ଭୁବନେଶ୍ବର: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପକ୍ଷରୁ ପେଟ୍ରୋଲ୍ ପମ୍ପ୍ କରାଇଦେବା ଆଳରେ ଜଣକଠାରୁ ୧୯ ଲକ୍ଷ ଟଙ୍କା ଉଡ଼ାଇ ନେଇଥିବା ଅଭିଯୁକ୍ତକୁ ବିହାରରୁ ବାନ୍ଧିଛି ଭୁବନେଶ୍ବର ସାଇବର ଥାନା ପୁଲିସ। ବିହାର ପୁଲିସ ସହଯୋଗରେ ନଵାଡ଼ା ଜିଲ୍ଲା ଵାର୍ସଲିଗଞ୍ଜ ଥାନା ଆପସରା ଗାଁରୁ ଫ୍ରଡ୍ଷ୍ଟର୍ ସତୀଶ କୁମାରକୁ ଗିରଫ କରାଯାଇଛି। ସତୀଶ ନିକଟରୁ ୬ଟି ମୋବାଇଲ୍, ଗୋଟିଏ ଲାପ୍ଟପ୍ ଜବତ କରାଯାଇଛି। ବଡ଼ କଥା ହେଉଛି, ଧୂର୍ତ୍ତ ସତୀଶ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ସଂସ୍ଥା ନାଁରେ ଏକ ନକଲି ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲି ଏହି ଖେଳ କରିଥିବା ତଦନ୍ତରୁ ଜଣାପଡ଼ିଛି। ବ୍ୟାଙ୍କ୍ କର୍ତ୍ତୃପକ୍ଷ ଠିକ୍ ଭାବେ ଯାଞ୍ଚ ନ କରିବାରୁ ଏଭଳି ଠକାମି କାରବାର ହେଉଛି। ତେଣୁ ସାଇବର ଥାନା ପକ୍ଷରୁ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି। ଠକ ସତୀଶକୁ ରିମାଣ୍ଡ୍ରେ ଆଣି ଅଧିକ ଖୋଳତାଡ଼ କରାଯିବ ବୋଲି ଡିସିପି ଶ୍ରୀ ମୀନା ସୂଚନା ଦେଇଛନ୍ତି।
ଆଇଓସିଏଲ୍ ନାଁରେ ନକଲି ଆକାଉଣ୍ଟ୍ ଖୋଲି ଲୁଟିଥିଲା
ଅଭିଯୋଗକାରୀ ମଞ୍ଚେଶ୍ବର ଥାନା ଅଞ୍ଚଳର ସାରଦା ପ୍ରସନ୍ନ ରାଉତରାୟଙ୍କ ଅଭିଯୋଗ ଅନୁସାରେ ପେଟ୍ରୋଲ ପମ୍ପ୍ ଲିଜ୍ ପାଇଁ ସେ ଅନ୍ଲାଇନ୍ରେ ଆଇଓସିଏଲ୍ ସାଇଟ୍ ସର୍ଚ୍ଚ କରିଥିଲେ। କିନ୍ତୁ ସେ ଯେଉଁ ସାଇଟ୍ ଖୋଲିଥିଲେ, ତାହା ସାଇବର ଠକ ପରିଚାଳିତ ଜାଲ୍ ସାଇଟ୍ ବୋଲି ବୁଝିପାରିନଥିଲେ। ସାଇବର ଠକ କଥାରେ ଭାସିଯାଇ ସେ ଅନ୍ଲାଇନ୍ରେ ଫର୍ମ ପୂରଣ କରିଥିଲେ। ଏହାପରେ ତାଙ୍କୁ ଲାଇସେନସ୍ ଇସ୍ୟୁ ପାଇଁ କିଛି ଟଙ୍କା ପଇଠ କରିବାକୁ କୁହାଯାଇଥିଲା। ସାଇବର ଠକ ଯେଉଁ ଆକାଉଣ୍ଟ ନମ୍ବର ଦେଇଥିଲା, ତାହା ଆଇଓସିଏଲ୍ ନାଁରେ ହିଁ ଥିଲା। ତେଣୁ ଅଭିଯୋଗକାରୀଙ୍କ ପାଇଁ ସନ୍ଦେହ କରିବାର ଅବକାଶ ମିଳିନଥିଲା। ସେ ବିଭିନ୍ନ ପର୍ଯ୍ୟାୟରେ ଉକ୍ତ ଆକାଉଣ୍ଟ୍ରେ ୨୦ ଲକ୍ଷ ଟଙ୍କା ଜମା କରିଦେଲେ। ଟଙ୍କା ଜମା ହେବା ପରେ ଉକ୍ତ ସାଇଟ୍ ଉଭାନ୍ ହୋଇଯାଇଥିଲା। ଅଭିଯୋଗକାରୀ ଯେଉଁ ନମ୍ବରରେ ଯୋଗାଯୋଗ କରୁଥିଲେ, ତାହା ମଧ୍ୟ ସୁଇଚ୍ ଅଫ୍ ହୋଇଯାଇଥିଲା। ଏହାପରେ ଅଭିଯୋଗକାରୀ ବୁଝିଲେ ଯେ ସେ କୌଣସି ଠକ ହାବୁଡ଼ରେ ପଡ଼ି ଫସିଛନ୍ତି। ତେଣୁ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଳତାଡ଼ରୁ ସତୀଶର ଖେଳ ଧରାପଡ଼ିଥିଲା। ସତୀଶର ବ୍ୟାଙ୍କ୍ ପାସ୍ବୁକ୍ ଓ ଯେଉଁ ସିମ୍ କାର୍ଡ ବ୍ୟବହାର କରି ସେ ସାରଦାଙ୍କୁ ଠକିଥିଲା, ସେସବୁ ଜବତ କରାଯାଇଛି।
ବିଏସ୍ସି ପାସ୍ କରିଥିବା ସତୀଶ ଜଣେ ପେସାଦାର ସାଇବର ଲୁଟେରା। ମ୍ୟୁଲ୍ ଆକାଉଣ୍ଟ୍ ଖୋଲି ସେ ଠକେଇ ଟଙ୍କାକୁ ହଡ଼ପ କରୁଥିଲା। ଠକୁଥିବା ଲକ୍ଷଲକ୍ଷ ଟଙ୍କାକୁ ସେ ବିଭିନ୍ନ ମ୍ୟୁଲ୍ ଆକାଉଣ୍ଟ୍କୁ ସ୍ଥାନାନ୍ତର କରୁଥିଲା। ପୂର୍ବରୁ ଏଭଳି ଠକେଇ ମାମଲାରେ ସେ ଜେଲ୍ ଯାଇଛି। ଜାମିନରେ ଆସି ପୁଣି ଖେଳ କରିଛି। ଝାଡ଼ଖଣ୍ଡର ଜାମ୍ତରା ଭଳି ସତୀଶର ଗାଁ ଆପ୍ସରା ମଧ୍ୟ ଏକ ସାଇବର ଠକଙ୍କ ହବ୍ ବୋଲି ଜଣାପଡ଼ିଛି। ତେଣୁ ସତୀଶ ଲିଙ୍କ୍ରେ ଆହୁରି କିଛି ସାଇବର ଠକ ଥିବା ସନ୍ଦେହ କରାଯାଉଛି।