବରରେ ଡେରା ପକାଇ ଏହି ଦୁଇଜଣ ବନ୍ଧୁକ ଗ୍ରାହକ ଯୋଗାଡ଼ କରୁଥିଲେ। ଏଥିପାଇଁ ଏମାନେ ଓଡ଼ିଆ ଅପରାଧୀଙ୍କୁ ଏଜେଣ୍ଟ ଭାବେ ନିଯୁକ୍ତି ଦେଇଥିଲେ। ଏଜେଣ୍ଟ କାମ ଥିଲା ଯୋଗାଯୋଗ କରାଇବା। ବାକି ଡିଲ୍ ଓ ବନ୍ଧୁକ ପହଞ୍ଚାଣ ଭଳି ଅନ୍ୟ ସବୁ କାମ ମୁଣ୍ଡାଉଥିଲା ଦିବ୍ୟାଂଶୁ। ଗ୍ରାହକ ସହ ଡିଲ୍ ହେବା ପରେ ରେକି କରୁଥିଲା ଧୂର୍ତ୍ତ ଚନ୍ଦନ। ଗ୍ରାହକ, ସେମାନଙ୍କୁ କେଉଁଠି ଅପେକ୍ଷା କରିବ, ବନ୍ଧୁକ ହସ୍ତାନ୍ତର ବେଳେ କି କି ସତର୍କତା ଅବଲମ୍ବନ କରାଯିବ, ସେସବୁ ରେକି କରି ଚନ୍ଦନ ତା’ର ବସ୍ ଦିବ୍ୟାଂଶୁକୁ ଜଣାଉଥିଲା। ଗ୍ରାହକଙ୍କ ଭରସା ଓ ବିଶ୍ବାସ ସମ୍ପର୍କରେ ଭଲ ଭାବେ ଯାଞ୍ଚ କରିବା ପରେ ବନ୍ଧୁକ ହସ୍ତାନ୍ତର କାମ ହେଉଥିଲା। ତିନି ତିନି ଥର ଭେଟ୍ଘାଟ ହେବା ପରେ ବନ୍ଧୁକ ହସ୍ତାନ୍ତର କାମ ହେଉଥିଲା। ବେଶ୍ ସତର୍କତାର ସହ ଦିବ୍ୟାଂଶୁ ଏସବୁ କରୁଥିଲା ବୋଲି ୫ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ପୁଲିସ ତା’ର ଟେର୍ ପାଇନଥିଲା। ଦିବ୍ୟାଂଶୁର ବେପାର କାଇଦା ସମ୍ପର୍କୀତ ତଥ୍ୟ ପହଞ୍ଚିଯିବା ପରେ କମିସନରେଟ୍ ପୁଲିସ ଜାଲ ବିଛାଇଲା। ନିଜେ ଗ୍ରାହକ ସାଜିଲା ପୁଲିସ। ନୂଆ ଗ୍ରାହକ ହୋଇଥିବାରୁ ଦିବ୍ୟାଂଶୁ ତାଙ୍କୁ ବିହାର ଡକାଇଲା ଏବଂ ସେଠାରେ କାରବାର ହେଲା। ଗ୍ରାହକ ସାଜିଥିବା ପୁଲିସ ଅଧିକାରୀଙ୍କ କଥାବାର୍ତ୍ତାରେ ଦିବ୍ୟାଂଶୁ ଫସିଯାଇଥିଲା। କାହାକୁ ସହଜରେ ବିଶ୍ବାସ କରୁନଥିବା ଦିବ୍ୟାଂଶୁ ଏଥର ଗ୍ରାହକ ତଥା ଅପରାଧୀ ବେଶୀ ପୁଲିସ କଥାରେ ଚକ୍ମା ଖାଇଯାଇଥିଲା। ପରବର୍ତ୍ତୀ ଡିଲ୍ ଭୁବନେଶ୍ବରରେ ହେବ ବୋଲି କଥା ଛିଡ଼ିଲା। କାରଣ ଏଥର ଗ୍ରାହକ କାର୍ବାଇନ୍ ପାଇଁ ବରାଦ କରିଥିଲେ। କାର୍ବାଇନ୍ ଓ ୫ଟି ଅତ୍ୟାଧୁନିକ ମାଉଜର୍ ଭଳି ବଡ଼ ଡିଲ୍ ପାଇଁ ଅଗ୍ରିମ ପାଇବା ପରେ ଦିବ୍ୟାଂଶୁ ଭୁବନେଶ୍ବରରେ ଡେଲିଭରି ଦେବ ବୋଲି ରାଜି ହୋଇଥିଲା। ଗତକାଲି ରାତିରେ ଦିବ୍ୟାଂଶୁ ଓ ଚନ୍ଦନ ଟ୍ରେନ୍ ଯୋଗେ ଭୁବନେଶ୍ବରରେ ପହଞ୍ଚିବା ପରେ ଖାରବେଳନଗର ଥାନା ଅନ୍ତର୍ଗତ ଏକ ଲଜ୍ରେ ରହିଥିଲେ। ବିଳମ୍ବିତ ରାତିରେ ଏସ୍ସିୟୁ ଟିମ୍ ଚଢ଼ଉ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/16/untitled-22-2025-11-16-06-33-39.jpg)