ଭୁବନେଶ୍ବର: ଦିନକୁ ଦିନ ସାରା ଦେଶରେ କନ୍ଧମାଳ ଗଞ୍ଜେଇର ଚାହିଦା ବଢ଼ିବାରେ ଲାଗିଛି। ଏହାର ସୁଯୋଗ ନେଇ ଓଡ଼ିଶାର ନିଶା ମାଫିଆ କନ୍ଧମାଳ ଚାଷୀଙ୍କ ଠାରୁ କମ୍ଦରରେ କିଣି ରାଜ୍ୟ ବାହାରକୁ ଚଢ଼ାଦରରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ କରୁଛନ୍ତି। ଆଜି କମିସନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଏଭଳି ଏକ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗ୍ୟାଙ୍ଗର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲ୍ଲା ନୂଆ ଗାଁ ଅଞ୍ଚଳର ସୁବାଶିଷ ଦିଗଲ ଓରଫ ଶୁଭମ ଓରଫ ସିପୁ(୨୧)ଓ ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳ ସାଗର ଘଡ଼େଇ ଓରଫ ରାହୁଲ(୨୫)। ପୁଲିସ ସେମାନଙ୍କଠାରୁ ୯୦କେଜି ଗଞ୍ଜେଇ, ଗୋଟିଏ କାର ଏବଂ ମୋବାଇଲ୍ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୯ଲକ୍ଷ ଟଙ୍କାରୁ ଊର୍ଧ୍ବ ହେବ।
ଗ୍ୟାଙ୍ଗକୁ ଠାବ ପାଇଁ କମିସନରେଟ୍ ପୁଲିସକୁ ୧୫ଦିନ କାଳ କସରତ କରିବାକୁ ପଡ଼ିଥିଲା। କିଛିଦିନ ତଳେ ସ୍ପେଶାଲ କ୍ରାଇମ୍ୟୁନିଟ୍ ଏଡିସିପି ସଞ୍ଜୀବ ଶତପଥୀ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ, ରାଜଧାନୀରେ ଏକ ନିଶା ମାଫିଆ ଗ୍ୟାଙ୍ଗ ସକ୍ରିୟ ରହିଛି। ଗ୍ୟାଙ୍ଗ ବିଶେଷକରି କନ୍ଧମାଳର ଗଞ୍ଜେଇ ଚାଷୀଙ୍କ ଠାରୁ ଗଞ୍ଜେଇ ଆଣି ରାଜଧାନୀର କ୍ୟାପିଟାଲ ଥାନା ଅନ୍ତର୍ଗତ ସଡ଼କ ବସ୍ତିରଏକ ସ୍ବତନ୍ତ୍ର ଘରେ ଗଞ୍ଜେଇ ଗଚ୍ଛିତ ରଖି ବିଶେଷ କରି କଲିକତାକୁ ଚାଲାଣ କରୁଛନ୍ତି। ଚାଷୀଙ୍କ ଠାରୁ କିଲୋ ପିଛା ଅଢ଼େଇରୁ ୩ଜହାର ଦେଇ ଆଣୁଥିବା ବେଳେ କଲିକତାରେ ଏହାକୁ ୨୫ରୁ ୩୫ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏହାଛଡ଼ା ରାଜଧାନୀ, କଟକ ଏବଂ ଆଖପାଖ ଅଞ୍ଚଳରେ ୧୦ରୁ ୧୨ହଜାରରେ ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଉଛନ୍ତି। ତା’ପରେ ଏଡିସିପି ଶ୍ରୀ ଶତପଥୀଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା। ୧୫ଦିନ ଧରି ଟିମ୍ ଗ୍ୟାଙ୍ଗର ଗତିବିଧି ଉପରେ ନଜର ରଖିଥିଲା। ମଙ୍ଗଳବାର ରାତିରେ ଏହି ଗ୍ୟାଙ୍ଗ ଗୋଟିଏ କାର୍ରେ କନ୍ଧମାଳରୁ ଗଞ୍ଜେଇ ନେଇ ରାଜଧାନୀ ଆସୁଥିବା ଜଣାପଡ଼ିଥିଲା। ଟିମ୍ ଗ୍ୟାଙ୍ଗର ଗତିବିଧି ଉପରେ ନଜର ରଖିଥିଲା।
ରାତି ପାଖାପାଖି ସାଢ଼େ ୧୦ଟା ସମୟରେ କାର୍ ଫାୟାରଷ୍ଟେସନରୁ ରାଜଧାନୀ ଆଡ଼କୁ ପଶିବା ବେଳେ ଟିମ୍ ପିଛା କରିଥିଲା। ସେମାନେ ସଡକ ବସ୍ତି ଆଡ଼କୁ ଯାଇ ନିକଟ ଅଞ୍ଚଳରେ ଥିବା ଏକ ଘର ସମ୍ମୁଖରେ କାର୍ରୁ ଗଞ୍ଜେଇ କାଡ଼ି ଘର ଭିତରକୁ ନେଉଥିବା ବେଳେ ପୁଲିସ ଟିମ୍ ଘେରିଯାଇଥିଲା। ପୁଲିସକୁ ଦେଖି ମାଫିଆ ଗ୍ୟାଙ୍ଗ ଫେରାର୍ ଉଦ୍ୟମ କରିଥିଲେ। ହେଲେ ଚାରିପଟୁ ଘେରି ରହିଥିବା ପୁଲିସ କବ୍ଜାରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଥିଲା। ଶେଷରେ ପୁଲିସ ଦୁଇ ନିଶା ମାଫିଆଙ୍କୁ କାବୁ କରିବା ସହ ଗଞ୍ଜେଇ ଓ କାରକୁ ଜବତ କରି ଥାନାକୁ ଆଣିଥିଲା। ପଚରା ଉଚରା ବେଳେ ସେମାନେ ସବୁ ସତମାନିଥିଲେ। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗ୍ୟାଙ୍ଗରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୁଲିସ ନିକଟରେ ତଥ୍ୟ ରହିଛି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।