ଖଣ୍ଡଗିରି: ପିକ୍ଅପ୍ ଭ୍ୟାନ୍ରେ ଖୁନ୍ଦିଖାନ୍ଦି ବଡ଼ ନିର୍ଦ୍ଦୟଭାବେ ଚାଲାଣ କରାଯାଉଥିବା ୨୦ଟି ଗାଈଙ୍କୁ ଆଜି ଭୋର୍ ସମୟରେ ତମାଣ୍ଡୋ ମାଛ ମାର୍କେଟ୍ ଛକରୁ ଉଦ୍ଧାର କରାଯାଇଛି। ଗାଡ଼ିଚାଳକ ଓ ଗୋଚାଲାଣକାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଲୋକେ ହେଲ୍ପରକୁ ଧରି ପୁଲିସ ଜିମା ଦେଇଛନ୍ତି। ତମାଣ୍ଡୋ ଥାନା ପୁଲିସ ଗାଈମାନଙ୍କୁ ଭରତପୁର ଗୋଶାଳାରେ ଛାଡ଼ି ଅଧିକ ତଦନ୍ତ ଜାରି ରଖିଛି।
ସୂଚନାନୁସାରେ ଖୋର୍ଦ୍ଧା ମାଣିକଗୋଡ଼ାରୁ ଏହି ଗାଡ଼ି (ଓଡି ୩୩ ଏ ୨୨୭୦)କୁ ପିଛା କରି କରି ଗୋ-ରକ୍ଷକ କର୍ମକର୍ତ୍ତାମାନେ ତମାଣ୍ଡୋ ବଜାରରେ ଅଟକାଇଥିଲେ। କିନ୍ତୁ ଗାଡ଼ିଚାଳକ ଓ ବେପାରୀକୁ ଧରିବା ପୂର୍ବରୁ ସେମାନେ ପିକ୍ଅପ୍ ଭ୍ୟାନ୍ ପଛରେ ଆସୁଥିବା ଏକ କାର୍ରେ ବସି ସେଠାରୁ ଖସି ପଳାଇଥିଲେ। ଗ୍ରାମବାସୀମାନେ ହେଲ୍ପରକୁ କାବୁ କରି ନେଇଥିଲେ। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତୁରନ୍ତ ଗାଈଗୁଡିକୁ ଗାଡ଼ିରୁ ବାହାର କରାଯାଇଥିଲା। ଖୁନ୍ଦି ହୋଇ ଥିବା ଗାଈମାନଙ୍କ ଭିତରୁ କିଛି ଗାଈ ଆହତ ହୋଇଥିବା ଦେଖିବାକୁ ମିଳିଥିଲା। ତେଣୁ ପୁଲିସ ତୁରନ୍ତ ସେଗୁଡ଼ିକୁ ଭରତପୁରସ୍ଥିତ ଏକ ଗୋଶାଳାକୁ ପଠାଇଥିଲା। ଅଟକ ଥିବା ହେଲ୍ପର ମାଧବ ଦାସଠାରୁ ତଥ୍ୟ ସଂଗ୍ରହ କରି ପୁଲିସ ଗୋଚାଲାଣକାରୀଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଥିବା ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/5fs5h6fs6h465fs456fhfshfhhfhffhsfh.jpg)