ଜୟଦେବ ପୀଠରୁ ୨ ପାଣି ମଟର ଲୁଟ୍‌, ଔଷଧୀୟ ବଗିଚାକୁ ଜଳଯୋଗାଣ ବନ୍ଦ

ବାଲିଅନ୍ତା: ଗତରାତିରେ ବାଲିଅନ୍ତା‌ ଜୟଦେବ ପୀଠରୁ ୩ ଏଚ୍‌ପି କ୍ଷମତା ବିଶିଷ୍ଟ ୨ଟି ପାଣି ମଟର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନ ପୂର୍ବେ ବୁନ୍ଦା ଜଳସେଚନ ପମ୍ପ ଲୁଟ୍‌ ହୋଇଥିଲା। ଏବେ ପୁଣି ଦୁଇ ଦୁଇଟି ମଟର ଚୋରି ହୋଇଛି। ଏଥିସହ ପୀଠ ପରିସରସ୍ଥିତ ବଗିଚାରେ ବିଛା ଯାଇଥିବା ଲକ୍ଷାଧିକ ଟଙ୍କାର ପାଇପଗୁଡ଼ିକୁ ଖଣ୍ଡ ଖଣ୍ଡ କରି କାଟି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ତେଣୁ ଏବେ ଔଷଧୀୟ ବଗିଚାକୁ ଜଳଯୋଗାଣ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ତେଣୁ ଖରା ଦିନ ଶେଷ ହୋଇନଥିବାରୁ ଜଳଯୋଗାଣ ବିନା ବହୁ ମୂଲ୍ୟର ଔଷଧୀୟ ବୃକ୍ଷଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି। ବର୍ଷା ଦିନ ଆସିବାକୁ ଆହୁରି କିଛି ଦିନ ଥିବାରୁ ଜଳଯୋଗାଣ ଅବ୍ୟାହତ ରହିବା ପାଇଁ ତୁରନ୍ତ ନୂଆ ମଟର ଲଗାଯିବା ସହ ପାଇପ୍ ମରାମତି କରାଇବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏହି ‌ଚୋରି ବାବଦରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ଦୁର୍ବୃତ୍ତମାନଙ୍କ ଟେର୍ ପାଇନାହିଁ।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏଠାରେ ସୁରକ୍ଷାକର୍ମୀ ଏବଂ ପର୍ଯ୍ୟଟନ ବିଭାଗର ୭ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ତଥାପି ପୀଠରୁ ଚୋରି ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଲୁଟ୍‌ ଘଟଣା ସଂପର୍କରେ ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ଅନେକ ଥର ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟର ସଂପାଦକ ପ୍ରଫୁଲ୍ଲ ତ୍ରିପାଠୀଙ୍କ ଅଭି‌ଯୋଗ ଅନୁସାରେ, ୨୦୦୫/୦୬ ଆର୍ଥିକ ବର୍ଷରେ କମିସନରେଟ ପୁଲିସ ପକ୍ଷରୁ ଏଠାରେ ଏକ ଫାଣ୍ଡି ଖୋଲିଥିଲା। ହେଲେ ପରବର୍ତ୍ତୀ ସମୟରେ ଏଠାରୁ ଫାଣ୍ଡି ଅଧିକାରୀ ଏବଂ ପୁଲିସ କର୍ମଚାରୀଙ୍କୁ ଅପସାରଣ କରି ନିଆଯାଇଥିଲା। ଏବେ ମାତ୍ର ଦୁଇଜଣ ଗୃହରକ୍ଷୀ ଜଗି ବସିଛନ୍ତି। ତେଣୁ ଜୟଦେବ ପୀଠ ଭଳି ଏକ ପର୍ଯ୍ୟଟନ‌ସ୍ଥଳୀକୁ ସୁରକ୍ଷା ଦେବା ପାଇଁ କମିସନରେଟ୍‌ ପୁଲିସର ଆନ୍ତରିକତା ନାହିଁ ବୋଲି ସେ ପରୋକ୍ଷରେ ସୂଚାଇ ଦେଇଥିଲେ। ଏହା ଏକ ଆନ୍ତର୍ଜାତୀୟସ୍ତରର ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ନିହାତି ଦରକାର। ତେଣୁ ଏକ ପର୍ଯ୍ୟଟନ ପୁଲିସ ସେଲ୍‌ ପ୍ରତିଷ୍ଠା ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ଏବେ ମଟର ଚୋରି ଓ ପାଣି ପାଇପ୍‌ କଟା ହୋଇ ଯାଇଥିବାରୁ ପ୍ରଥମେ ଔଷଧୀୟ ବଗିଚାର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଜରୁରି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର