ଭୁବନେଶ୍ବର: ୱାର୍ଡ ନମ୍ବର ୨୩ରେ ହୋଲ୍ଡିଂ ଟ୍ୟାକ୍ସ କମାଇବା ପାଇଁ ଲାଞ୍ଚ ନେଇ ଟ୍ୟାକ୍ସ କଲେକ୍ଟର ଧରା ପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି। ହୋଲ୍ଡିଂ ଟ୍ୟାକ୍ସର ସମୀକ୍ଷାରୁ ଜଣାପଡ଼ିଛି ଯେ ପୂର୍ବରୁ ବର୍ଷକୁ ୨୦ କୋଟିରୁ ୨୫ କୋଟି ଆଦାୟ ହେଉଥିବା ବେଳେ ଚଳିତ ବର୍ଷ ଏପ୍ରିଲ୍ ମାସରୁ ଅଗଷ୍ଟ ୨୬ ଯାଏ ୨୦ କୋଟି ୩୭ ଲକ୍ଷ ୪୫ ହଜାର ୫୮୨ ଟଙ୍କା ଆଦାୟ ହୋଇଛି। ଅନ୍ଲାଇନ୍ ବ୍ୟବସ୍ଥା ହେବା ପରେ ବିଏମ୍ସିର ଏହି ଫାଇଦା ହୋଇଛି। ଉତ୍ତର ଜୋନ୍ ୮ କୋଟି ୧୩ ଲକ୍ଷ ୮୦ ହଜାର ୬୬୩ ଟଙ୍କା ଆଦାୟ କରି ତାଲିକାର ଶୀର୍ଷରେ ରହିଥିବା ବେଳେ ଦକ୍ଷିଣ ପୂର୍ବ ଜୋନ୍ ୫ କୋଟି ୯୧ ଲକ୍ଷ ୪୧ ହଜାର ୬୬୬ ଟଙ୍କା ଆଦାୟ କରି ପଛରେ ରହିଛି।
ଏହି ଅବଧି ମଧ୍ୟରେ ଦକ୍ଷିଣ ପଶ୍ଚିମ ଜୋନ୍ ୬ କୋଟି ୩୨ ଲକ୍ଷ ୨୩ ହଜାର ୨୫୨ ଟଙ୍କା ଆଦାୟ କରିଛି। ୱାର୍ଡ ନମ୍ବର ୨୦ ଓ ୨୧ରେ ଏପ୍ରିଲ୍ ମାସରୁ ଅଗଷ୍ଟ ୨୬ ଯାଏ ଟଙ୍କାଟିଏ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହୋଇ ନାହିଁ। ଅନ୍ଲାଇନ୍ ବାଧ୍ୟତାମୁଳକ ହୋଇଥିଲେ ହେଁ ଟ୍ୟାକ୍ସ କଲେକ୍ଟର/ୱାର୍ଡ ଅଫିସରମାନେ ଅଫ୍ଲାଇନ୍ ବା ରସିଦ୍ ବହି ଛାଡ଼ି ପାରୁନାହାନ୍ତି। ଏହି ଜୋନ୍ର ୧୬ ନମ୍ବର ୱାର୍ଡ ୨ କୋଟି ୯୬ ଲକ୍ଷ ୨୦ ହଜାର ୬୧୨ ଟଙ୍କା ଆଦାୟ କରି ତାଲିକାର ଶୀର୍ଷରେ ରହିଛି।
ସେହିଭଳି ନୂଆ ହୋଲ୍ଡିଂ ଟ୍ୟାକ୍ସ ଆସେସ୍ମେଣ୍ଟ ବା ଆକଳନ ମଧ୍ୟ ଅନ୍ଲାଇନ୍ ବାଧ୍ୟତାମୂଳକ ହେବା ପରେ ପରିମାଣ ବଢ଼ିଛି। ପୂର୍ବରୁ ବର୍ଷକୁ ୩୦୦ ହେଉଥିବା ବେଳେ ଚଳିତ ବର୍ଷ ଏପ୍ରିଲ୍ ମାସରୁ ଅଗଷ୍ଟ ୨୬ ଯାଏ ୪ ମାସରେ ୩୧୬୪ ନୂଆ ଆସେସ୍ମେଣ୍ଟ ହୋଇଛି। ଉତ୍ତର ଜୋନ୍ରେ ସର୍ବାଧିକ ୧୫୩୩ ହୋଇଥିବା ବେଳେ ଦକ୍ଷିଣପୂର୍ବ ଜୋନ୍ରେ ୧୨୨୪ ଓ ଦକ୍ଷିଣ ପୂର୍ବ ଜୋନ୍ରେ ସର୍ବନିମ୍ନ ୪୦୭ଟି ହୋଇଛି। ବିଏମ୍ସିର ରାଜସ୍ବ ଆସୁଥିବା ଏହି ପ୍ରମୁଖ ଉତ୍ସମାନଙ୍କ ମଧ୍ୟରୁ ହୋଲ୍ଡିଂ ଟ୍ୟାକ୍ସ ଓ ଟ୍ରେଡ୍ ଲାଇସେନ୍ସ ହୋଇଥିଲେ ମଧ୍ୟ ବିଏମ୍ସି ଏହାକୁ ଗୁରୁତ୍ବ ଦେଉ ନାହିଁ। ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ବେଳେ ଅଧିକା ପଇସା ମାଗିବା ଓ ଆସେସ୍ମେଣ୍ଟ ବେଳେ ପଇସାର କମାଇଦେବାକୁ ଲାଞ୍ଚ ମାଗିବା ଅଭିଯୋଗ ଏବେ ବି ରହିଛି। ଆସେସ୍ମେଣ୍ଟ କମ୍ ହେଉଥିବା ଅଭିଯୋଗ ଉପରେ ମଧ୍ୟ ତର୍ଜମା କରାଯାଉନାହିଁ। ତେବେ ୱାର୍ଡ ଅଫିସରମାନଙ୍କୁ ଅନ୍ୟ କାମରେ ଲଗାଯାଉଛି। ପରିମଳ ବିଭାଗରେ ସାନିଟାରି ଇନ୍ସ୍ପେକ୍ଟର, ସାନିଟାରି ଏକ୍ସପର୍ଟ ବସିରହୁଥିଲେ ମଧ୍ୟ ୱାର୍ଡ ଅଫିସରଙ୍କୁ ପରିମଳ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ଆସେସ୍ମେଣ୍ଟ ଆବେଦନର ଯାଞ୍ଚ କରିବା ସମ୍ଭବ ହେଉ ନାହିଁ ବୋଲି ଅଭିଯୋଗ ହୋଇଛି।