ଭୁବନେଶ୍ବର: ରାଜ୍ୟର ସହରାଞ୍ଚଳ ବସ୍ତିରେ ରହୁଥିବା ମହିଳାଙ୍କଠାରେ କର୍କଟ ରୋଗ ସୃଷ୍ଟିକାରୀ ହ୍ୟୁମାନ ପାପିଲୋମାଭାଇରାସ୍ (ଏଚ୍ପିଭି) ରହିଛି କି ନାହିଁ ତାହା ଜାଣିବା ଲାଗି ରାଜ୍ୟ ସରକାର ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଭୁବନେଶ୍ବର ଓ କଟକରେ ୫ହଜାର ଲେଖାଏ ନମୁନା ସଂଗ୍ରହ କରାଯାଇଛି। କଟକରେ ପ୍ରାୟ ୧୨ ପ୍ରତିଶତ ନମୁନା ଏଚ୍ପିଭି ପଜିଟିଭ୍ ଥିବା ଜଣାପଡ଼ିଛି। ସେମାନଙ୍କଠାରେ କର୍କଟ ରୋଗ ସୃଷ୍ଟି ହୋଇଛି କି ନାହିଁ ତାହାର ଅନୁଧ୍ୟାନ ଜାରି କରାଯାଉଛି। ତେବେ ଭୁବନେଶ୍ବରୁ ସଂଗୃହୀତ ନମୁନା ସଂପର୍କରେ କୌଣସି ସୂଚନା ମିଳିନାହିଁ। ଗତବର୍ଷ ଅକ୍ଟୋବର ମାସରେ ଏହି ସର୍ଭେ ଆରମ୍ଭ ହୋଇଛି। ଯଦି ଏହି ସର୍ଭେ ସଫଳ ହୁଏ ତାହେଲେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ଅସୁରକ୍ଷିତ ଯୌନ ସଂପର୍କରୁ ଏଚ୍ପିଭି ଭୂତାଣୁ ବ୍ୟାପିଥାଏ। ପରବର୍ତୀ ସମୟରେ ଏହା ଶରୀରରେ ଜରାୟୁ କର୍କଟ ସୃଷ୍ଟି କରିଥାଏ। ରାଜ୍ୟ ସରକାର କର୍କଟ ରୋଗର ଆଗୁଆ ଚିହ୍ନଟ କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ତେଣୁ ଏହି ସର୍ଭେ ଜରାୟୁ କର୍କଟ ରୋକିବା ଦିଗରେ ଫଳପ୍ରଦ ହୋଇପାରିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଅପରପକ୍ଷରେ ୧୦ଟି ଜିଲ୍ଲାରେ ଜରାୟୁ କର୍କଟ ରୋଗର ଚିହ୍ନଟ ପାଇଁ କ୍ୟାପସିଲ୍ ଓ ଥର୍ମାଲ କୋଆଗୁଲେସନ୍ ମେସିନ୍ ପ୍ରଦାନ କରାଯାଇଛି। ଏହାସହ ସ୍ତନ କର୍କଟ ରୋଗର ଚିହ୍ନଟ ପାଇଁ ଏଏନ୍ଏମ୍ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯାଇଛି। ସେହିପରି ଜିଲ୍ଲାସ୍ତରରେ ମୁଖଗହ୍ବର କର୍କଟ ରୋଗର ଚିହ୍ନଟ ପାଇଁ ଜଣେ ଲେଖାଏ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି କରାଯାଇଛି। ଏହାସହ ମୁଖଗହ୍ବର କର୍କଟର କିଭଳି ଚିହ୍ନଟ କରିବେ ସେଥିଲାଗି ମଧ୍ୟ ତାଲିମ ପ୍ରଦାନ କରାଯାଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି। ଆସନ୍ତାକାଲି ହେଉଛି ବିଶ୍ବ କର୍କଟ ଦିବସ। ଚଳିତବର୍ଷ ବିଶ୍ବ କର୍କଟ ଦିବସର ବିଷୟବସ୍ତୁ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’। କର୍କଟ ରୋଗକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟରେ ଏବେ ଦେଢ଼ ଲକ୍ଷ କ୍ୟାନସର ସର୍ଭାଇଭର ବା କର୍କଟ ରୋଗୀ ରହିଛନ୍ତି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୨୧/୨୨ରେ ରାଜ୍ୟରେ ୫୩ହଜାର କର୍କଟ ରୋଗୀଙ୍କୁ ଚିହ୍ନଟ କରାଯାଇଛି। କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ୪୫ହଜାର ଓ ଜିଲ୍ଲାସ୍ତରରେ ୩୧ହଜାର କେମୋ ସାଇକେଲ ଦିଆଯାଇଛି। ଏହାସହ ୧୨ହଜାର ଜଣଙ୍କୁ ପେଲିଆଟିଭ୍ କେୟାର ପ୍ରଦାନ କରାଯାଇଛି।
ଅପରପକ୍ଷରେ ରାଜ୍ୟରେ ବିଭିନ୍ନ ସଂସ୍ଥାରୁ ସ୍ତନ କର୍କଟ ରୋଗର ଚିହ୍ନଟ ପାଇଁ ରାଜ୍ୟକୁ ୬ଟି ମାମୋଗ୍ରାଫି ମେସିନ୍ ଆସିଥିଲା। ମାତ୍ର ଦୀର୍ଘଦିନ ଧରି ପଡ଼ି ରହିବା ପରେ ମଧ୍ୟ ମେସିନ୍ କୌଣସି ସ୍ଥାନରେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଯାହାଫଳରେ ଏସବୁ ମେସିନ୍ ଏକପ୍ରକାର ଅଚଳ ହୋଇଯାଇଛି। ତେବେ ସ୍ତନ କର୍କଟ ରୋଗର ଚିହ୍ନଟ ପାଇଁ ବ୍ରେଷ୍ଟ ଅଲଟ୍ରାସାଉଣ୍ଡ ମେସିନ୍ ପ୍ରଦାନ କରାଯାଇଥିଛି। ଏହାସହ ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୬ଟି ସ୍ଥାନରେ ହିଷ୍ଟୋପାଥୋଲୋଜି ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଫଳରେ କର୍କଟ ରୋଗର ପରୀକ୍ଷା ସହଜରେ ହୋଇପାରିବ ବୋଲି ବିଭାଗୀୟ ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/HIV-Positive.jpg)