ପୁଲିସକୁ ଚାନ୍ଦା ଆଦାୟ ଚାଲେଞ୍ଜ: ଏବେଠାରୁ ଏତେ, ଆଗକୁ କେତେ ?

୨୦ ଦିନରେ ୪ ଗଣ୍ଡଗୋଳ, ୮ ଆହତ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ। ଗଣେଶ ପୂଜା ସରିଛି। ଆଗକୁ ବିଶ୍ବକର୍ମା ପୂଜା। ତା’ ପଛକୁ ପଛ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା। ଏମିତି କାର୍ତ୍ତିକଶ୍ବର ପୂଜା ପର୍ଯ୍ୟନ୍ତ ଚାଲିବ ଆସର। ଏଥିପାଇଁ ବିଭିନ୍ନ ମଣ୍ଡପରେ ପୂଜା ପାଇଁ ମଧ୍ୟ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। କିଏ କେତେ ଟଙ୍କା ଖର୍ଚ୍ଚ କରିବ? କେଉଁଠୁ ଅର୍ଥ ଆସିବ? କେଉଁ ଶିଳ୍ପାନୁଷ୍ଠାନ କେତେ ଟଙ୍କା ଚାନ୍ଦା ଦେବ? କେଉଁ ଘର ଓ ବ୍ୟବସାୟୀ ପ୍ରତିଷ୍ଠାନ ଉପରେ କେତେ ଟଙ୍କା ଚାନ୍ଦା ଆଦାୟ ହେବ ପୂଜା ମଣ୍ଡପଗୁଡ଼ିକ ତାହାର ତାଲିକା ପ୍ରସ୍ତୁତ କରିଛନ୍ତି। ଜାକଜମକରେ ପୂଜା କରିବା ପାଇଁ ଜୋରଜବରଦସ୍ତ ଲୋକଙ୍କଠାରୁ ଚାନ୍ଦା ଆଦାୟ କରିବାକୁ ପଛାଉ ନାହାନ୍ତି। କେବଳ ଗଣେଶ ପୂଜାରେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ୪ରୁ ଅଧିକ ଘଟଣା ଲୋକଲୋଚନକୁ ଆସିଛି। କେଉଁଠି ଚାନ୍ଦା ପାଇଁ ପୂଜା ମଣ୍ଡପର ସଦସ୍ୟମାନେ ମାଡ଼ ମାରିଛନ୍ତି ତ ଆଉ କେଉଁଠି ମୁଣ୍ଡ ଫଟାଇଛନ୍ତି। ଗତ ୨୦ ଦିନ ମଧ୍ୟରେ ଚାନ୍ଦା ଆଦାୟକୁ ନେଇ ୪ଟି ବଡ଼ଧରଣର ଘଟଣା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁଇ ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି। ବାକି ଦୁଇଟି ଘଟଣାରେ ପୁଲିସ କାହାକୁ ବି ଗିରଫ କରିପାରିନି। ଅଭିଯୁକ୍ତଙ୍କ ଟେର୍‌ ମିଳୁ ନଥିବାରୁ ପୁଲିସର ପାରିବାପଣିଆ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅପ‌ରାଧୀଙ୍କ ଟେର୍‌ ପାଉନି ପୁଲିସ, ସହରବାସୀ ଛାନିଆ, ହାତ ଟେକିଲେଣି ବ୍ୟବସାୟୀ

ବଡ଼ କଥା ହେଉଛି ଯେ ପ୍ରତିବର୍ଷ ପାର୍ବଣ ଋତୁରେ କଟକ-ଭୁବନେଶ୍ବର କମିସନରେଟ୍‌ ପୁଲିସ ଲମ୍ବା ଚଉଡ଼ା ଆଡଭାଇଜରି ଜାରି କରି ପୂଜା ଚାନ୍ଦା ଆଦାୟ ଉପରେ କଟକଣା ଜାରି କରୁଛି। କୌଣସି ପୂଜା ମଣ୍ଡପ କିମ୍ବା ସଙ୍ଗଠନ ଜୋରଜବରଦସ୍ତ ଲୋକଙ୍କଠାରୁ ଚାନ୍ଦା ଆଦାୟ କରିପାରିବେ ନାହିଁ। ଯଦି କୌଣସି ଅନୁଷ୍ଠାନ ବାଧୢବାଧକତାରେ ପୂଜା ଚାନ୍ଦା ଆଦାୟ କରୁଥିବା ନଜରକୁ ଆସିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଚାନ୍ଦାକୁ ନେଇ ଅଭିଯୋଗ ଆସିଲେ ପୂଜା କମିଟିକୁ ଅନୁମତି ମିଳିବ ନାହିଁ। କମିସନରେଟ୍‌ ପୁଲିସର ଏହି ନିର୍ଦେଶନାମାକୁ କେହି ବି ଖାତିର କରୁନାହାନ୍ତି। ପୂଜା ମଣ୍ତପଗୁଡ଼ିକ ପକ୍ଷରୁ ବେଲଗାମ ଭାବେ ଚାନ୍ଦା ଆଦାୟ କରାଯାଉଛି। ପୂଜା କମିଟି ସଦସ୍ୟଙ୍କ ମୁହଁରୁ ଯେତିକି ଟଙ୍କା ବାହାରୁଛି ସେତିକି ଦେବାକୁ ଲୋକଙ୍କୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ଗଣେଶ ପୂଜାଠାରୁ ଏହି ଧାରା ଆରମ୍ଭ ହୋଇଯାଇଥିଲେ ମଧ୍ୟ ପୁଲିସ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇପାରୁନି। ଯେଉଁଥିପାଇଁ ଚାନ୍ଦା ଆଦାୟ ସହ ଗୋଷ୍ଠୀସ˚ଘର୍ଷ ବଢ଼ିବାରେ ଲାଗିଛି। ଆଗକୁ ଦୁର୍ଗା ପୂଜା ଥିବାରୁ ତାହା ପୁଲିସ ପାଇଁ ଏବେ ଚାଲେଞ୍ଜ ସୃଷ୍ଟି କରିଛି। କେତେକ ସ୍ଥାନରେ ଚାନ୍ଦା ଆଦାୟକୁ ନେଇ ଲୋକେ ଭୟରେ ଥାନାରେ ମାମଲା ରୁଜୁ କରୁ ନ ଥିବାରୁ ପୁଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନି। ବିଶେଷକରି ବ୍ୟବସାୟୀଙ୍କ ଉପରେ ଜୋରଜବରଦସ୍ତ ପୂଜା ଚାନ୍ଦା ଲଦି ଯାଉଥିଲେ ମଧ୍ୟ ସେମାନେ ଭୟରେ କିଛି କହି ପାରୁନାହାନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ରାଜଧାନୀରେ ଚାନ୍ଦା ଆଦାୟ ଓ ଗୋଷ୍ଠୀ ସ˚ଘର୍ଷ ଉପରେ କମିସନରେଟ୍‌ ପୁଲିସ କାବୁ କରିପାରିନାହିଁ। ଚାନ୍ଦା ନଦେଲେ ଜୀବନ ପ୍ରତି ଭୟ ଥିବାରୁ ପୁଲିସ୍‌ ଉପରେ ଭରସା ନକରି ଦୁର୍ବୃତ୍ତଙ୍କ ଆଗରେ ମୁଣ୍ଡ ନୁଆଁଇ ଦେଉଛନ୍ତି ରାଜଧାନୀବାସୀ।

ଗତ ୧୫ ଦିନ ମଧ୍ୟରେ ଚାନ୍ଦା ଆଦାୟକୁ ନେଇ ସହରରେ ୪ଟି ବଡ଼ଧରଣର ଘଟଣା ସମ୍ନାକୁ ଆସିଛି। ଗତ ଶୁକ୍ରବାର ରାତିରେ କ୍ୟାପିଟାଲ ଥାନା ଅଧୀନ ଅଶୋକ ନଗରରେ ଥିବା ସିଟି ଲଜ୍‌ ମାଲିକ ଚିନ୍ତାମଣି ନାଏକଙ୍କୁ ଆକ୍ରମଣ ହୋଇଥିଲା। ଚାନ୍ଦା ଆଦାୟ କରିବାକୁ ଆସିଥିବା‌ ଯୁବକମାନେ ମୁହଁ ଫଟାଇଥିଲେ। ଘଟଣାକୁ ୩ଦିନ ବିତିଯାଇଥିଲେ ମଧ୍ୟ କାହାକୁ ଗିରଫ କରାଯାଇ ନାହିଁ। ଅଗଷ୍ଟ ୨୩ ତାରିଖରେ ଖଣ୍ଡଗିରି ଥାନା ଅଧୀନରେ ଚାନ୍ଦା ମାଗିବାକୁ ଆସିଥିବା ଜଣେ ଯୁବକ ମହିଳାଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଗଷ୍ଟ ୩୧ରେ ସେହି ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡା ପ୍ରଧାନସାହି ନିକଟରେ ଜଗନ୍‌ ରାଉତରାୟ(ଗୁରୁ), ସିଲୁ ପ୍ରଧାନ ଚାନ୍ଦା ଆଦାୟ କରିବାକୁ ଆସିଥିବା ଯୁବକମାନଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିଲେ। ମହାବୀର ବସ୍ତି ଓ ବରମୁଣ୍ଡା ହାଉସିଂବୋର୍ଡର ଯୁବକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ବି କେହି ଗିରଫ ହୋଇନାହାନ୍ତି। ‌ବଡ଼ଗଡ଼ ଥାନା‌ ଅଞ୍ଚଳରେ ଚାନ୍ଦା ଆଦାୟକୁ ନେଇ ହୋଇଥିବା ଗଣ୍ଡଗୋଳ ଘଟଣାରେ ୪ଜଣ ଗିରଫ ହୋଇଥିବା ଜଣାପଡ଼ିଛି। ଏହାବ୍ୟତୀତ ସହରର ପ୍ରାୟ ସବୁ ଥାନା ଅଞ୍ଚଳରେ ବି ଏବେ ପୂଜା ଚାନ୍ଦା ଆଦାୟ ହେଉଥିଲେ ମଧ୍ୟ ରୋକ୍ ଲଗାଯାଇପାରୁନି।

ସମ୍ବନ୍ଧିତ ଖବର