ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ଶ୍ରେଷ୍ଠ ୪୧ରେ ରାଜଧାନୀରୁ ୧୧

ଯୁକ୍ତ୨ ରେଜଲ୍ଟକୁ ନେଇ ଶିକ୍ଷା ହବ୍‌ରେ ପୁଣିଥରେ ଖେଳିଛି ନୈରାଶ୍ୟ। ରାଜ୍ୟର ଶ୍ରେଷ୍ଠ ୪୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜଧାନୀରୁ ମାତ୍ର ୧୧ ଜଣ ଏହି ତାଲିକାରେ ରହିଛନ୍ତି। ମାଳ ମାଳ ଘରୋଇ କଲେଜ ସାଙ୍ଗକୁ ନାମକରା ସରକାରୀ କଲେଜ ବି ଏଠାରେ ରହିଛି। ମାତ୍ର ୬ଟି କଲେଜର ଛାତ୍ରଛାତ୍ରୀ ଶ୍ରେଷ୍ଠ ତାଲିକାରେ ସ୍ଥାନ ପାଇଛନ୍ତି। ଏକମାତ୍ର ସରକାରୀ କଲେଜ ଭାବେ ବିଜେବିର ୬୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି। ନୈରାଶ୍ୟ ଭିତରେ କେତେକ କଲେଜ ଶତ ପ୍ରତିଶତ ସଫଳତା ହାସଲ କରିଥିବାରୁ ସେ ସବୁ କଲେଜ ଉତ୍ସବମୁଖର ହୋଇ ଉଠିଥିଲା।

ପଦାରେ ପଡ଼ିଲା ସରକାରୀ କଲେଜର ଶିକ୍ଷାଦାନ ପ୍ରଣାଳୀ ବିଜେବିର କେବଳ ୩
ଭୁବନେଶ୍ୱର: ପୁଣିଥରେ ପଦାରେ ପଡ଼ିଲା ସରକାରୀ କଲେଜର ଶିକ୍ଷା ବ୍ୟବସ୍ଥା। ପ୍ରାଥମିକରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ବ୍ୟାପକ ସଂସ୍କାର ଆଣିବା ସହ ଛାତ୍ରଛାତ୍ରୀ କିଭଳି ଭଲ ପ୍ରଦର୍ଶନ କରିବେ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଶାସନିକସ୍ତରରେ ଡିଙ୍ଗୁରା ପିଟାଯାଉଛି। ଉଚ୍ଚଶିକ୍ଷା, ଗଣଶିକ୍ଷା, ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ, ସଚିବମାନେ ସଭା, ସମିତିରେ ଶିକ୍ଷାର ବିକାଶର କଥା କହୁଛନ୍ତି। ଭୁବନେଶ୍ୱରକୁ ଶିକ୍ଷାର ହବ୍‌ ବୋଲି କୁହାଯାଉଛି। ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲାଗି ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। କିନ୍ତୁ ତାହାର ସୁଫଳ କିଭଳି ମିଳୁଛି ତାହା ଏବେ ଦେଖିବାକୁ ମିଳିଛି। ରାଜ୍ୟର ୪୧ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଥିବା ବେଳେ ସେଥିରେ ଘରୋଇ କଲେଜର ୩୪ ଜଣ ରହିଛନ୍ତି। ସରକାରୀ କଲେଜର ଯେଉଁ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରର ମାତ୍ର ୩ ଜଣ ସ୍ଥାନ ପାଇଛନ୍ତି। ଯେଉଁମାନେ କି କେବଳ ବିଜେବି ଜୁନିଅର କଲେଜର ଛାତ୍ରଛାତ୍ରୀ। ଯୁକ୍ତ୨ ବିଜ୍ଞାନ କଟ୍‌ ଅଫ୍‌ ମାର୍କରେ ସବୁଠାରୁ ଆଗରେ ରହୁଥିବା ବେସିକ୍‌ ସାଇନ୍ସ କଲେଜ, ରମାଦେବୀ ଜୁନିୟର କଲେଜ, ମହର୍ଷି କଲେଜ ଅଫ୍‌ ନାଚ୍ୟୁରାଲ ଲ’, ରାଜଧାନୀ କଲେଜର ଛାତ୍ରଛାତ୍ରୀ ୯୦% ମାର୍କ ରଖିବାରେ ବିଫଳ ହୋଇଛନ୍ତି। ବିଜେବିକୁ ଛାଡ଼ି କୌଣସି ଗୋଟିଏ ବି ସରକାରୀ କଲେଜର ପରୀକ୍ଷାର୍ଥୀ ୯୦% ଟପି ପାରିନାହାନ୍ତି। ଏଭଳି ସ୍ଥିତିକୁ ନେଇ ଶିକ୍ଷାବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ଶିକ୍ଷାବିତ୍‌ଙ୍କ ମତରେ ସରକାରୀ କଲେଜଗୁଡ଼ିକର ଭିତ୍ତିଭୂମି ଦୁର୍ବଳ ହେବାରେ ଲାଗିଛି। ଆଗଭଳି ଆଉ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରୁନାହାନ୍ତି। ଛାତ୍ରୀଙ୍କ ଶିକ୍ଷାର ପ୍ରାଣକେନ୍ଦ୍ର ରମାଦେବୀ ମହିଳା ଜୁନିଆର୍‌ କଲେଜର ଛାତ୍ରୀ ୯୦%ରୁ ଅଧିକ ନମ୍ବର ନ ରଖିବା ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି। ମାଟ୍ରିକ୍‌ରେ ‘ଏ୧’ ଗ୍ରେଡ୍‌ ହାସଲ କରୁଥିବା ଛାତ୍ରଛାତ୍ରୀ ସରକାରୀ କଲେଜରେ ପଢ଼ୁଥିବା ବେଳେ ପରବର୍ତୀ ସମୟରେ କାହିଁକି ଭଲ ପ୍ରଦର୍ଶନ କରିପାରୁ ନାହାନ୍ତି ତାହା ଉପରେ ଚିନ୍ତା କରିବାର ସମୟ ଆସିଛି। ଏଥିପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ।

ରାଜଧାନୀର ଘରୋଇ କଲେଜଗୁଡ଼ିକ ମଧ୍ୟ ସେତେଟା ଆଶାନୁରୂପ ଫଳ କରିପାରି ନାହାନ୍ତି। ରାଜଧାନୀର ୧୧ ଜଣ ପିଲା ଶ୍ରେଷ୍ଠ ୪୧ ତାଲିକାରେ ରହିଛନ୍ତି। ଏଥିରେ ମାତ୍ର ୮ ଜଣ ଘରୋଇ ଯୁକ୍ତ୨ କଲେଜର। ଗତ କିଛି ବର୍ଷ ତଳେ ୯୦%ରୁ ଅଧିକ ନମ୍ବର ରଖୁଥିବା ଛାତ୍ରଛାତ୍ରୀଙ୍କ ତାଲିକାରେ ଘରୋଇ କଲେଜଗୁଡ଼ିକର ଦବ୍‌ଦବା ଦେଖିବାକୁ ମିଳୁଥିଲା। ଏବେ ଆଉ ସେଭଳି ରେଜଲ୍ଟ ଦେଖିବାକୁ ମିଳୁନି। ଗତବର୍ଷ ମଧ୍ୟ ଘରୋଇ କଲେଜର ୮ ଜଣ ପିଲା ୯୦%ରୁ ଅଧିକ ମାର୍କ ରଖିଥିଲେ। ଏଥର ଆଦ୍ୟାନ୍ତ କଲେଜର ୩ ଜଣ, ରୟାଲ କଲେଜର ୨, ନାଇଡୁ କଲେଜ, କିଟ୍‌ ସାଇନ୍ସ କଲେଜ ଓ ଜୁପିଟର ସାଇନ୍ସ କଲେଜର ଜଣେ ଲେଖାଏ ପିଲା ଶ୍ରେଷ୍ଠ ୪୧ରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ଘରୋଇ କଲେଜର ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ସହରରେ ପ୍ରାୟ ୫୦ଟି ଘରୋଇ କଲେଜ ରହିଥିବା ବେଳେ ଅଧିକାଂଶ କଲେଜରେ ପାସ୍‌ହାର ଭଲ ରହିଥିବା ଜଣାପଡ଼ିଛି।

କିସ୍‌ରେ ପାସ୍‌ ହାର ୮୨%
ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର +୨ ବିଜ୍ଞାନ ଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସେସ୍‌ (କିସ୍‌)ର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସମଗ୍ର ଓଡ଼ିଶାରେ +୨ ବିଜ୍ଞାନରେ ପାସ୍‌ ହାର ୭୬.୯୮% ରହିଥିବା ବେଳେ କିସ୍‌ରେ ପାସ୍‌ ହାର ହେଉଛି ୮୨ ପ୍ରତିଶତ। କିସ୍‌ରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ସଫଳତା ହାସଲ କରିଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ୭୫ ପ୍ରତିଶତ ରହିଛି। ଚଳିତବର୍ଷ ମୋଟ ୪୦୮ଜଣ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷା ଦେଇଥିଲେ। ଛାତ୍ରଛାତ୍ରୀଙ୍କ ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୬୩୬ ପରୀକ୍ଷାର୍ଥୀ ଏମ୍‌ପି
ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ କପି କରି ୬୩୬ ଜଣ ଏମ୍‌ପି ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୭୪ ଜଣ ଏମ୍‌ପି ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରେ ୫୯, ଗଞ୍ଜାମରେ ୪୧ ଜଣ ରହିଛନ୍ତି। ଏହାବ୍ୟତୀତ ବଲାଙ୍ଗୀରରେ ୧୭, ଯାଜପୁରରେ ୧୫, କଳାହାଣ୍ଡିରେ ୩୨, କଟକରେ ୨୩, କେନ୍ଦୁଝରରେ ୬୫, କୋରାପୁଟରେ ୨୭, ରାୟଗଡ଼ାରେ ୨୦, ଝାରସୁଗୁଡ଼ାରେ ୧୬ ଜଣ ପରୀକ୍ଷାର୍ଥୀ ଏମ୍‌ପି ହୋଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

୪୮ କଲେଜରେ ଶତ ପ୍ରତିଶତ ରେଜଲ୍ଟ
ପାସ୍‌ହାର କମିଥିଲେ ମଧ୍ୟ ରାଜ୍ୟର ୪୮ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଏଥିରେ ଘରୋଇ କଲେଜ ସଂଖ୍ୟା ସବୁଠାରୁ ଅଧିକ ଥିବା ଜଣା ପଡ଼ିଛି। ବିଶେଷକରି ଭୁବନେଶ୍ୱରରେ ଥିବା କେତେକ ଯୁକ୍ତ୨ ସେଲ୍ଫ ଫାଇନାନ୍ସିଂ କଲେଜର ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ରୟାଲ କଲେଜରେ ପରୀକ୍ଷା ଦେଇଥିବା ୩୧୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର