ଭୁବନେଶ୍ବରରେ ଯୁକ୍ତ୨ ଫଳ: ଛାତ୍ରଛାତ୍ରୀଙ୍କୁ ଖୁସି କରିଦେଲା

୯୦% ଉପରେ ୨୧୦ ପରୀକ୍ଷାର୍ଥୀ

ଭୁବ‌ନେଶ୍ବର: ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳରେ ଭୁବନେଶ୍ବର ପାଇଁ ନୂଆ ଇତିହାସ ସୃଷ୍ଟି ହୋଇଛି। ପରୀକ୍ଷା ଦେଇ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅଧିକାଂଶ ସେଲ୍ଫ ଫାଇନାନ୍ସିଂ କ‌ଲେଜ ୨୦୨୧ ପରି ଏଥର ମଧ୍ୟ ଶତ ପ୍ରତିଶତ ଫଳ କରିଛନ୍ତି। ଶେଷ ଖବର ସୁଦ୍ଧା ସହରର ୨୧୦ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ଏବଂ ୨୦ରୁ ଅଧିକ ଛାତ୍ରଛାତ୍ରୀ ୯୫%ରୁ ଅଧିକ ମାର୍କ ରଖିଛନ୍ତି। ଏଭଳି ସଫଳତାରେ ସହରର ବିଭିନ୍ନ କଲେଜର ଉତ୍ସହ ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀ କ୍ୟାମ୍ପସରେ ଖୁସି ମନାଇଥିଲେ।

ବିଜେବି ଜୁନିଅର କଲେଜ ଏଥର ପୁରୁଣା ରେକର୍ଡର ପୁର୍ନରାବୃତ୍ତି କରିଛି। ଏହି କଲେଜର ବିଜ୍ଞାନରେ ୨୩ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ରାଜ୍ୟର ଶ୍ରେଷ୍ଠ ସ୍ଥାନଗୁଡ଼ିକ ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଅକ୍ତିଆର କରି ନେଇଛନ୍ତି। ବେସିକ୍‌ ସାଇନ୍ସ କଲେଜ, ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହର୍ଷି କଲେଜ, ରାଜଧାନୀ କଲେଜ, ଦେବରାୟ କଲେଜର ପରୀକ୍ଷାର୍ଥୀ ମଧ୍ୟ ଏଥର ଉନ୍ନତ ପ୍ରଦର୍ଶନ କରିଛନ୍ତି।ସେଲ୍ଫ ଫାଇନା‌ନ୍ସିଂ କଲେଜଗୁଡ଼ିକର ଅଧିକାଂଶ ପିଲା ୯୦%ରୁ ଅଧିକ ନମ୍ବର ରଖିଛନ୍ତି।

ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ବିଜ୍ଞାନ ଓ ବାଣିଜ୍ୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ବିଜ୍ଞାନରେ ସୁଶ୍ରୀ ତମନ୍ନା ପଣ୍ଡା ୫୭୯ ନମ୍ବର ରଖି ସ୍କୁଲ ଟପର୍ ହୋଇଛନ୍ତି। ଏଥିସହ ବିଦ୍ୟାଳୟର ୯୬% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବାଣିଜ୍ୟରେ ଛାତ୍ର ସ୍ବସ୍ତିକ ପଣ୍ଡା ୯୨% ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତାରେ ମହାବିଦ୍ୟାଳୟର ନିର୍ଦେଶକ ବିକାଶ ରଞ୍ଜନ ଦେବ ଓ ଅଧ୍ୟକ୍ଷ କେ ଭରତ ଚନ୍ଦ୍ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଏଠାରେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଅନନ୍ୟା ମିଶ୍ର ୯୫.୮୩% ମାର୍କ ରଖି ସ୍କୁଲ ଟପର୍‌ ହୋଇଛନ୍ତି। ଫାଲଗୁନି କା‌ସ୍ୟପ୍‌ ଓ ଇତିଶ୍ରୀ ଗିରି ୯୪.୩୩% ମାର୍କ ରଖି ଦ୍ବିତୀୟ ଏବଂ ଶିବ ଦତ୍ତ ସାହୁ ୯୪.୨୭% ମାର୍କ ରଖି ତୃତୀୟ ହୋଇଛନ୍ତି। ବିଦ୍ୟାଳୟର ୩୮ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ୧୬ଜଣ ଫିଜିକ୍ସ, ଗଣିତ ଓ ସଂସ୍କୃତ ବିଷୟରେ ଶହେରୁ ଶହେ ମାର୍କ ରଖି ରେକର୍ଡ ସୃଷ୍ଟି କରିଛନ୍ତି।

କିଟ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

YouTube

ବିଦ୍ୟାଳୟର ୨୫୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୫୨ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ୬ଜଣ ପରୀକ୍ଷାର୍ଥୀ ଦ୍ବିତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ୨୦ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଥିବା ବେଳେ ସୌମ୍ୟରଞ୍ଜନ ସାମନ୍ତ ୫୭୩ ମାର୍କ ରଖି ବିଜ୍ଞାନରେ ଟପର୍‌ ହୋଇଛନ୍ତି। ବିଦ୍ୟାଳୟର ଏହି ସଫଳତା ପାଇଁ ଉକ୍ତ ଅନୁଷ୍ଠାନର ଚେୟାରମ୍ୟାନ ଚିତ୍ତ ରଞ୍ଜନ ମିଶ୍ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସହ ସେମାନଙ୍କ ନିଷ୍ଠାପର ଓ ନିସ୍ୱାର୍ଥପର କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି।

ତ୍ରିବେଣୀ ଏକାଡେମି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ବିଦ୍ୟାଳୟର ସମସ୍ତ ୧୮୦ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣ ୯୦%ରୁ ଅଧିକ ନମ୍ବର ରଖିଥିବା ବେଳେ ଶାଶ୍ବତୀ ମିଶ୍ର ୫୭୬ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ୧୭୨ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ‌ହୋ‌ଇ ରେକର୍ଡ କରିଛନ୍ତି। ଏହି ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷ ମଧୁମିତା ଦାଶ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରୟାଲ୍‌ କଲେଜ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି

Schools – Careers360

ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ୨୭୧ଜଣଙ୍କ ମଧ୍ୟରୁ ୨୧୪ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ୩ଜଣ ଦ୍ବିତୀୟ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ୨୦ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖି ପାସ୍ କରିଥିବା ବେଳେ ଛାତ୍ର ଉମାଶଙ୍କର ସାହୁ ୫୭୩ ମାର୍କ ରଖି ଟପର୍‌ ହୋଇଛନ୍ତି। ଏଭଳି ସଫଳତା ନେଇ ଅନୁଷ୍ଠାନର ଅଧ୍ୟକ୍ଷ ବିଷ୍ଣୁମୋହନ ମହାନ୍ତି କୃତୀ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅଭିଭାବକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମାୟାଧର ଯୁକ୍ତ୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ବିଜ୍ଞାନ ବିଭାଗରେ ଏଠାରେ ଶତପ୍ରତିଶତ ରେଜଲ୍ଟ ହୋଇଛି। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। କଲେଜ ଚେୟାରମ୍ୟାନ ମାୟାଧର ସାହୁ, ନିର୍ଦ୍ଦେଶକ ଧରଣୀଧର ସାହୁ, ଅଧ୍ୟକ୍ଷ ହିମାଂଶୁ ଆଚାର୍ଯ୍ୟ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରୀକ୍ଷାରେ କୃତୀତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ର ଜେଇଇ ମେନ୍‌ ପରୀକ୍ଷାରେ ଭଲ ନମ୍ବର ରଖି ସଫଳତା ହାସଲ କରିଛନ୍ତି।

ପଞ୍ଚାନନ ଜେନା ଯୁକ୍ତ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ବିଜ୍ଞାନ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଜେନା, ଉପଧ୍ୟକ୍ଷ ପ୍ରମୋଦ କୁମାର ଜେନା ଓ ପ୍ରିନ୍ସପାଲ ସଞ୍ଜୟ କୁ‌ମ‌ାର ଦାଶ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛା‌ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବିଜେବି ଜୁନିୟର କଲେଜ

Sambad English

ଏଠାରେ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା‌ ୫୨୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୫୩ଜଣ ପ୍ରଥମ, ୫୦ଜଣ ଦ୍ୱିତୀୟ ଓ ୪ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ୨୩ଜଣ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ବାଣିଜ୍ୟରେ ୩୦୭ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୬୮, ଦ୍ୱିତୀୟ ଶ୍ରେଣୀରେ ୨୭ ଓ ତୃତୀୟ ଶ୍ରେଣୀରେ ୬ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୯ଜଣ ୯୦%ରୁ ଅଧିକ ମାର୍କ ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର