ଭୁବନେଶ୍ବର: କାହାକୁ ଆଦର୍ଶ ବିଦ୍ୟାଳୟରେ ଟିଜିଟି ଶିକ୍ଷକ ତ କାହାକୁ ରେଳବାଇରେ ଚାକିରି, କାହାକୁ ଲୋନ୍ କରାଇଦେବାକୁ ତ କାହାକୁ ସରକାରୀ ପ୍ରୋଜେକ୍ଟ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ଜଣେ ଧୂର୍ତ୍ତକୁ ଆଜି ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଲା, ଏପି ଆସୋସିଏଟ୍ସର ନିର୍ଦ୍ଦେଶକ ପୀତବାସ ପଣ୍ଡା(୪୩)। ଘର ଭଦ୍ରକ ଜିଲ୍ଲା ଧାମନଗର ଅଙ୍ଗାଳିପାଳ ଅଞ୍ଚଳରେ।
ସୂଚନା ମୁତାବକ, ପାଖାପାଖି ୧୨ ବର୍ଷ ତଳେ ରାଜଧାନୀକୁ ଆସିଥିବା ପୀତବାସ ଫୁଲନଖରା ଅଞ୍ଚଳରେ ସପରିବାରେ ଭଡ଼ାରେ ରହୁଥିଲା। ସହିଦନଗର ଅଞ୍ଚଳରେ ଏପି ଆସୋସିଏଟ୍ସ ନାମକ ଏକ କନ୍ସଲ୍ଟାନ୍ସି ସଂସ୍ଥା ଖୋଲି ଲୋକଙ୍କୁ ଠକିବା ଆରମ୍ଭ କରିଥିଲା। ଚକାଚକ୍ ଅଫିସ୍ ସାଙ୍ଗକୁ ପୀତବାସର ବେଶ ପୋଷାକ ଏଭଳି ଥିଲା ଯେ ତାକୁ ସହଜରେ କେହି ଠକ ବୋଲି ଠଉରାଇ ପାରୁ ନଥିଲେ। ବଡ଼ ଚତୁରତାର ସହ ସେ ଲୋକଙ୍କୁ ନିଜ ଜାଲରେ ଫସାଇ ଲୁଟୁଥିଲା।
୨୦୧୮ ମସିହାରେ ଦାରୁଠେଙ୍ଗ ଅଞ୍ଚଳର ସୁରେଖା ଛୋଟରାୟ ନାମକ ଜଣେ ମହିଳାଙ୍କୁ ସୋଲାର ପ୍ରୋଜେକ୍ଟ ଏବଂ ତାଙ୍କ ସ୍ବାମୀଙ୍କୁ ରେଳବାଇରେ ଚାକିରି କରାଇଦେବାକୁ କହି ୧୦ଲକ୍ଷ ଟଙ୍କା ନେଇଥିଲା। ହେଲେ ପରବର୍ତ୍ତୀ ସମୟରେ ନା ତାଙ୍କୁ ଚାକିରି ନା ସୋଲାର୍ ପ୍ରୋଜେକ୍ଟ ଦେଇଥିଲା। ବିଳମ୍ବ ହେବାରୁ ସୁରେଖା ତାଙ୍କୁ ଟଙ୍କା ମାଗିଥିଲେ। ସେ ୫ଲକ୍ଷ ଟଙ୍କା ଫେରାଇଥିବା ବେଳେ ବାକି ଟଙ୍କା ପରେ ଦେବ ବୋଲି କହିଥିଲା। ହେଲେ ଟଙ୍କା ଫେରାଇ ନଥିଲା। ବାକି ଟଙ୍କା ମାଗିବରୁ ସେ ସୁରେଖାଙ୍କୁ ଧମକ ଦେଇଥିଲା। ସେମିତି ୨୦୨୦ରେ ଆଦର୍ଶ ସ୍କୁଲ୍ରେ ବାହାରିଥିବା ଟିଜିଟିରେ ଚାକିରି କରାଇଦେବା ପାଇଁ କେନ୍ଦୁଝର ଅଞ୍ଚଳର ଜ୍ୟୋତିକୃଷ୍ଣ ସାହୁ ଏବଂ ତାଙ୍କର ଦୁଇ ସହଯୋଗୀଙ୍କଠାରୁ ୫ଲକ୍ଷ ଟଙ୍କା ନେଇଥିଲା। ଫେବ୍ରୁଆରିରେ ଫଳ ବାହାରିବା ପରେ ସେମାନେ ତାଲିକାରେ ନଥିବା ଦେଖି ପୀତବାସଙ୍କୁ କହିଥିଲେ।
ଚାକିରି ହୋଇନଥିବାରୁ ସେମାନେ ଟଙ୍କା ଫେରସ୍ତ ପାଇଁ କହିଥିଲେ। ହେଲେ ଟଙ୍କା ଦେବା ତ ଦୂରର କଥା, ପୀତବାସ ସେମାନଙ୍କୁ ନାଲି ଆଖି ଦେଖାଇଥିଲା। ଏହାଛଡ଼ା ପାଖାପାଖି ୪୫ଜଣ ଯୁବକଯୁବତୀଙ୍କଠାରୁ ୨ମାସର ଅଗ୍ରିମ ଟଙ୍କା ନେଇ ନିଜ ସଂସ୍ଥା ସମେତ ଅନ୍ୟ ସଂସ୍ଥାରେ ଚାକିରି ଦେଇଥିଲା। ସେମାନଙ୍କୁ ୩ ମାସ କାମ କରାଇବା ପରେ ବି ସେମାନଙ୍କୁ ଦରମା ଦେଇନଥିଲା। ଟଙ୍କା ମାଗିବାରୁ ସେମାନଙ୍କୁ ମଧ୍ୟ ଧମକ ଚମକ ଦେଇଥିଲା। ଏନେଇ ଭଦ୍ରକର ସୁମନ୍ତ ସାହୁଙ୍କ ସମେତ ଅନ୍ୟମାନେ ଥାନାରେ ଅଭିଯୋଗ କରିଥିଲେ। ଏନେଇ ସହିଦନଗର ଥାନା ପୁଲିସ୍ ନଂ ୫୧୬, ୫୧୭ ଏବଂ ୫୧୮ରେ ତିନୋଟି ମାମଲା ରୁଜୁ କରି ଆଜି ତାକୁ କୋର୍ଟଚାଲାଣ କରିଛି।