ଯୁକ୍ତ ୨ ଫଳ : ବାପାଙ୍କ ଶ୍ରମ ସାର୍ଥକ କଲା ପୁଅ, ବସ୍‌ ଚାଳକଙ୍କ ଝିଅ ଆଣିଲେ ଗୌରବ

ଭୁବନେଶ୍ବର: ପରିବାର ପ୍ରତିପୋଷଣ କରିବା ପାଇଁ କେନ୍ଦ୍ରାପଡ଼ା ଚାନ୍ଦୋଳରୁ ଭୁବନେଶ୍ବର ଆସିଥିଲେ ଘନଶ୍ୟାମ ଦାସ। ନାଲକୋରେ ଠିକା ଶ୍ରମିକ ଭାବେ କାମ ପାଇଲେ। ଯେତିକି ମିଳୁଥିଲା କେବଳ ଖାଇ ପିଇ ବଞ୍ଚିବା ଭଳି ଥିଲା। ହେଲେ ଏହି ସ୍ବଳ୍ପ ରୋଜଗାରରେ ପୁଅ ଓ ଝିଅଙ୍କୁ ପାଠ ପଢ଼ାଇବା ସମ୍ଭବ ନଥିଲା। ଏଣୁ ନାଲ୍‌କୋରେ ସକାଳେ ମାଳି କାମ କରୁଥିଲେ। ସଂଧ୍ୟାରେ ନୟାପଲ୍ଲୀ ଆଇଡି ମାର୍କେଟରେ ପରିବା ବିକ୍ରି କରୁଥିଲେ। ଅନେକ ସମୟରେ ଏହି ବଜାରରେ ସ୍ଥାନ ମିଳୁନଥିବାରୁ ସବୁ ଦିନ ବସି ପରିବା ବିକ୍ରି କରିବା ସମ୍ଭବ ହୁଏ ନାହିଁ। ଅନେକ ଦିନ ଓପାସ ରହିବାକୁ ପଡ଼ୁଥିଲେ ବି ସେ ପିଲାଙ୍କ ପାଠ ପଢ଼ାରେ ହେଳା କରିନଥିଲେ। ସାଲିଆ ସାହିରେ ରହି ପୁଅକୁ ପାଖ ବିଜୁ ପଟ୍ଟନାୟକ ବିଜ୍ଞାନ ମହାବିଦ୍ୟାଳୟରେ ପଢ଼ାଉଥିଲେ। ଆଜି ସେହି ପୁଅ ଦେବାଶିଷ ଦାସ ମହାବିଦ୍ୟାଳୟର ଦ୍ବାଦଶ ଶ୍ରେଣୀ ବାଣିଜ୍ୟରେ ଟପର ହୋଇଛନ୍ତି। ବାପାଙ୍କ ଶ୍ରମକୁ ସାର୍ଥକ କରିଛନ୍ତି। ଦେବାଶିଷଙ୍କ ସଫଳତାରେ ବାପା ବହୁତ ଖୁସି ଅଛନ୍ତି। ଦେବାଶିଷଙ୍କ ଏହି ସଫଳତା ପାଇଁ ବସ୍ତିରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ସେ ପ୍ରଂଶସାର ପାତ୍ର ହୋଇଛନ୍ତି। ଭବିଷ୍ୟତରେ ସେ ଜଣେ ‘କଷ୍ଟ ଆକାଉଣ୍ଟାଣ୍ଟ୍‌’ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ବସ୍‌ ଚାଳକଙ୍କ ଝିଅ ଆଣିଲେ ଗୌରବ

ଭୁବନେଶ୍ବର: ବାପା ସ୍ବଳ୍ପ ବେତନ ପାଉଥିବା ଜଣେ ସ୍କୁଲ ବସ୍‌ ଚାଳକ। ହେଲେ ପିଲାଙ୍କ ପାଠପଢ଼ାରେ କେବେ ବି ହେଳା କରିନାହାନ୍ତି। ଝିଅକୁ ଉଚ୍ଚଶିକ୍ଷିତା କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଅର୍ଥ ଯେପରି ପ୍ରତିବନ୍ଧକ ନ ସାଜେ ସେଥିପାଇଁ ପିଲାଙ୍କ ଶିକ୍ଷା ଲାଗି ପଡ଼ୋଶୀଙ୍କ ନିକଟରେ ବିଭିନ୍ନ ସମୟରେ ହାତ ପାତିଛନ୍ତି। ଆଉ ଆଜି ଯୁକ୍ତ୨ ପରୀକ୍ଷା ଫଳ ପ୍ରକାଶ ପରେ ବାପାର ଛାତି କୁଣ୍ଢେମୋଟ ହୋଇଯାଇଛି। କାରଣ ଝିଅ ଯୁକ୍ତ୨ ବିଜ୍ଞାନରେ ୯୨.୧୬ ପ୍ରତିଶତ ନମ୍ବର ରଖି ବାପାଙ୍କ ଅଖିରେ ଆନନ୍ଦାଶ୍ରୁ ଭରିଛନ୍ତି।

ଏହା ହେଉଛି ବେସିକ୍ ସାଇନ୍ସ କଲେଜ ଛାତ୍ରୀ ଲୋନି ପାଣ୍ଡବଙ୍କ କଥା। ଲୋନି ୫୫୩ ନମ୍ବର ରଖି କଲେଜରେ ଦ୍ବିତୀୟ ସର୍ବାଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀ। ତାଙ୍କର ଏହି ସଫଳତା ପରେ କଲେଜ ଓ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ବାପା ଅଶୋକ କୁମାର ପାଣ୍ଡବ ଓ ମା’ ସୁଚିତ୍ରା ପାଣ୍ଡବଙ୍କ ଆଖିରୁ ଆନନ୍ଦାଶ୍ରୁ ବୋହି ଯାଇଛି। ଏବେ ବାପା ଅଶୋକଙ୍କୁ କିନ୍ତୁ ଝିଅର ଆଗାମୀ ପାଠପଢ଼ା ପାଇଁ ଚିନ୍ତା ଘାରିଲାଣି। ଝିଅର ଭବିଷ୍ୟତ ପାଠପଢ଼ା ପାଇଁ ଅଶୋକ ଏବେ ବ୍ୟାଙ୍କର ଦ୍ବାରସ୍ଥ ହୋଇଛନ୍ତି। ମାତ୍ର ବ୍ୟାଙ୍କରୁ ଋଣ ମିଳିବା କଷ୍ଟ ହେଉଥିବା ସେ କହିଛନ୍ତି। ଲୋନି କହିଛନ୍ତି ଯେ ପରୀକ୍ଷା ପୂର୍ବରୁ ଦିନକୁ ୬ରୁ ୮ ଘଣ୍ଟା ପରିଶ୍ରମ କରିଥିବାରୁ ଆଜି ଏଭଳି ସଫଳତା ମିଳିଛି। ଆଗକୁ ଅଧିକ ପରିଶ୍ରମ କରି ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛି।

ଡାକ୍ତର ହେବା ଲକ୍ଷ୍ୟ

ଯୁକ୍ତ ଦୁଇ ପରୀକ୍ଷାରେ ୫୭୧ ନମ୍ବର ରଖି କଲେଜରେ ପ୍ରଥମ ସ୍ଥାନ ଅଧିକାର କରିଛି। ଡାକ୍ତର ହୋଇ ରୋଗୀ ସେବା କରିବା ପାଇଁ ଲକ୍ଷ୍ୟ ରହିଛି। ମୋର କଠୋର ପରିଶ୍ରମ, ବାପା, ମାଙ୍କ ଆଶୀର୍ବାଦ, ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ ପାଇଁ ଆଜି ମୁଁ ଏହି ସଫଳତା ପାଇବାରେ ସମର୍ଥ ହୋଇପାରିଛି। କେଏମ୍‌ବିବି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମେତ କଲେଜର ନିର୍ଦେଶକ ସରୋଜ କୁମାର ପଣ୍ଡା, ଅଧ୍ୟକ୍ଷ ଡ. ବିଜୁନି ଚରଣ ସୂତାର ଏବଂ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜଣାଉଛି।

– ରୁଧିନନ୍ଦନ ପଣ୍ଡା, କେଏମବିବି ଜୁନିୟର ସାଇନ୍ସ କଲେଜ

ପରିଶ୍ରମ କରିଛି, ଫଳ ଉପରେ ଆଶା ରଖନି

ମୁଁ ମୋ ମା‌ର୍କରେ ସନ୍ତୁଷ୍ଟ ଅଛି। ପରିଶ୍ରମ ଅନୁସାରେ ମୁଁ ଫଳ ପାଇଛି। ପରିଶ୍ରମ କରିଚାଲ ଫଳ ଉପରେ ଆଶା ରଖନି ସଫଳତା ଆପେ ଆପେ ମିଳିବ। ମୁଁ ମୋ ସଫଳତା ପାଇଁ ଜୁପିଟର ସମସ୍ତ ଅଧ୍ୟାପକ, ଅଧ୍ୟାପିକ‌ା, ପରିବାରବର୍ଗ ଓ ଭଗବା‌ନଙ୍କୁ ଶ୍ରେୟ ଦେବି। ଭବିଷ୍ୟତରେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି କରିବି।
-ତମନ୍ନା ପଣ୍ଡା, ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟ‌ାଳୟ

ଆଶାରୁ ଅଧିକ ମାର୍କ ମିଳିଛି

ଆଶା ଠାରୁ ଅଧିକ ମାର୍କ ମିଳିଛି। ଏଥିପାଇଁ ମୁଁ ପ୍ରଥମେ ଭଗବାନଙ୍କୁ ଶ୍ରେୟ ଦେବି। ତା’ପରେ ମୋ ଭବିଷ୍ୟତ ଗଢ଼ିବାରେ ସହାୟତା କରିଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମୁଁ ମୋ ସଫଳତାର ଶ୍ରେୟ ଦେବି। ଭବିଷ୍ୟତରେ ମୁଁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛି ।
-ସୁଶ୍ରୀ ଶାଶ୍ବତୀ ମିଶ୍ର, ତ୍ରିବେଣୀ ଏକ‌ାଡେମି କଲେଜ

ଆଶା ଅନୁସାରେ ଫଳ ମିଳିନି

ଆଶା ଯେତିକି କରିଥିଲି ସେହି ଅନୁସାରେ ଫଳ ମିଳିଲା‌ନି। ପ୍ରାକ୍ଟିକାଲରେ ମାର୍କ କମିଗଲା। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବା‌ପା ମା’ଙ୍କୁ ଶ୍ର‌େୟ ଦେବି। ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛି।
-ଅନନ୍ୟା ମିଶ୍ର, ଆଦ୍ୟନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଡାକ୍ତର ହେବି

ଦଶମ ପରୀକ୍ଷା ଫଳ ତୁଳନାରେ ଏଥର ନମ୍ବର କମି ଯାଇଛି। ଚଳିତ ବର୍ଷ ପରୀକ୍ଷା‌ରେ ମୁଁ ୯୨.୩୩ ପ୍ରତିଶତ ନମ୍ବର ରଖିଛି। ଭବିଷ୍ୟତରେ ଜଣେ ଡାକ୍ତର ହୋଇ ପରିବାର ଓ ମୋ କଲେଜର ନାଁ ରଖିବାକୁ ଚାହେ। ନିଟ୍ ପରୀକ୍ଷା ପାଇଁ ଏବେ ପ୍ରସ୍ତୁତ ହେଉଛି। ମୋର ସମସ୍ତ ସଫଳତାର ଶ୍ରେୟ ଗୁରୁଜନ ଓ ଅଧ୍ୟାପକଙ୍କୁ ଦେବି।
-ପ୍ରୟାସ କୁମାର ରାଉଳ, ବେସିକ୍ ସାଇନ୍ସ କଲେଜ

ସଫଳତା ପାଇବି ବୋଲି ଆଶାବାଦୀ

କଠିନ ପରିଶ୍ରମ କରି ମୁଁ ୯୫.୫ ପ୍ରତିଶତ ମାର୍କ ରଖିଛି। ଏହାର ସବୁ ଶ୍ରେୟ ମୋର ବାପା ମା’ ଏବଂ କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦେବି। ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଛି। ଏଥିପାଇଁ ମୁଁ ପଠାପଢ଼ି ଜାରି ରଖିଛନ୍ତି, ତେଣୁ ସଫଳତା ପାଇବି ବୋଲି ଆଶାବାଦୀ ଅଛି।
-ଉମାଶଙ୍କର ସାହୁ, ବିଜ୍ଞାନ, ରୟାଲ୍‌ କଲେଜ

କଠିନ ପରିଶ୍ରମର ଫଳ ପାଇଛି

ଦ୍ବାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ ୯୯.୫ ପ୍ରତିଶତ ମାର୍କ ରଖି କଲେଜ ଟପ୍ପର ହୋଇଛି। କଠିନ ପରିଶ୍ରମ ପାଇଁ ଆଜି ମୁଁ ଏହି ସ୍ଥାନରେ ପହଞ୍ଚିପାରିଛି। ଏହା ପଛରେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଶ୍ରେୟ ରହିଛି। ଏଥିସହ ମୋ ପରିବାର ଲୋକଙ୍କ ପ୍ରେରଣା ବହୁତ ଆଗକୁ ଆଣିପାରିଛି। ଆଗକୁ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛି।
-ସୌମ୍ୟରଂଜନ ସାମନ୍ତ, ବିଜ୍ଞାନ, କିଟ୍ କଲେଜ

ସମ୍ବନ୍ଧିତ ଖବର