ଚନ୍ଦ୍ରଶେଖରପୁର: ମୋ’ ବସ୍ରୁ ଯାତ୍ରୀଙ୍କ ମୋବାଇଲ ଓ ପର୍ସ ଚୋରି କରୁଥିବା ଏକ ଗ୍ୟାଙ୍ଗ୍ର ଦୁଇ ମୁଖ୍ୟଙ୍କୁ ଆଜି ଇନ୍ଫୋସିଟି ଥାନା ପୁଲିସ୍ ଗିରଫ କରିଛି। ସେମାନେ ହେଲେ ସାଲିଆସାହିର ଏସ୍ ପ୍ରକାଶ (୫୦) ଓ ରବି ସାହୁ (୫୫)। ପୁଲିସ ସେମାନଙ୍କଠାରୁ କିଛି ପର୍ସ ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରିଛି। ଏହି ଗ୍ୟାଙ୍ଗ୍ରେ ପାଖାପାଖି ୨୦ ଯୁବକ ଯୁବତୀ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି। ତେଣୁ ସେମାନଙ୍କୁ ଧରିବାକୁ ପୁଲିସ ଛାନ୍ଭିନ ଚଳାଇଛି।
ପୁଲିସ ସୂଚନାନୁସାରେ ପ୍ରକାଶ ଓ ରବି ପ୍ରାୟ ସବୁଦିନ ଶିଖରଚଣ୍ଡୀ ଅଞ୍ଚଳରୁ ମୋ’ ବସ୍ରେ ଖଣ୍ଡଗିରି କିମ୍ବା ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥା’ନ୍ତି। ବିଶେଷକରି ଭିଡ଼ ଥିବା ମୋ’ ବସ୍କୁ ସେମାନେ ଟାର୍ଗେଟ୍ କରିଥାଆନ୍ତି। ଭିଡ଼ ଭିତରେ ଯାତ୍ରୀଙ୍କ ଅନ୍ୟମନସ୍କତାର ସୁଯୋଗ ଦେଖି ମୋବାଇଲ୍ ଫୋନ୍ ଓ ପର୍ସ ଚୋରି କରନ୍ତି। ତେବେ ଯିଏ ଯାତ୍ରୀଙ୍କ ପକେଟ୍ରୁ ଜିନିଷପତ୍ର ବାହର କରେ, ତୁରନ୍ତ ସେ ସହଯୋଗୀକୁ ହସ୍ତାନ୍ତର କରିଦିଏ। ପରବର୍ତ୍ତୀ ବସ୍ ରହଣିସ୍ଥଳରେ ସେମାନେ ଓହ୍ଲାଇପଡ଼ନ୍ତି। ଏଣେ ବସ୍ ଭିତରେ ଅସମ୍ଭାଳ ଭିଡ଼ ଯୋଗୁଁ ଏହି ଚୋରିର ଦୃଶ୍ୟ ସିସିଟିଭିରେ କଏଦ ହେଲେ ମଧ୍ୟ ଭଲରେ ଜଣାପଡ଼େନାହିଁ।
ତେବେ ଗତକାଲି ପଟିଆ ଛକରେ ଜଣେ ଇଂଜିନିୟରିଂ ଛାତ୍ର ଏମାନଙ୍କୁ କାବୁ କରି ଇନ୍ଫୋସିଟି ଥାନା ପୁଲିସ୍ ଜିମାଦେଇଥିଲା। ଉକ୍ତ ଛାତ୍ରଙ୍କ ପକେଟ୍ରୁ ଅଭିଯୁକ୍ତ ରବି ମୋବାଇଲ୍ ବାହାର କଲାବେଳେ ସେ ତା’ ହାତକୁ ଧରିପକାଇଥିଲେ। ଏତିକିବେଳେ ପ୍ରକାଶ ରବି ସମର୍ଥନରେ ବାହାରିବାରୁ ବସ୍ଯାତ୍ରୀମାନେ ତାକୁ ବି ସନ୍ଦେହ କରି କାବୁ କରିନେଇଥିଲେ। ବହେ ଛେଚା ଖାଇବା ପରେ ରବି ଓ ପ୍ରକାଶ ମିଶି ଏଭଳି କାଣ୍ଡ କରୁଥିବା ମାନିଥିଲେ। ପରେ ଯାତ୍ରୀମାନେ ଦୁଇଜଣଙ୍କୁ ପୁଲିସ ଜିମା ଦେଇଥିଲେ।