ପୁରୁଣା ଭୁବନେଶ୍ବର: ଗୋଟିଏ ‌ଟ୍ରାକ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇଟି ଯାତ୍ରୀବାହୀ ଟ୍ରେନ୍‌। ପରସ୍ପରଠାରୁ ପାଖାପାଖି ୧୦୦ ମିଟର ଦୂରତାକୁ ଆସି ଅଟକି ଯାଇଥିଲେ। ତେବେ ଏହା ଜାଣିବା କ୍ଷଣି ଉଭୟ ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଦୁର୍ଘଟଣା ଆଶଙ୍କାରେ ଓହ୍ଲାଇ ପଡ଼ିଥିଲେ। ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। କେବଳ ଯାତ୍ରୀ ନୁହନ୍ତି, ଖବର ପ୍ରଚାର ହେବାପରେ ଆଖପାଖ ଅଞ୍ଚଳର ଲୋକେ ମଧ୍ୟ ସେଠାକୁ ଧାଇଁଥିଲେ। ଯାତ୍ରୀମାନେ ଟ୍ରେନ୍‌ରୁ ତ ଓହ୍ଲାଇ ପଡ଼ିଥିଲେ, ତେବେ ତଳେ ଫଟୋ ଓ ଭିଡିଓ ଉଠାଉଥିବା ଦେଖିବାକୁ ମିଳିଥିଲା। ଲିଙ୍ଗରାଜ ରେଲୱେ ଷ୍ଟେସନ୍‌ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଓ ଜଳେଶ୍ବର-ପୁରୀ ମେମୁ ମୁହାଁମୁହିଁ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ତେବେ ମେମୁ ଟ୍ରେନ୍‌ର ଉଭୟ ପାର୍ଶ୍ବରେ ଇଞ୍ଜିନ ରହିଥିବାରୁ ସେ ପଛକୁ ଚାଲିଯିବାରୁ ସ୍ଥିତି ସ୍ବାଭାବିକ ହୋଇଥିଲା।

Advertisment

ଏ ଘଟଣାରେ ରେଳ ବିଭାଗ ପକ୍ଷରୁ କୁହାଯାଇଛି, ସେଠାରେ କୌଣସି ଦୁର୍ଘଟଣା ଘଟିବାର କୌଣସି ଆଶଙ୍କା ନଥିଲା। ଆବଶ୍ୟକତା ଦୃଷ୍ଟିରୁ ଟ୍ରେନ୍‌ ଦୁଇଟିକୁ ସେହିଭଳି ଭାବେ ସଚେତନ ଭାବେ ପରିଚାଳନା କରା ଯାଇଥିଲା। ଖୋର୍ଦ୍ଧାଠୁ କଟକ ନିର୍‌ଗୁଣ୍ଡି ପର୍ଯ୍ୟନ୍ତ ସ୍ବୟଂଚାଳିତ ସଙ୍କେତ ବ୍ୟବସ୍ଥା ରହିଛି। ବର୍ତ୍ତମାନ ବିଭିନ୍ନ ରେଳ ସେକ୍ସନରେ ଟ୍ରେନ୍‌ ଯାତାୟାତର ବିଶେଷ ସୁବିଧା ପାଇଁ ଅଟୋମେଟିକ୍ ସିଗନାଲ୍ ସିଷ୍ଟମ(ସ୍ୱୟଂଚାଳିତ ସଙ୍କେତ ପ୍ରଣାଳୀ) ବ୍ୟବହାର କରାଯାଉଛି। ଯେତେବେଳେ ଗୋଟିଏ ଟ୍ରେନ୍ ଏକ ସ୍ବୟଂଚାଳିତ ରହଣି ସିଗ୍‌ନାଲ୍‌ ନିକଟକୁ ଆସେ, ସେତେବେଳେ ଡ୍ରାଇଭରଙ୍କୁ ସିଗନାଲ୍‌ରେ ଥିବା ସଙ୍କେତ ଅନୁଯାୟୀ ଟ୍ରେନ୍‌ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥାଏ। ସ୍ୱୟଂଚାଳିତ ସଙ୍କେତ ପ୍ରଣାଳୀରେ କାର୍ଯ୍ୟ କରୁଥିବା ଟ୍ରେନ୍‌ଗୁଡ଼ିକର ଚାଳକମାନେ ଅନୁମତିପ୍ରାପ୍ତ ବେଗ ଓ କଡ଼ା ସୁରକ୍ଷା ସହ ଗତି କରିଥାନ୍ତି। ଏଥିପାଇଁ ଭୟ କରିବାର କିଛି କାରଣ ନାହିଁ।