ଅଢ଼େଇ ଘଣ୍ଟା ଛେଚିଲା: ଗୌରୀ ଗାର୍ଡେନ୍ ଜଳାର୍ଣ୍ଣବ, ଭଙ୍ଗା ହେଲା ଅସ୍ଥାୟୀ ବନ୍ଧ

ରାଜଧାନୀରେ ୨୦ ମିମି ବର୍ଷା, ଲୋକଙ୍କ ଘରେ ପଶିଲା ପାଣି

ଭୁବନେଶ୍ବର: ମୌସୁମୀ ବର୍ଷାରେ ଆଜି ପୂରା ରାଜଧାନୀ ଭିଜିଛି। ସକାଳୁ ସକାଳୁ ଆଜି ରାଜଧାନୀର ପାଗ ମେଘୁଆ ରହିଥିଲା। ତେବେ ଅପରାହ୍‌ଣ ପ୍ରାୟ ସାଢ଼େ ୨ଟା ବେଳକୁ କଳାହାଣ୍ଡିଆ ମେଘ ଘୋଟି ଆସି ମୂଷଳ ଧାରାରେ ବର୍ଷିଥିଲା। ପ୍ରାୟ ଅଢ଼େଇ ଘଣ୍ଟା ଧରି ବର୍ଷା ଲାଗି ରହିବାରୁ ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଥିଲା। ବିଶେଷକରି ସହରତଳି ଅଞ୍ଚଳରେ ଛୋଟମୋଟ ଡ୍ରେନ୍‌ଗୁଡ଼ିକ ପୂରି ଉଠିବା ସହ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ମାରିଥିଲା। ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଥିଲା। ଏଥିପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ପମ୍ପ ସାହାଯ୍ୟରେ ପାଣି ନିଷ୍କାସନ କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜଧାନୀରେ ସକାଳ ସାଢ଼େ ୮ଟାରୁ ସଂଧ୍ୟା ସାଢ଼େ ୫ଟା ମଧ୍ୟରେ ୨୦ ମିଲିମିଟର ବର୍ଷା ହୋଇଛି। ଆସନ୍ତାକାଲି ପହିଲି ରଜରେ ମଧ୍ୟ ରାଜଧାନୀରେ ବର୍ଷା ହେବ ବୋଲି ସୂଚନା ମିଳିଛି।

ପୁରୁଣା ଭୁବନେଶ୍ୱର: ରାଜଧାନୀରେ ମୌସୁମୀ ବର୍ଷା ପ୍ରବେଶ କରୁ କରୁ ସ୍ଥାନୀୟ ଗୌରୀ ଗାର୍ଡେନ୍‌ରେ ପଶିଲା ପାଣି। ଆଜି ଅପରାହ୍ଣରେ ହୋଇଥିବା ବର୍ଷାରେ ଗୌରୀ ଗାର୍ଡେନ୍‌ର ୧୫ଘର ପାଣିରେ ବୁଡ଼ିଛି। ତେଣୁ ‌ନିର୍ମାଣାଧୀନ ଡ୍ରେନ୍‌ ପାଇଁ ପଡ଼ିଥିବା ଅସ୍ଥାୟୀ ବନ୍ଧକୁ ଭାଙ୍ଗିବାକୁ ପଡ଼ିଛି। ତଥାପି ସନ୍ଧ୍ୟା ସୁଦ୍ଧା ବର୍ଷା ଜଳ ସଂପୂର୍ଣ୍ଣ ନିଷ୍କାସନ ହୋଇ ପାରିନଥିଲା ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ନଗରବାସୀ ହନ୍ତସନ୍ତ ହୋଇଥିଲେ। ମୌସୁମୀ ବର୍ଷାର ପ୍ରକୋପ ବଢ଼ିବା ପୂର୍ବରୁ ଅବସ୍ଥା ଏମିତି ହୋଇଥିବାରୁ ଆଗକୁ ବର୍ଷା ଅଧିକ ହେଲା ବେଳେ ଏଠାରେ ରହିବା ଅସମ୍ଭବ ହୋଇପଡ଼ିବ ବୋଲି ଗାର୍ଡେନ୍‌ବାସୀ କହିଛନ୍ତି। ବିଏମ୍‌ସି ୬୦ନଂ ୱାର୍ଡ ଅନ୍ତର୍ଗତ ଗୌରୀ ଗାର୍ଡେନ୍‌ ପାଇଁ ପ୍ରତିବର୍ଷ ବର୍ଷା ଦିନେ ଏହି ସମସ୍ୟା‌ ସୃଷ୍ଟି ହେଉଛି। ଗ୍ୟାରେଜ୍‌ ଛକ ମୁଖ୍ୟ ରାସ୍ତା ତଳେ ଥିବା ଏହି ହ୍ୟୁମ୍‌ ପାଇପ୍‌ ନ‌ଷ୍ଟ ହୋଇଯାଇଥିବାରୁ ଏହି ଅଞ୍ଚଳର ଡ୍ରେନ୍‌ ପାଣି ନିଷ୍କାସିତ ହୋଇପାରୁନାହିଁ। ତେଣୁ ବର୍ଷେ ହେଲା ପିଡବ୍ଲ୍ୟୁଡି ଦ୍ବାରା ଏଠାରେ ଏକ ଅସ୍ଥାୟୀ ବନ୍ଧ ପକାଯାଇ ‌ଡ୍ରେନ୍‌ ପାଣି ଅଟକା ଯାଉଛି ଓ ୭ନମ୍ବର ମୁଖ୍ୟ ଡ୍ରେନ୍‌କୁ ସଂଯୋଗ କରିବା ପାଇଁ ଏକ ଡ୍ରେନ୍‌ ନିର୍ମାଣ କରାଯାଉଛି। ଅସ୍ଥାୟୀ ବନ୍ଧରେ ଅଟକି ରହୁଥିବା ଡ୍ରେନ୍‌ ପାଣିକୁ ୧୦ଟି ମଟର ଦ୍ବାରା ବାହାର କରାଯାଇ ଦୟାୱେଷ୍ଟ କେନାଲକୁ ଛଡ଼ା ଯାଉଛି। ତେବେ ଆଜି ହୋଇଥିବା ପ୍ରବଳ ବର୍ଷା ପାଇଁ ଉକ୍ତ ୧୦ଟି ମଟର ଯଥେଷ୍ଟ ହୋଇନଥିଲା। ଫଳରେ ବର୍ଷା ଜଳ ଗୌରୀ ଗାର୍ଡେନ୍‌ ଭିତରେ ପଶିବା ସହ ଘର ଭିତରକୁ ମାଡ଼ି ଯାଇଥିଲା। ଦମକଳ ବାହିନୀ ଓ ବିଏମ୍‌ସିର ମଟର ଘଣ୍ଟା ଘଣ୍ଟା ଧରି ଲାଗିଲେ ମଧ୍ୟ ଜଳ ନିସ୍କାସନ ହୋଇ ପାରିନଥିଲା। ତେଣୁ ଉକ୍ତ ଅସ୍ଥାୟୀ ବନ୍ଧକୁ ଭାଙ୍ଗିବାକୁ ପଡ଼ିଲା। ଏହି ବନ୍ଧ ଭାଙ୍ଗିବା ଦ୍ବାରା ଆଗକୁ ନୂତନ ଡ୍ରେନ୍‌ ନିର୍ମାଣ କାମରେ ସମସ୍ୟା ଉପୁଜିବାକୁ ଥିଲେ ହେଁ ଗୌରୀ ଗାର୍ଡେନ୍‌ର ୩ଶହ ବରିଷ୍ଠ ନାଗରିକଙ୍କୁ ହଇରାଣ ନ କରିବାକୁ ଏହି ପଦକ୍ଷେପ ଦରକାର ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର