ରାଜଧାନୀରେ ଉତ୍ପାତ କଲେଣି ଚୋର, ଦୁଇ ଦିନରେ ୨୦ ‌‌ଚୋରି

କ୍ୟାପିଟାଲ ଥାନା ଅଞ୍ଚଳରେ ସର୍ବାଧିକ, ଡାକ୍ତରାଣୀଙ୍କ ଘରେ କଳାକନା ବୁଲାଇଲେ

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଚୋରଦଳ। ଛକ ଛକରେ ପୁଲିସର ଜଗିଥିଲେ ବି ଖାତିର କରୁ ନାହାନ୍ତି। ଦୁର୍ବଳ ପାଟ୍ରୋଲିଂ, ପୁଲିସର ଅନୁପସ୍ଥିତିର ସୁଯୋଗ ନେଇ ଘରେ କଳାକନା ବୁଲାଉଛନ୍ତି। ଗତ ଦୁଇ ଦିନରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ପ୍ରାୟ ୨୦ଟି ଚୋରି ଓ ସିନ୍ଧିଚୋରି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ସେଥିମଧ୍ୟରୁ କ୍ୟାପିଟାଲ ଥାନା ଅଞ୍ଚଳରୁ ସର୍ବାଧିକ ୩ଟି ଚୋରିର ରିପୋର୍ଟ ହୋଇଥିବା ବେଳେ ଭରତପୁର ଥାନା ଅଞ୍ଚଳରୁ ଦୁଇଟି ଚୋରି ଓ ଗୋଟିଏ ଲୁଟ୍ ଘଟଣା ଘଟିଛି। ଦୁଇ ଦିନରେ ଏତେ ଚୋରି ଘଟଣା ସାମ୍ନାକୁ ଆସିବା ପରେ କମିସନରେଟ ପୁଲିସର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତ ୨୬ ଓ ୨୭ ତାରିଖ ସଟ୍‌ଡାଉନ୍ ସମୟରେ ରାଜଧାନୀରେ ଚୋରଙ୍କ ଉତ୍ପାତ ଅଧିକ ଦେଖିବାକୁ ମିଳିଛି। କ୍ୟାପିଟାଲ ଥାନା ଅଞ୍ଚଳରେ ସରକାରୀ କ୍ବାର୍ଟର୍ସରେ ରହୁଥିବା ଜଣେ ମହିଳା ଡାକ୍ତରାଣୀ କଲ୍ୟାଣୀ ମିଶ୍ରଙ୍କ ଘରେ ଦୁର୍ବୃତ୍ତ ପଶି କଳାକନା ବୁଲାଇଛନ୍ତି। ଏ ନେଇ କ୍ୟାପିଟାଲ ଥାନାରେ ରିପୋର୍ଟ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି। କିନ୍ତୁ ଚୋର ଏଯାଏ ଧରାପଡ଼ି ନାହାନ୍ତି। ସେହିପରି ଗୌତମ ରାଉତ ଓ ପ୍ରଶାନ୍ତ କୁମାର ସାହୁ ନାମକ ଦୁଇଜଣ ବ୍ୟକ୍ତି ମଧ୍ୟ ଚୋରିର ଶିକାର ହୋଇଥିବା ଜଣାପଡ଼ିଛି। ଏ ନେଇ ସେମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଭରତପୁର ଅଞ୍ଚଳରେ ମଧ୍ୟ ଏକାଧିକ ଲୁଟ୍ ଓ ଚୋରି ଘଟଣା ଘଟିଛି। ସେହିପରି ଚନ୍ଦକା, ଖଣ୍ଡଗିରି, ଖାରବେଳନଗର, ଶ୍ରୀଲିଙ୍ଗରାଜ, ମଞ୍ଚେଶ୍ବର, ସହିଦନଗର ଅଞ୍ଚଳରେ ଦୁର୍ବୃତ୍ତ ଚୋରି କରି ଆତଙ୍କ ଖେଳାଇଛନ୍ତି। ଅନ୍ୟପକ୍ଷରେ ଖଣ୍ଡଗିରି, ଭରତପୁର, ଚନ୍ଦ୍ରଶେଖରପୁର ଥାନାର କେତେକ ମାମଲାରେ ପୁଲିସ ହାତରେ ଅଭିଯୁକ୍ତ ଧରାପଡ଼ିଛନ୍ତି।

ସମ୍ବନ୍ଧିତ ଖବର