ଭୁବନେଶ୍ବରରେ ଯୁକ୍ତ୨ ପରୀକ୍ଷା ଫଳ: ଛାତ୍ରଛାତ୍ରୀ ମହଲରେ ଉତ୍ସାହ

ଭୁବନେଶ୍ବର: ବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି। ତେବେ ଭୁବନେଶ୍ବରର ବିଭିନ୍ନ କଲେଜରେ ପରୀକ୍ଷା ଫଳକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ବିଭିନ୍ନ କଲେଜରେ କିଭଳି ଫଳ ହୋଇଛି ତାକୁ ନେଇ ଆମର ଉପସ୍ଥାପନା।

କିସ୍‌ରେ ସମସ୍ତେ ପାସ୍‌

ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କିସ୍‍ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଉଭୟ ବିଭାଗରେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନ ବିଭାଗରେ ୪୦% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୪୦% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କନ୍ଧମାଳ ଝିଅ ସ୍ମିତାରାଣୀ ମଲ୍ଲିକ(କନ୍ଧ) ବାଣିଜ୍ୟରେ ସର୍ବାଧିକ ୮୩% ନମ୍ବର ରଖି କଲେଜ ଟପର୍‌ ହୋଇଛନ୍ତି। ସେହିପରି ବିଜ୍ଞାନରେ ଝାଡ଼ଖଣ୍ଡର କାଜଲ ମାର୍ଡି(ସାନ୍ତାଳ) ୮୨% ନମ୍ବର ରଖି କଲେଜ ଟପ୍‍ର ହୋଇଛନ୍ତି। କିସ୍‍ର ଫଳାଫଳରେ ଆନନ୍ଦ ପ୍ରକାଶ କରିବା ସହ କୌଣସି ବିଦ୍ୟାଳୟରେ ଜନଜାତି ପିଲାମାନେ ପ୍ରତିବର୍ଷ ଲଗାତାର ଶତ ପ୍ରତିଶତ ସଫଳତା ପାଇବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟର ବିଷୟ। ଭଗବାନଙ୍କ ଆଶୀର୍ବାଦ ବିନା ସମ୍ଭବ ନୁହେଁ ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି।

ସତ୍ୟସାଇ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮୫% ପାସ୍‌

ଯୁକ୍ତ୨ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୩୮ ଜଣଙ୍କ ମଧ୍ୟରୁ ୮ ଜଣ ପ୍ରଥମ, ୧୨ ଜଣ ଲେଖାଏ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ମନୀଷା ବେହେରା ୪୪୦ ମାର୍କ ରଖି ବିଦ୍ୟାଳୟ ଟପର୍‌ ହୋଇଛନ୍ତି।

ଶ୍ରୀ ଜୟଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ନହରକଣ୍ଟାସ୍ଥିତ ଶ୍ରୀ ଜୟଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୫ଜଣ ପରୀକ୍ଷା ଦେଇଥିବାବେଳେ ପ୍ରଥମ ଶ୍ରେଣୀରେ ୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦ୍ବିତୀୟ ଶ୍ରେଣୀରେ ୧୯, ତୃତୀୟରେ ୧୨ଜଣ ରହିଛନ୍ତି। ଛାତ୍ରୀ ଦିବ୍ୟାଶ୍ରୀ ସାହୁ ୪୬୮ନମ୍ବର ରଖି ବିଜ୍ଞାନ ବିଭାଗ ଟପର୍‌ ହୋଇଛନ୍ତି। ବାଣିଜ୍ୟରେ ୩୨ଜଣ ପିଲା ପରୀକ୍ଷା ଦେଇଥିବା‌ବେଳେ ୬ଜଣ ପ୍ରଥମ, ୧୧ ଜଣ ଦ୍ବିତୀୟ ଓ ୧୫ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ର ସୁନୀଲ ଖୁଣ୍ଟିଆ କଲେଜ ଟପର୍‌ ହୋଇଛନ୍ତି।

ଦେବରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ନୂଆପଲ୍ଲୀସ୍ଥିତ ଦେବାରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନରେ ୧୦୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦୪ ଜଣ ପାସ୍‌ କରିଛନ୍ତି। ଦୀପକ କୁମାର ମହାଲିକ୍‌ ୪୮୦ ନମ୍ବର ରଖି ଟପ୍‌ର ହୋଇଛନ୍ତି। ୨୮ଜଣ ପ୍ରଥମ, ୫୩ଜଣ ଦ୍ବିତୀୟ, ୨୩ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଅଧ୍ୟକ୍ଷା ରୀନା ଘଡ଼େଇ ଶୁଭେଚ୍ଛା ଜଣାଇଛନ୍ତି।

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖଣ୍ଡଗିରି

ଏଠାରେ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ସମସ୍ତ ୬୪ଜଣ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ୫୮ଜଣ ପ୍ରଥମ, ୫ଜଣ ଦ୍ବିତୀୟ ଓ ଜଣେ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ର ଲଲାଟେନ୍ଦୁ ମହାନ୍ତ ୫୨୯ ନମ୍ବର ରଖି ଟପର୍‌ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଅଧ୍ୟକ୍ଷ ଅଜୟ କୁମାର ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ମହର୍ଷି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

କଲେଜର ୭୦ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୭ଜଣ ପାସ୍‌ କରିଥିବା ନେଇ ମହାବିଦ୍ୟାଳୟର ଅଧକ୍ଷା ଗୀତାଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସ୍ଥିତପ୍ରଜ୍ଞା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଏଠାରେ ପରୀକ୍ଷା ଦେଇଥିବା ସମସ୍ତ ୧୯ଜଣ ଯାକ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ଛାତ୍ରୀ ଅଲିଭା ଜ୍ୟୋତି ରାଉତରାୟ ୬୪% ମାର୍କ ରଖି କଲେଜ ଟପର୍‌ ହୋଇଛନ୍ତି। ୬ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା କଲେଜ ପକ୍ଷରୁ ସୂଚନା ଦିଆଯାଇଛି।

ଗୋପବନ୍ଧୁ ବିଜ୍ଞାନ କଲେଜରେ ଶତପ୍ରତିଶତ ଉତ୍ତୀର୍ଣ୍ଣ

ବାଲିଅନ୍ତା ବ୍ଲକ ଅଧୀନ ଗୋପବନ୍ଧୁ ବିଜ୍ଞାନ କଲେଜର ସମସ୍ତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷା ଦେଇଥିବା ୫୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୦% ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଲେଜର ଶୁଭାନନ୍ ମଲ୍ଲିକ ୫୦୫ ନମ୍ବର ରଖିଛନ୍ତି। କଲେଜର ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଥିବାରୁ କଲେଜ ଅଧ୍ୟକ୍ଷ ରାମେଶ୍ୱର ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

ତ୍ରିବେଣୀ ଏକାଡେମିରେ ଶତ ପ୍ରତିଶତ ସଫଳତା

Facebook

ତ୍ରିବେଣୀ ଏକାଡେମି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନ‌ରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ଛାତ୍ରୀ ସ୍ମୃତି ସାମଲ ସର୍ବାଧିକ ୫୫୧ ନମ୍ବର ରଖି ଟପର୍‌ ହୋଇଛନ୍ତି। ଏହାସହ ଏକାଧିକ ଛାତ୍ରଛାତ୍ରୀ ପଦାର୍ଥ ବିଜ୍ଞାନ ଓ ଗଣିତରେ ଶତ ପ୍ରତିଶତ ନମ୍ବର ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତଥା ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ଏକାଡେମି‌ର ଅଧ୍ୟକ୍ଷା ମଧୁମିତା ଦାଶ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର