କୋଭିଡ-୧୯ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ, ରାଜଧାନୀର ୨୦ ସୋରୁମକୁ ସିଲ କଲା ପ୍ରଶାସନ

ଭୁବନେଶ୍ୱର : ଆଗକୁ ଗଣପର୍ବ ରଜ ଥିବାରୁ ନୂଆ ପୋଷାକ କିଣିବାକୁ ବଜାରରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଲୋକମାନେ କରୋନା ପାଇଁ ଜାରି ସାମାଜିକ ଦୂରତ୍ୱ ନିୟମ ମାନୁ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ପ୍ରଶାସନ ପକ୍ଷରୁ ଗହଳି ହେଉଥିବା ବିଭିନ୍ନ ସୋରୁମ ଓ ଦୋକାନରେ ଚଢଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଆଜି ବିଏମସି ଓ ବିଡିଏର ମିଳିତ ସ୍କ୍ଵାର୍ଡ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସୋରୁମ ଓ ଦୋକାନରେ ଚଢଉ କରି ସିଲ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସ୍କ୍ଵାର୍ଡ ପକ୍ଷରୁ ମୋଟ ୨୦ଟି ଦୋକାନ ଓ ସୋରୁମକୁ ସିଲ କରାଯାଇଛି । ଏସବୁ ସୋରୁମ ମଧ୍ୟରେ ରହିଛି ଖାରବେଳ ନଗରରେ ଥିବା ଅମ୍ବର ସୋରୁମ, ରାଜମହଲ ନିକଟରେ ଥିବା ମା’ ତାରିଣୀ ବସ୍ତ୍ରାଳୟ, ସହିଦ ନଗରରେ ଥିବା ଲିଙ୍ଗରାଜ ଲସି । ଏହା ସହିତ ବିଶାଲ ମେଗାମାର୍ଟ, ଭାଇ ଭାଇ ଟିଫିନ ଷ୍ଟଲ ଓ କେତେକ ଓମଫେଡ ଷ୍ଟଲକୁ ମଧ୍ୟ ସିଲ କରାଯାଇଛି ।

 

ରାଜ୍ୟରେ କରୋନା ବ୍ୟାପିଚାଲିଥିବାବେଳେ ସରକାରଙ୍କ କୋଭିଡ-୧୯ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଏସବୁ ଦୋକାନରେ ବିକ୍ରି ଚାଲିଥିଲା । ଲୋକମାନେ ସାମାଜିକ ଦୂରତ୍ୱକୁ ପାଳନ କରୁନଥିବା ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର