କୁଆଖାଇରେ ବୁଡ଼ିଗଲେ ୨ ଯୁବ ଇଞ୍ଜିନିୟର୍‌

ବାଲିଅନ୍ତା / ବାଲିଅନ୍ତା ବଜାର : ଶନିବାର ଅପରାହ୍ଣରେ କୁଆଖାଇରେ ବୁଡ଼ି ଦୁଇ ଯୁବ ଇଞ୍ଜିନିୟର୍‌ଙ୍କ ମୃତ୍ୟୁ ଘଟିଛି। ସତ୍ୟଭାମାପୁର ଇନ୍ଦ୍ରପାଳସ୍ଥିତ କୁଆଖାଇ ଘାଟରେ ଏହି ହୃଦୟବିଦାରକ ଅଘଟଣ ଘଟିଛି। ମୃତକମାନେ ହେଲେ ତମାଣ୍ଡୋ ଥାନା ଅଞ୍ଚଳରେ ରହୁଥିବା ସ୍ମୃତି ସୌରଭ ପ୍ରଧାନ(୨୩) ଓ ଅନୁଗୁଳ ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳର ସତ୍ୟଜିତ ଦାସ। ସୌଭାଗ୍ୟକୁ ଏହି ଅଘଟଣରୁ ଅନ୍ୟ ଦୁଇ ଇଞ୍ଜିନିୟର୍‌ ସୌମ୍ୟରଞ୍ଜନ ଲେଙ୍କା ଓ ରୁଦ୍ର ନାରାୟଣ ଭୂୟାଁ ବଞ୍ଚିଯାଇଛନ୍ତି। ଅଗ୍ନିଶମ ବାହିନୀ ମୃତଦେହ ଦ୍ବୟକୁ ଗଭୀର ଜଳରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଛି।

ସୂଚନାନୁସାରେ ଚାରି ବନ୍ଧୁ ଏକାଠି ନଦୀପଠାରେ ପହଞ୍ଚି ଗାଧୋଇବାକୁ ପାଣିରେ ପଶିଥିଲେ। ସତ୍ୟଜିତ ଗଭୀର ଜଳକୁ ଖସି ଯାଇ ଭାସି ଯାଉଥିବା ବେଳେ ସ୍ମୃତିସୌରଭ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ‌ସତ୍ୟଜିତ୍‌ଙ୍କୁ ଉଦ୍ଧାର କରିବା ବଦଳରେ ସ୍ମୃତିସୌରଭ ମଧ୍ୟ ପ୍ରଖର ସ୍ରୋତରେ ଭାସିଯିବା ସହ ବୁଡ଼ି ଯାଇଥିଲେ। ସେମାନେ ବୁଡ଼ି ଯାଉଥିବା ଦେଖି ସୌମ୍ୟ ରଞ୍ଜନ ଓ ରୁଦ୍ର ସେମାନଙ୍କୁ ଉଦ୍ଧାର କରିବାକୁ ହାତ ବଢ଼ାଇଥିଲେ। କିନ୍ତୁ ସୌମ୍ୟରଞ୍ଜନ ବୁଡ଼ିଯିବା ଦେଖି ରୁଦ୍ର ପ୍ରଥମେ ତାଙ୍କୁ ଟାଣି ଆଣିଥିଲେ। ‌ସୌମ୍ୟଙ୍କୁ ଉପରେ ଛାଡ଼ି ସାରି ରୁଦ୍ର ଅନ୍ୟ ଦୁଇ ବନ୍ଧୁଙ୍କୁ ଖୋଜିଥିଲେ ବି ଆଉ ପାଇନଥିଲେ। ତେଣୁ ଦୁଇ ବନ୍ଧୁ ପାଟି କରି ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ। ପାଟିଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ହେଁ ଦୁଇଜଣଙ୍କର ପତ୍ତା ମିଳିନଥିଲା। ଏହା ଭିତରେ ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା ଏବଂ ପାଣି ଭିତରୁ ସ୍ମୃତି ସୌରଭଙ୍କୁ ଉଦ୍ଧାର କରାଯାଇଥିଲା। ବଞ୍ଚିଥିବା ଭାବି ତୁରନ୍ତ ସ୍ମୃତିସୌରଭଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆ ଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିଛି ସମୟ ପରେ ସତ୍ୟଜିତଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ସୂଚନାଯୋଗ୍ୟ ଯେ ଏହି ୪ ବନ୍ଧୁ ଗୀତା ଇଂଜିନିୟରିଂ କଲେଜରୁ ୨୦୨୧ ମସିହାରେ ବିଟେକ୍‌ ପାସ କରିଥିଲେ। ପରେ ସମସ୍ତେ ବିଭିନ୍ନ କମ୍ପାନିରେ ଚାକିରି କରିଥିଲେ। ସତ୍ୟଜିତ୍‌ ମୁମ୍ବାଇରେ ଏକ ଆଇଟି କମ୍ପାନିରେ ଚାକିରି କରୁଥିବା ବେଳେ ସ୍ମୃତି ସୌରଭ ପୁଣେରେ ଆମାଜନରେ ଚାକିରି କରିଥିଲେ। ଖରାଛୁଟିରେ ସମସ୍ତେ ଓଡ଼ିଶା ଆସିଥିଲେ। ଶନିବାର ସକାଳେ ଭୁବନେଶ୍ବରରେ ଏକାଠି ହୋଇଥିଲେ। ସେମାନେ ଦୁଇଟି ବାଇକ୍‌ରେ ଇନ୍ଦ୍ରପାଳ ଘାଟକୁ ଗାଧୋଇବାକୁ ଆସିଥିଲେ।

ସମ୍ବନ୍ଧିତ ଖବର