କ୍ୟାପିଟାଲ ହସ୍ପିଟାଲ: ବନ୍ଦ ହୋଇଗଲା ଦୁଇ ସୁପର୍‌ ସ୍ପେସିଆଲିଟି ବିଭାଗ

ବନ୍ଦ ହେବା ଉପରେ ନ୍ୟୁରୋଲୋଜି ବିଭାଗ, ଦୁଇ ମାସ ହେବ ଯୋଗ ଦେଉନାହାନ୍ତି ଡାକ୍ତର

ଭୁବନେଶ୍ୱର: ବନ୍ଦ ହୋଇଗଲାଣି କ୍ୟାପିଟାଲ ହସ୍ପିଟାଲର ସୁପର ସ୍ପେସାଲିଷ୍ଟ ବିଭାଗ। ଆଠଟି ସୁପର୍‌ ସ୍ପେସିଆଲିଟି ବିଭାଗ ମଧ୍ୟରୁ ୨ଟି ବିଭାଗର ଓପିଡି ଡାକ୍ତର ନ ଆସିବାରୁ ବନ୍ଦ ହୋଇଯାଇଥିବା ବେଳେ ନ୍ୟୁରୋଲୋଜି ବିଭାଗରେ ପ୍ରାୟ ବନ୍ଦ ହେବା ଉପରେ। ଗତ ସେପ୍ଟେମ୍ବରରୁ ଜଣେ ନିୟମିତ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ସେ ଯୋଗ ଦେଇନାହାନ୍ତି।

ସୂଚନା ଅନୁସା‌‌‌ରେ, କ୍ୟାପିଟାଲ ହସ୍ପିଟାଲକୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଭାବେ ପରିଣତ କରିବାକୁ ୮ ଟି ବିଭାଗ ଖୋଲାଯାଇଥିଲା। କିନ୍ତୁ ସମୟକ୍ରମେ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ଓ ନେଫ୍ରାଲୋଜି ବିଭାଗକୁ ଡାକ୍ତର ଆସୁନଥିବାରୁ ବର୍ତ୍ତମାନ ଏହି ଦୁଇ ବିଭାଗ ଓପିଡି ବନ୍ଦ ହୋଇଯାଇଛି। ନେଫ୍ରାଲୋଜି ବିଭାଗରେ ଜଣେ ନିୟମିତ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିଲା। ତାଙ୍କର ବଦଳି ହେବା ପରେ ଆଉ କେହି ତାଙ୍କ ସ୍ଥାନରେ ଆସିନାହାନ୍ତି। ସେହିଭଳି ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ବିଭାଗକୁ ପ୍ରତି ସପ୍ତାହ ଶୁକ୍ରବାର ଦିନ ଜଣେ ଡାକ୍ତର ଏସ୍‌ସିବି ହସ୍ପିଟାଲରୁ ଆସନ୍ତି। କିନ୍ତୁ କରୋନା ପରଠୁ ଡାକ୍ତର ଆଉ ଆସୁନାହାନ୍ତି। ଫଳରେ ବିଭାଗ ବନ୍ଦ ହୋଇଯାଇଛି।
ଅନ୍ୟପକ୍ଷରେ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗରେ ସବୁଠାରୁ ଅଧିକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି।

ଏଠାରେ ସପ୍ତାହକୁ ଥରେ ଅର୍ଥାତ କେବଳ ସୋମବାର ଦିନ ଡାକ୍ତର ଆସୁଛନ୍ତି ଓ ସେ ଦୈନିକ ୪୦ଜଣ ରୋଗୀଙ୍କୁ ଦେଖୁଛନ୍ତି। ତେଣୁ ଓପିଡିରେ ଦେଖାଇବା ପାଇଁ ପୂର୍ବ ଦିନରୁ ରୋଗୀଙ୍କ ଧାଡ଼ି ଲାଗୁଛି। ପଞ୍ଜୀକରଣ ଗୃହରେ ନମ୍ବର ଦେଇ ସେଇ ବାରଣ୍ଡାରେ ଶୋଇ ରହୁଥିବା ଦେଖିବାକୁ ମିଳୁଛି। କିଛି ଦିନ ତଳେ ଫୁଲବାଣୀରୁ ଆସିଥିବା ଜଣେ ରୋଗୀ ଏକ ନ୍ୟୁରୋଲୋଜି ବିଭାଗରେ ଦେଖାଇବା ପାଇଁ ଗୋଟେ ସପ୍ତାହ ପର୍ଯ୍ୟନ୍ତ ହସ୍ପିଟାଲ ବାରଣ୍ଡାରେ ରହିଥିବା ଜାଣିବାକୁ ମିଳିଥିଲା। ସୋମବାର ଦିନ ସେ ନିଜ ଦେହ ଦେଖାଇବାକୁ ଆସିଥିଲେ କିନ୍ତୁ ତାଙ୍କୁ ଟିକଟ ନ ମିଳିବାରୁ ତାଙ୍କୁ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ବିଭାଗରେ ଗତ ସେପ୍ଟେମ୍ବର ୭ରୁ ନ୍ୟୁରୋଲୋଜି ଡାକ୍ତର ସୌମ୍ୟରଂଜନ ପ୍ରଧାନଙ୍କୁ ନିଯୁକ୍ତି ଦିଆଯାଇଥିଲେ ସୁଦ୍ଧା ସେ ଯୋଗ ଦେଇନାହାନ୍ତି। ଏ ବାବଦରେ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ପଚରାଯିବାରୁ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର