୨୦ ଏକର ସରକାରୀ ଜମି ହଡ଼ପ, ବାରଙ୍ଗ ତହସିଲ ସମ୍ମୁଖରେ ବିକ୍ଷୋଭ

ତ୍ରିଶୂଳିଆ/ବାରଙ୍ଗ: ହଡ଼ପ ହୋଇଥିବା ସରକାରୀ ଜମିକୁ ପୁଣି ସରକାରୀ ଖାତାକୁ ଫେରାଇ ଆଣିବା ଦାବିରେ ଆଜି ମୁଣ୍ଡଳୀ ପଞ୍ଚାୟତ ଜମି ଅଧିକାର ମଞ୍ଚ ତରଫରୁ ବାରଙ୍ଗ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସରକାରୀ ଜମି ହଡ଼ପ କରିଥିବା ଜନୈକ ମହିଳାଙ୍କ ପାଖରୁ ୫୪ ଏକର ଜମି ସରକାରୀ ଖାତାକୁ ଫେରସ୍ତ ହୋଇଥିଲେ ମଧ୍ୟ ମୋଟ୍‌ ୭୪ଏକରରୁ ଆହୁରି ୨୦ଏକର ଜମି ରହିଯାଇଥିବା ଅଭିଯୋଗ କରି ବିକ୍ଷୋଭକାରୀମାନେ ଧାରଣାରେ ବସିଥିଲେ। ଉକ୍ତ ୨୦ ଏକର ଜମିକୁ ହଡ଼ପ କରିଥିବା ମହିଳା ଏବେ ବିକ୍ରି କରୁଥିବାରୁ ବିକ୍ଷୋଭକାରୀମାନେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ତୁରନ୍ତ ଉକ୍ତ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ଦାବି କରିଥିଲେ।

ସୂଚନାଯୋଗ୍ୟ, ସାଲେପୁର ଅଞ୍ଚଳର ଶାନ୍ତି ମିଶ୍ର ନାମକ ଜଣେ ମହିଳାଙ୍କ ନାମରେ ଗତ ବନ୍ଦୋବସ୍ତ ସମୟରୁ ୭୪ ଏକର ଜମି ପଟା ହୋଇଯାଇଛି। ମୁଣ୍ଡଳୀ ପଞ୍ଚାୟତର ମୁଣ୍ଡଳୀ, ଚକ୍ରଧରପୁର ଓ ଗୋବିନ୍ଦପୁର ଛକ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ପ୍ରାୟ ୭୪ ଏକର ସରକାରୀ ଜମି ତାଙ୍କ ନାମରେ ରେକର୍ଡ ହୋଇଛି। ଜାଲିଆତି କରି କିଛି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସେତେବେଳେ ଏହି ସରକାରୀ ଜମିକୁ ତାଙ୍କ ନାମରେ ରେକର୍ଡ କରାଇଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଦୀର୍ଘ ବର୍ଷ ହେଲା ଅଭିଯୋଗ କରିଆସୁଛନ୍ତି। ପ୍ରାୟ ୧୦ ବର୍ଷ ହେଲା ସ୍ଥାନୀୟ ଲୋକେ ଏହା ବିରୋଧରେ ସଂଗ୍ରାମ କରି ଆସୁଛନ୍ତି। ତେଣୁ ୨୦୧୮ ମସିହାରେ ତତ୍କାଳୀନ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଏହି ବିବାଦୀୟ ଜମି ବାବଦରେ ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ କରିଥିଲେ। କିନ୍ତୁ ତତ୍କାଳୀନ ତହସିଲଦାର ଗୋବିନ୍ଦପୁର ମୌଜାସ୍ଥିତ ପ୍ରାୟ ୨୦ଏକର ଜମି ବାବଦରେ ଉକ୍ତ କମିଟିକୁ କୌଣସି ତଥ୍ୟ ଦେଇ ନଥିଲେ। ଫଳରେ ମୁଣ୍ଡଳୀ ମୌଜାର ୫୪ ଏକର ଜମି ସରକାରୀ ଖାତାକୁ ଫେରାଇ ଆଣାଯାଇଥିବା ବେଳେ ଗୋବିନ୍ଦପୁର ଓ ଚକ୍ରଧରପୁର ମୌଜାସ୍ଥିତ ୨୦ ଏକର ଜମି ସେମିତି ଶାନ୍ତି ମିଶ୍ରଙ୍କ ନାମରେ ରହିଗଲା। ଏବେ ସେ ଉକ୍ତ ଜମିକୁ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି ବୋଲି ଧାରଣାରେ ବସିଥିବା ଲୋକେ କହିଛନ୍ତି। ବଡ଼ କଥା ହେଉଛି, ଶାନ୍ତି ମିଶ୍ରଙ୍କ ଭଳି ଆହୁରି ଅନେକ ପ୍ରଭାବଶାଳୀ ଲୋକଙ୍କ ନାମରେ ମଧ୍ୟ ସରକାରୀ ଜମି ‌ରେକର୍ଡ କରାଯାଇଛି। ବାରଙ୍ଗର ଜଣେ ପୂର୍ବତନ ତହସିଲଦାର ପତ୍ନୀଙ୍କ ନାମରେ ଏଭଳି ମୂଲ୍ୟବାନ ସରକାରୀ ଜମି ରେକର୍ଡ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗୋବିନ୍ଦପୁର ଓ ଚକ୍ରଧରପୁର ମୌଜାରେ ଶବର ଓ ମୁଣ୍ଡା ସମ୍ପ୍ରଦାୟର ବହୁ ଭୂମିହୀନ ଲୋକ ଅଛନ୍ତି। ସେମାନଙ୍କ ଗ୍ରାମ୍ୟ ଜଙ୍ଗଲ, ଅନାବାଦୀ, ଆବାଦଯୋଗ୍ୟ ଅନାବାଦୀ, ସରକାରୀ ସ୍କୁଲ, ଖେଳପଡ଼ିଆ, ଗୋଚର କିସମର ଜମି ହଡ଼ପ କରି ନିଆଯାଇଛି। ତେଣୁ ସରକାରୀ ଜମି ହଡ଼ପ ହୋଇଥିବା ବେଆଇନ କାର୍ଯ୍ୟର ସମୀକ୍ଷା କରାଯିବା ସହ ଜମି ହଡ଼ପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ସ୍ଥାନୀୟ ଲୋ‌କେ ଧାରଣା ଦେଇଥିଲେ। ଏହି ଆନ୍ଦୋଳନକୁ ସମର୍ଥନ କରି ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ଶ୍ରୀକାନ୍ତ ଜେନା, ପୂର୍ବତନ ସରପଞ୍ଚ ରବି ପ୍ରସାଦ ବେହେରା, ସମିତି ସଭ୍ୟ ଦେବାଶିଷ ରାଉତ, ପୁଷ୍ପା ଦାଶ, ଜମି ଅଧିକାର ମଞ୍ଚ ତରଫରୁ ଯଦୁମଣି ପାଢ଼ୀ, କେଦାର ସାହୁ ଓ ପଞ୍ଚାୟତର ବହୁ ୱାର୍ଡ ସଭ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ସିପିଆଇଏମ୍‌ ଜିଲ୍ଲା ସମ୍ପାଦକ ବଦ୍ରି ନାରାୟଣ ଦାସଙ୍କ ନେତୃତରେ ଏକ ପ୍ରତିନିଧିମଣ୍ଡଳୀ ତହସିଲଦାରଙ୍କୁ ଭେଟି ତୁରନ୍ତ ୨୦ ଏକର ଜମିକୁ ଫେରାଇ ଆଣିବା ପାଇଁ ଏକ ଦାବିପତ୍ର ଦେଇଥିଲେ।

ସମ୍ବନ୍ଧିତ ଖବର