ବାଲିଅନ୍ତା: ଗତ ୬ ତାରିଖ ରାତିରେ ବେତନାସିଆ ଅଞ୍ଚଳରୁ ୩ଜଣଙ୍କ ଘର କଳାକନା ବୁଲାଇଥିବା ଦୁଇଜଣିଆ ଏକ ସିନ୍ଧିଚୋର ଗ୍ୟାଙ୍ଗ୍‌କୁ ଗିରଫ କରିଛି ବାଳକାଟି ଫାଣ୍ଡି ପୁଲିସ। ସେମାନେ ହେଲେ, ଚଡ଼େଇଗୁଆଁ ଗ୍ରାମର ଅଜିତ ବେହେରା(୨୦) ଏବଂ ରଥିଜେମା ଚାରିମାଣିଆ ଗ୍ରାମର ବିରଞ୍ଚି ଭୋଇ ଓରଫ ବିରୁ (୨୬)। ଜାମିନ ଖାରଜ ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Advertisment

ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ୨୦ ଗ୍ରାମ୍‌ ଓଜନର ସୁନାଚେନ୍‌, ନଗଦ ୧୬ ହଜାର ଟଙ୍କା, ଗୋଟିଏ ମୋବାଇଲ୍‌, ଗୋଟିଏ ପାଣି ମଟର, ୪୦ କେଜି ଲୁହା ଛଡ଼ ଏବଂ ୩୭ କିଲୋ ଓଜନର ତରଳା କଂସାପିତ୍ତଳ ସାମଗ୍ରୀ ଜବତ କରିଛି।

ସୂଚନାନୁସାରେ ଗତ ୬ ତାରିଖ ବିଳମ୍ବିତ ରାତିରେ ବେତନାସିଆ ଅଞ୍ଚଳର ମିଥୁନ ସାହୁ, ରଞ୍ଜନ ନାୟକ ଓ ସଂଜୟ ସାହୁଙ୍କ ଘରର ଝରକା ତାଡ଼ି ଚୋରମାନେ କଳାକନା ବୁଲାଇଥିଲେ। ଆଲ୍‌ମିରା ଭାଙ୍ଗି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଥିଲେ। ଏନେଇ ଗତକାଲି ବାଳକାଟି ଫାଣ୍ଡିରେ ମାମଲା ରୁଜୁ ହୋଇଥିଲା। ଗତରାତିରେ ଅଭିଯୁକ୍ତ ବିରୁ ଓ ଅଜିତ ପୁଣି ବାଳକାଟି ବଜାରରେ ଏକ ଦୋକାନରୁ ଲୁଟ୍‌ ପାଇଁ ଯୋଜନା ଚଳାଇଥିବା ବେଳେ ପୁଲିସ ହାତରେ ଧରା ପଡ଼ିଯାଇଥିଲେ। ପଚରାଉଚରା ବେଳେ ସେମାନେ ୬ ତାରିଖ ରାତିରେ ୩ ଜଣଙ୍କ ଘରୁ ଚୋରି କରିଥିବା ମାନିଥିଲେ।