ରାଜଧାନୀରେ ଯୁବତୀଙ୍କୁ ଗୁଳିମାଡ, ୨ ଦୁର୍ବୃତ୍ତ ଫେରାର୍

ଭୁବନେଶ୍ବର: ଦିନଦ୍ବିପ୍ରହରରେ ରାଜଧାନୀରେ ଜଣେ ଯୁବତୀଙ୍କୁ ଗୁଳିମାଡ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଇନଫୋସିଟି ଥାନା ଅଞ୍ଚଳରେ ଦୁଇ ଜଣ ଦୁର୍ବୃତ୍ତ ଉକ୍ତ ଯୁବତୀଙ୍କୁ ଗୁଳିମାଡ କରି  ଘଟଣାସ୍ଥଳରୁ  ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଏହାପରେ ଗୁରୁତର ଆହତ ଅବସ୍ଥାରେ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ଆସିଥିବା ଗାଡ଼ିରେ ନମ୍ବର ନ ଥିବାରୁ ତାଙ୍କୁ ଠାବ କରାଯାଇ ପାରିନାହିଁ।

ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ଏକ ଘରୋଇ ଇଂଜିନିୟରିଂ କଲେଜର ଫାସନ୍ ଡିଜାଇନିଂ ଛାତ୍ରୀ ଏବଂ ଘଟଣା ସମୟରେ ତାଙ୍କର ପୁରୁଷ ବନ୍ଧୁ ଉପସ୍ଥିତ ଥିଲେ।  ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ଛାନଭିନ୍ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ ଗୁଳିମାଡର ଶିକାର ହୋଇଥିବା ଯୁବତୀଙ୍କ ନାମ ସୋନାଲି ଓ ତାଙ୍କ ଘର ବାଲେଶ୍ବର ଅଂଚଳରେ। ତାଙ୍କର ଜଙ୍ଘରେ ଦୁଇଟି ଗୁଳି ବାଜିଥିବା ଜଣାପଡ଼ିଛି। ଦୁଇ ଦୁର୍ବୃତ୍ତ ଏକ ନମ୍ବର ବିହୀନ ଗାଡ଼ିରେ ଆସି ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣା ସଂପର୍କରେ ଅଧିକ ତଥ୍ୟ ଲାଗି  ପୁଲିସ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରୁଛି।

ଗୁଳିକାଣ୍ଡ ଘଟଣାକୁ ନେଇ କମିସନରେଟ୍ ପୁଲିସ ପକ୍ଷରୁ ଏକ ଟୁଇଟ୍ ଜାରି କରାଯାଇଛି। ଟୁଇଟରେ କୁହାଯାଇଛି କି ଗୁଳିମ‌ାଡର ଶିକାର ଯୁବତୀ ପ୍ରକୃତରେ ଦୁର୍ବୃତ୍ତଙ୍କ ଟାର୍ଗେଟ ନ ଥିଲେ। ତାଙ୍କର ଏହି ଘଟଣା ସହିତ କୌଣସି ସଂପୃକ୍ତି ମଧ୍ୟ ନାହିଁ। ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇସାରିଛି ଏବଂ କେଉଁ କାରଣ ଯୋଗୁଁ ଏହି ଅପରାଧ ଘଟିଛି ତାହା ମଧ୍ୟ ଜଣାପଡ଼ିଛି। ତେବେ ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ବିପଦମୁକ୍ତ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

 

ସମ୍ବନ୍ଧିତ ଖବର