ଭୁବନେଶ୍ୱର: ବେୱରିଆ ଗ୍ୟାଙ୍ଗ୍ର ଦୁଇ ଅଭିଯୁକ୍ତ ରବି କୁମାର, ବାମୁ ରାମ୍କୁ ୪ ଦିନିଆ ରିମାଣ୍ଡ୍ରେ ଆଣିବ କମିସନରେଟ ପୁଲିସ। ଏଥିପାଇଁ ସୋମବାର କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି। ଆଜି ଝାରପଡ଼ା ସ୍ବତନ୍ତ୍ର କାରଗାରରେ ହୋଇଥିବା ଟିଆଇ ପରେଡ୍ରେ କୁଖ୍ୟାତ ପ୍ରଦୀପ କୁମାରକୁ ଚିହ୍ନଟ କରାଯାଇଛି। ଲୁଟ୍ର ଶିକାର ହୋଇଥିବା ବଡ଼ଗଡ଼ ଅଞ୍ଚଳର ଜଣେ ମହିଳା ପ୍ରଦୀପ କୁମାରକୁ ଚିହ୍ନଟ କରିଛନ୍ତି। ତେଣୁ ପ୍ରଦୀପ କୁମାର ଓ ବିକାଶ କୁମାର ନାଁରେ ଅଭିଯୋଗ ଫର୍ଦ୍ଦ ବଢ଼ିବାରେ ଲାଗିଛି।
ସ୍ପେସାଲ୍ ସ୍କ୍ବାଡ୍ ସୂଚନାନୁସାରେ ଏହି ଗ୍ୟାଙ୍ଗ୍ ହରିଆଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଆଦି ରାଜ୍ୟର ପୁଲିସ ପାଇଁ ୱାଣ୍ଟେଡ୍ ଅଛନ୍ତି। ଏବେ ଝାରପଡ଼ା ଜେଲ୍ରେ ଥିବା ସମସ୍ତ ୪ ଲୁଟେରାଙ୍କ ଘର ଉତ୍ତରପ୍ରଦେଶର ସାମ୍ଲି ଜିଲ୍ଲାରେ। ଉତ୍ତରପ୍ରଦେଶରେ ବହୁ ମାମଲା କରିବା ପରେ ସେମାନେ ହରିଆଣା ଓ ରାଜସ୍ଥାନରେ ଡେରା ପକାଇଥିଲେ। ପ୍ରାୟ ବର୍ଷକ ତଳେ ଏହି ଗ୍ୟାଙ୍ଗ୍ ଓଡ଼ିଶା ଚାଲି ଆସିଥିଲା। ରାଜଧାନୀକୁ ଟାର୍ଗେଟ୍ କରି ସେମାନେ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ। ସେମାନଙ୍କ କୌଶଳ ହେଲା ଯେଉଁ ସହରକୁ ଟାର୍ଗେଟ୍ କରିବେ, ତା’ର ପାଖ ସହରରେ ଆଡ଼ା ଜମେଇବେ। ସେହି ଅନୁସାରେ ସେମାନେ ପୁରୀରେ ଡେରା ପକାଇ ଭୁବନେଶ୍ବରରେ ଛିନ୍ତାଇ କରୁଥିଲେ। ଭୁବନେଶ୍ବରରେ ପ୍ରାୟ ଡଜନେ ଛିନ୍ତାଇ କରିବା ପରେ କମିସନରେଟ୍ ପୁଲିସ ସେମାନଙ୍କୁ ପୁରୀରୁ ଉଠାଇଥିଲା। ଏମାନଙ୍କ ବାବଦରେ ଅଧିକ ଖୋଳତାଡ଼ କରିବା ପାଇଁ କମିସନରେଟ ପୁଲିସର ୨ଟି ଟିମ୍ ଉତ୍ତରପ୍ରଦେଶ ଓ ହରିଆଣା ଯିବ ବୋଲି ସୂଚନା ମିଳିଛି।