ଏକାମ୍ର କ୍ଷେତ୍ରରେ ୨୦ ହଜାର କାଉଡ଼ିଆଙ୍କ ଜଳଲାଗି

ପୁରୁଣା ଭୁବନେଶ୍ୱର: ଶ୍ରାବଣ ଦ୍ବିତୀୟ ସୋମବାର ପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା ଏକାମ୍ର କ୍ଷେତ୍ର। ଏହି ଉପଲକ୍ଷେ ବିଭିନ୍ନ ଶିବ ମନ୍ଦିରରେ ପ୍ରାୟ ୨୦ହଜାରରୁ ଅଧିକ କାଉଡ଼ିଆ ଜଳ ଲାଗି କରିଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିରରେ ୮ହଜାରରୁ ଊର୍ଧ୍ବ କାଉଡ଼ିଆ ଜଳ ଲାଗି କରିଥିବା ବେଳେ ୭ହଜାର ସାଧାରଣ ଭକ୍ତ ଦର୍ଶନ କରିଥିଲେ। ସେହିପରି ଅନ୍ୟାନ୍ୟ ଶିବ ମନ୍ଦିରରେ ୫ହଜାରରୁ ଊର୍ଧ୍ବ ଭକ୍ତ ଜଳ ଲାଗି କରିଥିଲେ। ଭକ୍ତମାନେ କିପରି ଶ୍ରୀଲିଙ୍ଗରାଜ ମନ୍ଦିରରେ ଶୃଙ୍ଖଳିତ ହୋଇ ମନ୍ଦିରକୁ ଯିବେ, ଏଥିପାଇଁ ପୁଲିସ ସଜାଗ ରହିଥିଲା। ଭୋର୍‌ ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ପରେ କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ମନ୍ଦିର ପରିସରକୁ ଯାଇଥିଲେ। ମନ୍ଦିର ଭିତରେ ଓ ବାହାରେ ଥିବା ବ୍ୟାରିକେଡ୍‌ ମଧ୍ୟରେ ଭକ୍ତମାନେ ଧାଡ଼ି କରି ପ୍ରବେଶ କରିଥିଲେ। ମୂର୍ଚ୍ଛା ହୋଇ ଗଲେ ୩ କାଉଡ଼ିଆ: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ପାଣି ଲାଗି କରି ମନ୍ଦିରରୁ ବାହାରିବା ବେଳେ ୩ଜଣ କାଉଡ଼ିଆ ମୂର୍ଚ୍ଛା ହୋଇଯାଇଥିଲେ। ସେମାନେ ମନ୍ଦିର ଉତ୍ତରଦ୍ବାର ପଟେ ବାହାରିବା ବେଳେ ଭିଡ଼ରେ ଚାପି ହୋଇଯାଇଥିଲେ।

ମନ୍ଦିର ସଫେଇ: କାଉଡ଼ିଆଙ୍କ ଜଳ ଲାଗି ପରେ ମନ୍ଦିରରେ ପଡ଼ିଥିବା ମାଟି କଳସ, ପତ୍ର, ଫୁଲ, ବାହୁଙ୍ଗି, ଶିକା ଓ ବିଭିନ୍ନ ଅନାବନା ଜିନିଷକୁ ସେଚ୍ଛାସେବୀମାନେ ସଫେଇ କରିଥିଲେ। ସେବା ପ୍ରତିନିଧି, ମିସିଂ ଫାଉଣ୍ଡେସନ୍‌, ପ୍ରଦୀପ ସେବା ଟ୍ରଷ୍ଟ ଓ ବହୁ ସେଚ୍ଛାସେବୀ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର