ଭୁବନେଶ୍ବର: ଗୋଟିଏ ପରେ ଗୋଟିଏ ସଂଗ୍ରହାଳୟ ଖୋଲୁଥିଲା ଭୁବନେଶ୍ବରରେ। ସହରର ବିଭିନ୍ନ କୋଣରେ ଖୋଲିଥିବା ଚାରିଟି ସଂଗ୍ରହାଳୟ ସହରର ବୌଦ୍ଧିକ ବିକାଶ ତଥା ସମୃଦ୍ଧ ଅତୀତର ମୂକସାକ୍ଷୀ ପାଲଟିଥିଲେ। ରାଜଧାନୀର ପର୍ଯ୍ୟଟନ ଦୃଷ୍ଟିକୋଣରୁ ସବୁ ସଂଗ୍ରହାଳୟର ଗୁରୁତ୍ବ ବି ଢେର୍ ଅଧିକ। କିନ୍ତୁ ‘ଫନି’ର କିଛି ଘଣ୍ଟାର ପ୍ରକୋପ ‘ସଂଗ୍ରହାଳୟର ସହର’ ଭାବେ ପରିଗଣିତ ହେବାକୁ ଯାଉଥିବା ଭୁବନେଶ୍ବରକୁ ଶକ୍ତ ଧକ୍କା ଦେଇଛି। ସବୁ ସଂଗ୍ରହାଳୟକୁ ଯେମିତି ଉଜାଡ଼ି ଦେଇଛି ଫନି। ସଂଗ୍ରହାଳୟଗୁଡ଼ିକର ଏକ ମୁଖ୍ୟ ଆକର୍ଷଣ ସାଜିଥିବା ଏହାର ସୌନ୍ଦର୍ଯ୍ୟ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ, କ୍ଷତିର ପରିମାଣ ପାଖାପାଖି ୨୦ କୋଟି ଟଙ୍କା।
Sambad is now on WhatsApp
Join and get latest news updates delivered to you via WhatsApp
ସମସ୍ତ ସଂଗ୍ରହାଳୟର ଡେକୋରେଟିଭ୍ ଗାର୍ଡେନ, ଲନ୍ ଆଦି ଛାରଖାର ହୋଇଯାଇଥିବା ବେଳେ ଲନ୍ ଲାଇଟ୍, ଷ୍ଟ୍ରିଟ୍ ଲାଇଟ୍ ଆଦି ବହୁ ସଂଖ୍ୟାରେ ଭାଙ୍ଗି ଯାଇଛି। ଏହାଛଡ଼ା ସମସ୍ତ ସଂଗ୍ରହାଳୟର ନାମଫଳକ ଭାଙ୍ଗି ଉଡ଼ି ଯାଇଥିବାରୁ ନୂଆ ଲୋକଙ୍କ ପାଇଁ ସଂଗ୍ରହାଳୟ ଚିହ୍ନିବା ବି କଷ୍ଟ ହୋଇଯାଉଛି। ତେବେ ଯଥାସମ୍ଭବ ସଂଗ୍ରହାଳୟଗୁଡ଼ିକୁ ପୂର୍ବସ୍ଥିତିକୁ ନେଇ ଆସିବାକୁ ଅଣ୍ଟା ଭିଡ଼ିଛନ୍ତି କର୍ତ୍ତୃପକ୍ଷ। କ୍ଷତବିକ୍ଷତ ଅବସ୍ଥାରେ ଥିଲେ ବି ତିନିଟି ସଂଗ୍ରହାଳୟ ଦର୍ଶକଙ୍କ ପାଇଁ ଖୋଲା ଯାଇଛି। ଆଚାର୍ଯ୍ୟ ବିହାରସ୍ଥିତ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ, ସିଆର୍ପି ଛକସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରହାଳୟ ଏବଂ ଗଣ୍ଡମୁଣ୍ଡାସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି) ଖୋଲିଛି। କଳ୍ପନା ଛକସ୍ଥିତ ରାଜ୍ୟ ସଂଗ୍ରହାଳୟ ୧୫ ତାରିଖରେ ଖୋଲିବାକୁ ଥିଲେ ମଧ୍ୟ ତାହା ୨୪ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି।
ଓଡ଼ିଶାର ଗୌରବ କୁହାଯାଉଥିବା ଓ ସର୍ବାଧିକ ଲୋକପ୍ରିୟ ସଂଗ୍ରହାଳୟ ଭାବେ ଗଣାଯାଉଥିବା କଳ୍ପନା ଛକସ୍ଥିତ ‘ଓଡ଼ିଶା ରାଜ୍ୟ ସଂଗ୍ରହାଳୟ’ରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ, ଏହି ସଂଗ୍ରହାଳୟ ସହ ଏହା ଅଧୀନରେ ଥିବା ଆଉ ୧୨ଟି ସଂଗ୍ରହାଳୟର ମୋଟ କ୍ଷତିର ପରିମାଣ ୧୫କୋଟି ଟଙ୍କା ରହିଛି। ଏହାର ସମ୍ମିଳନୀ କକ୍ଷ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ସମସ୍ତ ସ୍ଲାଇଡିଂ ଡୋର୍, ଲନ୍ ଲାଇଟ୍, ଷ୍ଟ୍ରିଟ୍ ଲାଇଟ୍ ଭାଙ୍ଗି ଯାଇଛି। ସଂଗ୍ରହାଳୟ ପରିସରରେ ଥିବା ସମସ୍ତ ସାଜସଜା, ଲନ୍, ଡେକୋରେଟିଭ୍ ସାମଗ୍ରୀ ଓ ନାମଫଳକ ଆଦି ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି। ଏହାଛଡ଼ା ସଂଗ୍ରହାଳୟର ସମସ୍ତ ଶୀତତାପ ନିୟନ୍ତ୍ରକ ଯନ୍ତ୍ର ଓ ଲିଫ୍ଟ ମଧ୍ୟ ଅଚଳ ହୋଇପଡ଼ିଛି ବୋଲି ସଂଗ୍ରହାଳୟର ଅଧୀକ୍ଷକ ଜୟନ୍ତୀ ରଥ କହିଛନ୍ତି। ତେବେ ପ୍ରାଥମିକ ଭାବେ କିଛି ପୁନରୁଦ୍ଧାର କାର୍ଯ୍ୟ ଶେଷ କରି ସଂଗ୍ରହାଳୟକୁ ଆସନ୍ତା ୨୪ ତାରିଖ ଭିତରେ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲି ଦିଆଯିବ ବୋଲି ସେ କହିଛନ୍ତି।
ଆଚାର୍ଯ୍ୟ ବିହାରସ୍ଥିତ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟରେ ସେହିଭଳି ସମ୍ମିଳନୀ କକ୍ଷ, ପମ୍ପ ହାଉସ୍, ସମସ୍ତ ଲାଇଟ୍ ଓ ୪୦ ପ୍ରତିଶତ ବନୀକରଣ ନଷ୍ଟ ହୋଇଯାଇଛି। ପାଣି ପାଇପ୍ ଫାଟିଯିବା ସହ ବିଦ୍ୟୁତ ସରବରାହ ତାର ମଧ୍ୟ ଛିଣ୍ଡି ଯାଇଛି। ସଂଗ୍ରହାଳୟ କର୍ତ୍ତୃପକ୍ଷଙ୍କ ଆକଳନ ଅନୁଯାୟୀ, ୨ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ସଠିକ୍ ଆକଳନ ପାଇଁ ସିପିଡବ୍ଲ୍ୟୁଡିକୁ ଚିଠି ଲେଖାଯାଇଛି। ସଂଗ୍ରହାଳୟର କାର୍ଯ୍ୟାଳୟ ମୁଖ୍ୟ ଗୌରବ କୁହନ୍ତି, କ୍ଷୟକ୍ଷତିର ପରିମାଣ ଖୁବ୍ଶୀଘ୍ର ଆକଳନ କରି ଯଦି ଟଙ୍କା ମଂଜୁର ହୁଏ, ତେବେ ୬ ମାସ ମଧ୍ୟରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଯିବ। ପ୍ରତିବର୍ଷ ଏହି ଖରା ଦିନରେ ପ୍ରତିଦିନ ପର୍ଯ୍ୟଟକ ୩୦୦ରୁ ୬୦୦ଜଣ ଆସୁଥିବା ବେଳେ ଫନି ପରେ ଗତ ଦୁଇ ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ପରିମାଣରେ କମି ଯାଇଛି।
ସିଆର୍ପିସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରହାଳୟରେ ୧ କୋଟି ୯୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ସଂଗ୍ରହାଳୟର ନିର୍ଦ୍ଦେଶକ ଏ. ବି. ଓତା କହିଛନ୍ତି। ସଂଗ୍ରହାଳୟ ପରିସରର ୧୫୦ରୁ ଊର୍ଧ୍ବ ଗଛ ମୂଳରୁ ଉପୁଡ଼ି ପଡ଼ିଥିବା ବେଳେ ଶତାଧିକ ଗଛ ଅଧାରୁ ଭାଙ୍ଗି ଯାଇଛି। ୨ ଏକର ଲନ୍ ନଷ୍ଟ ହୋଇଯାଇଥିବା ବେଳେ ଅଧ ଏକର ଔଷଧୀୟ ବୃକ୍ଷ ବଗିଚା ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଏହା ପରିସରରେ ଥିବା ହଷ୍ଟେଲର ପାଣି ପାଇପ୍ ମଧ୍ୟ ଫାଟି ଯାଇଛି। ସିସି କ୍ୟାମେରା, ସଂଗ୍ରହାଳୟ ବିଲ୍ଡିଂର ୪ ହଜାର ବର୍ଗଫୁଟର କାନ୍ଥ, ସଂଗ୍ରହାଳୟର ଗ୍ୟାରେଜ୍ ଓ ପର୍ଯ୍ୟଟକଙ୍କ ପାଇଁ କରାଯାଇଥିବା ପାର୍କିଂ ସ୍ଥାନ, ଅନ୍ତରୀଣ ରାସ୍ତା, ଲନ୍ର ୩ଟି ଲାଇଟ୍, ୫ଟି ଷ୍ଟ୍ରିଟ୍ ଲାଇଟ୍, ପରିସରରେ ଥିବା ଗ୍ରନ୍ଥାଗାରର ସମସ୍ତ କାଚ ଝରକା ଓ କବାଟ, ସଂଗ୍ରହାଳୟ ପାଚେରି ଆଦି ଭାଙ୍ଗି ଯାଇଛି। ସେଲ୍ଫି ଜୋନ୍ର ଟ୍ରାଇବାଲ୍ ଷ୍ଟ୍ରକ୍ଚର ସବୁ ଭାଙ୍ଗି ଯାଇଛି। ତେବେ ସର୍ବନିମ୍ନ ପୁନରୁଦ୍ଧାର କାର୍ଯ୍ୟ ସାରି ଗତ ୧୨ତାରିଖଠାରୁ ସଂଗ୍ରହାଳୟକୁ ଖୋଲା ଯାଇଥିଲେ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ବହୁତ କମ୍ ବୋଲି ଶ୍ରୀ ଓତା କହିଛନ୍ତି। ପ୍ରତିବର୍ଷ ଖରାଦିନେ ପ୍ରତିଦିନ ୧୦୦ରୁ ଊର୍ଧ୍ବ ପର୍ଯ୍ୟଟକ ଆସୁଥିବା ବେଳେ ବର୍ତ୍ତମାନ ଫନି ପରେ ପ୍ରତିଦିନର ପର୍ଯ୍ୟଟକଙ୍କ ସଂଖ୍ୟା ୫୦ ବି ଛୁଇଁପାରୁନି।
ଓଡ଼ିଶାର ସମସ୍ତ ହସ୍ତଶିଳ୍ପକୁ ଏକାଠି କରି ପ୍ରଦର୍ଶିତ କରୁଥିବା ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ(କଳାଭୂମି) ଗତ ବର୍ଷ ଖୋଲିଥିଲା। ଆସନ୍ତା ଜୁଲାଇରେ ଏଠାରେ ଜଗନ୍ନାଥ ଗ୍ୟାଲେରି ଓ ଡ୍ୟାନ୍ସ ଗ୍ୟାଲେରି ଖୋଲିବା ପାଇଁ ଜୋର୍ସୋର୍ରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। କିନ୍ତୁ ଫନି ଗ୍ୟାଲେରିଗୁଡ଼ିକୁ ବି ଭାଙ୍ଗି ଦେଇଛି। କଳାଭୂମିର ସମ୍ମୁଖ ନାମଫଳକ ଭାଙ୍ଗି ଯାଇଥିବାରୁ ଲୋକଙ୍କ ପାଇଁ ଏହାକୁ ଚିହ୍ନଟ କରିବା ସମ୍ଭବ ହେଉନାହିଁ। କାଠରେ ପାରମ୍ପରିକ କାରୁକାର୍ଯ୍ୟ ଖୋଦିତ ସଂଗ୍ରହାଳୟର ମୁଖ୍ୟ ଦରଜା ସବୁ ଭାଙ୍ଗି ଯାଇଛି। ପାରମ୍ପରିକ ଟାଇଲ୍ସ୍ ବସା ଯାଇ କରାଯାଇଥିବା ଗ୍ୟାଲେରିର ଛାତ ସବୁ ଉଡ଼ି ଯାଇଛି। କଳାଭୂମିରେ ପ୍ରାୟ ୨ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ସିଡାକ୍ର ସଦସ୍ୟ ସଚିବ ଶିତିକାନ୍ତ ଷଡ଼ଙ୍ଗୀ କହିଛନ୍ତି। ଯଥାଶୀଘ୍ର ଛାତ କାମ ମରାମତି ନହେଲେ ଗ୍ୟାଲେରି ଭିତରେ ପାଣି ପଶି ସମସ୍ତ ସଂଗୃହୀତ ସାମଗ୍ରୀ ନଷ୍ଟ ହୋଇଯିବାର ଆଶଙ୍କା ଅଛି ବୋଲି ଶ୍ରୀ ଷଡ଼ଙ୍ଗୀ ଚିନ୍ତା ପ୍ରକଟ କରିଛନ୍ତି। ଖରା ଦିନେ ପ୍ରତିଦିନ ୧୦୦ରୁ ୨୦୦ ପର୍ଯ୍ୟଟକ ଆସୁଥିବା ବେଳେ ବର୍ତ୍ତମାନ ଏଠାକୁ ୧୨/୧୫ ଜଣ ଆସୁଥିବା ଦେଖାଯାଉଛି।