ଭୁବନେଶ୍ୱର: ଶନିବାର ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ସହିଦନଗର ଥାନା ଭିତରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଉପସ୍ଥିତିରେ ବିଧା, ଗୋଇଠା ଓ ମୁଥ ମରାମରି ହୋଇଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଥାନା ପରିସରରେ ଖୋଦ୍ ପୁଲିସ ଉପସ୍ଥିତିରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ଏପରି କାଣ୍ଡ ରାସ୍ତାରେ ଯାଉଥିବା ଲୋକଙ୍କୁ ତାଜୁବ୍ କରି ଦେଇଥିଲା। ମାର୍ପିଟ୍ ଲାଗିବା ଫଳରେ ଉଭୟ ଗୋଷ୍ଠୀରୁ ୫ରୁ ଊର୍ଦ୍ଧ୍ୱ ଛାତ୍ର ଆହତ ହୋଇଥିଲେ। ଉଭୟ ଗୋଷ୍ଠୀର ଏପରି ମାର୍ପିଟ୍ ଆଗରେ ପୁଲିସ ଅସହାୟ ହୋଇପଡ଼ିଥିଲା। ଉତ୍ତ୍ୟକ୍ତ ଛାତ୍ରମାନେ ଥାନା ଗେଟ୍କୁ ବନ୍ଦ କରିଦେଇଥିଲେ। ଫଳରେ ଥାନକୁ ଅଭିଯୋଗ ପାଇଁ ଆସୁଥିବା ଲୋକମାନେ ଭିତରକୁ ପଶିବାକୁ ସାହସ କରିପାରି ନଥିଲେ। ଗେଟ୍ ବନ୍ଦ ରଖାଯାଇଥିବା ଖବର ପାଇ ଥାନା ଅଧିକାରୀ ଏସିପି କିଶୋର ମୁଣ୍ଡ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ଭିତରକୁ ପଶିବାକୁ ବିରୋଧ କରିଥିଲେ। ବୁଝାସୁଝା ପରେ ଛାତ୍ରମାନେ ଗେଟ୍ ଖୋଲିଥିଲେ। ପୁଲିସ ସୂଚନା ମୁତାବ, ଶନିବାର ଅପରାହ୍ଣ ପ୍ରାୟ ୪ଟାରେ ଗୋଟିଏ ଗୋଷ୍ଠୀର ଛାତ୍ର ଗ୍ଲାସ୍ କ୍ୟାଣ୍ଟିନ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ ପାଇଁ ଆସିଥିବା ବେଳେ ଅନ୍ୟଗୋଷ୍ଠୀର ଛାତ୍ର ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ଛାତ୍ରଗୋଷ୍ଠୀ ମଧ୍ୟରେ କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ଫଳରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଛାତ୍ର ଗୁରୁତର ଆହତ ହୋଇଥିଲେ। ଏହାପରେ ଉଭୟ ଛାତ୍ରଗୋଷ୍ଠୀ ସହିଦନଗର ଥାନାକୁ ଯାଇଥିଲେ। ଗ୍ଲାସ କ୍ୟାଣ୍ଟିନ୍ଠାରେ ମାଡ଼ଖାଇଥିବା ଛାତ୍ରଗୋଷ୍ଠୀ ଉତ୍ତ୍ୟକ୍ତ ହୋଇ ଅନ୍ୟ ଗୋଷ୍ଠୀର ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଏପରିକି ଥାନା ଭିତରେ ମଧ୍ୟ ଉଭୟ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେମାନେ ପୁଲିସ ସମ୍ମୁଖରେ ମାର୍ପିଟ୍୍ କରିବାରୁ ଟିକେ ବି ଭୟ କରି ନଥିଲେ। ଥାନା ପରିସରରେ ଏପରି ଗଣ୍ଡଗୋଳ ହେଉଥିବା ଦେଖି ଉପସ୍ଥିତ ପୁଲିସ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ। ହେଲେ ଉତ୍ତ୍ୟକ୍ତ ଛାତ୍ରମାନେ ପୁଲିସକୁ ମଧ୍ୟ ଖାତିର କରି ନଥିଲେ। ସେମାନଙ୍କ ମାଡ଼ରୁ ପୁଲିସ ମଧ୍ୟ ବର୍ତ୍ତିପାରି ନଥିଲା। ସେଠାରେ ଜଣେ ଛାତ୍ରଙ୍କ ମୁଣ୍ଡ ଫାଟିଥିବା ବେଳେ ୪ରୁ ଅଧିକ ଛାତ୍ର ଆହତ ହୋଇଥିଲେ। ଫଳରେ ଗୋଟିଏ ଗୋଷ୍ଠୀର ଛାତ୍ର ପ୍ରତିବାଦରେ ଥାନା ଗେଟ୍କୁ ବନ୍ଦ କରି ତଳେ ବସି ରହିଥିଲେ। ଖବର ପାଇ ଥାନା ଅଧିକାରୀ ଶ୍ରୀ ମୁଣ୍ଡ ଥାନାରେ ପହଞ୍ଚିଥିଲେ ମଧ୍ୟ ଛାତ୍ରମାନେ ଥାନା ଅଧିକାରୀଙ୍କୁ ସହଜରେ ଭିତରକୁ ପଶିବାକୁ ଦେଇ ନଥିଲେ। କିଛି ସମୟ ଯୁକ୍ତି ତର୍କ ପରେ ଛାତ୍ରମାନେ ଗେଟ୍ ଖୋଲିଥିଲେ। ଏନେଇ ପୁଲିସ ଉଭୟ ପକ୍ଷରୁ ଅଭିଯୋଗ ପାଇବା ପରେ ୩ରୁ ଅଧିକ ମାମଲା ରୁଜୁ କରିଛି। ମାମଲା ରୁଜୁ ପରେ ପୁଲିସ କେତେକ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାର ସମସ୍ତ ଦୃଶ୍ୟ ଥାନାରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଛି। ପୁଲିସ ଘଟଣାର ତଦନ୍ତ ପାଇଁ ସିସିିଟିଭି ଫୁଟେଜ୍ ଯାଞ୍ଚ କରୁଛି।
ସନ୍ଧ୍ୟାରେ ପୁଣି ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୋଟିଏ ଗୋଷ୍ଠୀର ଛାତ୍ରମାନେ ବାଣୀବିହାରର ପୂର୍ବତନ ଛାତ୍ର ସଂସଦ ସଭାପତିଙ୍କୁ ଆକ୍ରମଣ କରିଥିଲେ। ପ୍ରତିବାଦରେ ପୂର୍ବତନ ଛାତ୍ର ସଭାପତିଙ୍କ ସମର୍ଥକମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଫଳରେ ୨୦୧୭ାରେ ଛାତ୍ର ସଭାପତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଛାତ୍ର ଜଣଙ୍କ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏତିକିରେ ଥମି ନଥିଲା ଉତ୍ତେଜନା। ବିଳମ୍ବିତ ରାତିରେ ମଧ୍ୟ ବିଶ୍ୱବିଦ୍ୟାଳୟ ପରିସରରେ ଗଣ୍ଡଗୋଳ ଜାରି ରହିଥିଲା। ରାତି ପ୍ରାୟ ୧୧ଟା ୩୦ ମିନିଟ୍ରେ ବିଶ୍ୱବିଦ୍ୟାଳୟ ଛାତ୍ରବାସର ଏକ ରୁମ୍ରେ ଭଙ୍ଗାରୁଜା ହୋଇଥିବା ଖବର ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାରୁ କ୍ୟାମ୍ପସରେ ଏକ ପ୍ଲାଟୁନ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/m3-2.jpg)