କ‌ଣ୍ଟେନରରୁ ୨୦ କେଜି ଅଫିମ ଜବତ, ୩ ଗିରଫ

ଝାଡ଼ଖଣ୍ଡରୁ ଉତ୍ତରପ୍ରଦେଶ ଭାୟା ଓଡ଼ିଶା

ଭୁବନେଶ୍ବର : ଅବକାରୀ ବିଭାଗ ଓ ପୁଲିସର ବ୍ୟାପକ ଧରପଗଡ଼ ସତ୍ତ୍ବେ ଓଡ଼ିଶାରେ ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ବେପାରୀଙ୍କ ପ୍ରାଦୁର୍ଭାବ ଥମୁନାହିଁ। ଗୋଟିଏ ପଟେ ଏସ୍‌ଟିଏଫ୍‌ ପକ୍ଷରୁ କୋଟି କୋଟି ଟଙ୍କାର ଧଳାଜହର ଜବତ କରାଯାଉଛି। ଅନ୍ୟପଟେ ଦୀର୍ଘ ଦିନ ପରେ ଅଫିମ କାରବାର କଥା ପଦାକୁ ଆସିଛି। ଆଜି ନାର୍କୋଟିକ୍‌ସ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଅଫିମ ଚାଲାଣ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି। ଝାଡ଼ଖଣ୍ଡରୁ ଓଡ଼ିଶା ଦେଇ ଉତ୍ତରପ୍ରଦେଶକୁ ଅଫିମ ଚାଲାଣ ହେଉଥିବା ଜଣାପଡ଼ିଛି। ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି) ୩ ଜଣ ଚାଲାଣକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୦ କେଜି ଅଫିମ ଜବତ କରିଛି। ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ବରେଲି ଅଞ୍ଚଳର ଗାଡ଼ି ଚାଳକ ବିଜୟ ଭାନ୍‌(୩୮), ସହାୟକ ସୁର୍ଜଲ୍‌ ପାଲ୍‌(୬୦) ଏବଂ ସୁରେନ୍ଦ୍ର ଯାଦବ(୨୨)। ଜବତ ମାଲ୍‌ର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସୂଚନାନୁସାରେ ଶୁକ୍ରବାର ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକରେ ଏନ୍‌ସିବି ଟିମ୍‌ ଚଢ଼ଉ କରିଥିଲା। ଏକ କଣ୍ଟେନର୍‌ରେ ଅଫିମ ଚୋରା ଚାଲାଣ ହେଉଥିବା ନେଇ ପୂର୍ବ ସୂଚନାନୁସାରେ ଏହି ଚଢ଼ଉ କରାଯାଇଥିଲା। ଏକ କଣ୍ଟେନର୍‌ (ଏଚ୍‌ଆର୍‌-୬୩-ଇ-୨୫୬୧)ରୁ ୨୦ କେଜି ଅଫିମ ମିଳିଥିଲା। ଅଭିଯୁକ୍ତମାନେ ନୋଇଡାରୁ କଣ୍ଟେନରରେ ଏଲ୍‌ଜି ରେଫ୍ରିଜରେଟର୍‌ ନେଇ ଭୁବନେଶ୍ବର ଆସୁଥିଲେ। ଝାଡ଼ଖଣ୍ଡରେ ଅଫିମ ମାଫିଆମାନଙ୍କ ସହ କଣ୍ଟେନର୍‌ର ଏହି କର୍ମଚାରୀମାନଙ୍କ ଡିଲ୍‌ ହୋଇଥିଲା। ସେମାନେ ଭୁବନେଶ୍ବରରେ ରେଫ୍ରିଜରେଟର୍‌ ଅନ୍‌ଲୋଡ୍‌ କରିବା ପରେ ଅଫିମକୁ ନେଇ ବରେଲିରେ ପହଞ୍ଚାଇବା ଡିଲ୍‌ ହୋଇଥିଲା। ଏଥିପାଇଁ କଣ୍ଟେନର୍‌ କର୍ମଚାରୀଙ୍କୁ ମୋଟା ଅଙ୍କର ଅର୍ଥ ଦିଆଯାଇଥିଲା। ପୂର୍ବରୁ ମଧ୍ୟ ଏହି କଣ୍ଟେନର କର୍ମଚାରୀମାନେ ଅଫିମ ଚାଲାଣ କରିଥିଲେ। ତେ‌ବେ ଏଥର ଏନ୍‌ସିବି ହାତରେ ଏହି ଖବର ଲାଗିଥିଲା। ଏହି କାରବାରରେ କୌଣସି ଓଡ଼ିଆ ଲୋକଙ୍କ ହାତ ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି। ପ୍ରକୃତରେ ଏହି ମାଲ୍‌ ଝାଡ଼ଖଣ୍ଡରୁ ଆସିଥିଲା କି ଓଡ଼ିଶାରୁ ହିଁ ଚାଲାଣ କରାଯାଉଥିଲା, ତାହା ସ୍ପଷ୍ଟ ହୋଇନାହିଁ। ବିଭିନ୍ନ ଫାର୍ମାସ୍ୟୁଟିକାଲ୍‌ ଫାର୍ମ ଓ ଚରସ୍ ଉତ୍ପାଦନକାରୀଙ୍କ ପାଇଁ ଏହି ଅଫିମ ଚାଲାଣ କରାଯାଉଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର