ଭୁବନେଶ୍ବର: ବିଏମ୍ସି ଅଞ୍ଚଳରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ୨୪,୯୯୦ ଏକର ଜମି ଅଛି। ଏଥିରୁ ପ୍ରାୟ ୧୦,୨୫୦ଏକର ଜମି ଭୂଲେଖ ଡାଟାବେସ୍ରେ ବିଭାଗ ନାଁରେ ଅଛି। ସରକାରଙ୍କ ୧୮୬୦ଏକର ଜମି ବିଭିନ୍ନ ଅଞ୍ଚଳରେ ଜବରଦଖଲକାରୀଙ୍କ କବ୍ଜାରେ ଅଛି। ଯାହାର ଆନୁମାନିକ ମୂଲ୍ୟ ୨୦ହଜାର କୋଟି ଟଙ୍କା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହାସହ ସୂଚନା ଦେଇଛନ୍ତି ଯେ ୨୦୧୪ ମସିହା ସୁଦ୍ଧା ଜବରଦଖଲକାରୀଙ୍କ କବଳରେ ୪୯୩ ଏକର ୭୨୧ ଡେସିମିଲ ଜମି ଥିଲା। ଅର୍ଥାତ୍ ୮ବର୍ଷରେ ଅଧିକ ୧୩୬୬ଏକର ୨୭୯ ଡେସିମିଲ୍ ଜମି ଜବରଦଖଲ ହୋଇଛି। ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଜବରଦଖଲ ଉଚ୍ଛେଦ ନିମନ୍ତେ ବିଡିଏ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ୧୫.୦୯.୨୦୧୪ରେ ଗଠନ କରାଯାଇଥିବା ସିଇଏମ୍ସି ମାଧ୍ୟମରେ ୨୦୧୪ରୁ ୨୦୨୨ ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗ ଅଧୀନସ୍ଥ ବିଭିନ୍ନ ଅଞ୍ଚଳରେ ୨୨୫.୪୭୪ ଏକର ଜମି ଜବରଦଖଲମୁକ୍ତ କରାଯାଇଛି। ଉକ୍ତ ଜମିର ଆନୁମାନିକ ମୂଲ୍ୟ ୨୫୦୦କୋଟି ଟଙ୍କା। ଅବଶିଷ୍ଟ ଜମି ଜବରଦଖଲମୁକ୍ତ ନିମନ୍ତେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି।