ଭୁବନେଶ୍ବର ଆର୍‌ଟିଓ-୧ର ଆଉ ୨ ନୂଆ କାଉଣ୍ଟର, କେବଳ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ହେବ ଆବେଦନ

ଭୁବନେଶ୍ବର: ଆଜି ଆର୍‌ଟିଓ-୧ ପକ୍ଷରୁ ଦୁଇଟି ଅସ୍ଥାୟୀ ନୂଆ କାଉଣ୍ଟର ଖୋଲା ଯାଇଛି। ଗୋଟିଏ କଳ୍ପନା ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଖୋଲାଯାଇଥିବା ବେଳେ ଅନ୍ୟଟି ସହିଦନଗର ବିଏମ୍‌ସି ୱାର୍ଡ ଅଫିସରେ ଖୋଲା ଯାଇଛି। ପ୍ରତ୍ୟେକ କାଉଣ୍ଟର୍‌ରେ ୩ଜଣ ଲେଖାଏଁ ଆର୍‌ଟିଓ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି। ଏହି ଅଫିସ୍‌ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଠାରେ ଆବେଦକାରୀମାନେ କେବଳ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ଆଜି ପ୍ରଥମ ଦିନରେ ଉଭୟ କାଉଣ୍ଟର୍‌ରେ ୩ଜଣ ଲେଖାଏଁ ‌ଲୋକ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି।

ସାରା ରାଜ୍ୟରେ ନୂଆ ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ପରେ ଡ୍ରାଇଭିଂ ଲାଇସେନ୍ସ, ପ୍ରଦୂଷଣ ନିୟନ୍ତ୍ରଣ ଓ ଫିଟ୍‌ନେସ୍‌ ସାଟିଫିକେଟ୍‌ ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନାହିଁ ନଥିବା ଭିଡ଼ ଜମୁଛି। ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ରହିବାକୁ ପଡ଼ୁଛି। ଏମିତିକି ଅନେକ ଲୋକ ଆବେଦନ କରି ନପାରି ଫେରି ଯାଉଛନ୍ତି। ଏଭଳି ସ୍ଥିତି ଉପୁଜିବା ପରେ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇବା ପାଇଁ ଆର୍‌ଟିଓ-୧ ଅଣ୍ଟା ଭିଡ଼ିଛି। ଲୋକମାନେ ଯେଭଳି ସହଜରେ ଆବେଦନ କରିପାରିବେ, ସେଥିପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ପୂର୍ବରୁ ଆର୍‌ଟିଓ-୧ରେ ୩ଟି କାଉଣ୍ଟର ଥିଲା। ହେଲେ ନୂଆ ନିୟମ ଲାଗୁ ପରେ ଯେଭଳି ଲୋକଙ୍କ ଭିଡ଼ ଜମିଲା, ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟରେ ଅଧିକ ୪ଟି କାଉଣ୍ଟର ଖୋଲାଯିବା ସହ ସ୍ଲଟରେ ବ୍ୟାପକ ବୃଦ୍ଧି କରାଯାଇଥିଲା। ଆଜି ବାହାରେ ଆଉ ୨ଟି କାଉଣ୍ଟର ଖୋଲିବା ଦ୍ବାରା ଲୋକମାନେ ଏହାର ଲାଭ ପାଇବେ।

ସମ୍ବନ୍ଧିତ ଖବର