ରାଜଭବନ ଉଦ୍ୟାନ ବୁଲିଲେ ୨୦ ହଜାର ଲୋକ

ଭିତରେ ସୌନ୍ଦର୍ଯ୍ୟର ପସରା, ବାହାରେ ଜମୁଛି ବଜାର

ଭୁବନେଶ୍ୱର : ରାଜଭବନ ଉଦ୍ୟାନର ଆକର୍ଷଣ ନିଆରା। ବର୍ଷକରେ ମାତ୍ର ଥରେ କିଛି ଦିନ ପାଇଁ ଏହି ଉଦ୍ୟାନ ଖୋଲୁଥିବାରୁ ରାଜଧାନୀବାସୀ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗକୁ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ। ସେଥି ପାଇଁ ଗତ ୮ ତାରିଖରେ ଉଦ୍ୟାନ ଖୋଲିବା ଦିନଠାରୁ ରାଜଭବନରେ ନାହିଁ ନ ଥିବା ଭିଡ଼। ଗତକାଲି ଦ୍ୱିତୀୟ ଶନିବାର ଛୁଟି ଥିବାରୁ ୧୫ ହଜାର ଲୋକ ରାଜଭବନ ଉଦ୍ୟାନ ବୁଲିଥିଲେ। ଆଜି ରବିବାର ହୋଇଥିବାରୁ ଭିଡ଼ ଆହୁରି ଅସମ୍ଭାଳ ହୋଇଥିଲା। ପାଖାପାଖି ୨୦ ହଜାର ଲୋକ ଏଠାକୁ ଆସିଥିଲେ। ମାତ୍ର ଅଢ଼େଇ ଘଣ୍ଟା ଭିତରେ ଏତେ ପରିମାଣର ଲୋକ ଏଠାକୁ ଆସିଥିବାରୁ ରାଜଭବନ ସାମ୍ନାରେ ବି ଭୀଷଣ ଗହଳି ହୋଇଥିଲା। ରାସ୍ତାର ଦୁଇ କଡ଼ରେ ଗାଡ଼ି ପାର୍କିଂ ପାଇଁ ବି ଜାଗା ମିଳି ନ ଥିଲା। ଉଦ୍ୟାନ ଭିତରେ ବିଭିନ୍ନ କିସମର ରଙ୍ଗବେରଙ୍ଗ ଫୁଲ, ମୟୂର, ପାଣି ଫୁଆରା ଲୋକଙ୍କୁ କିଛି ସମୟ ଆନମନା କରିବା ପାଇଁ ଯଥେଷ୍ଟ।

ଭିଡ଼କୁ ଦେଖି ବାହାରେ ଅସ୍ଥାୟୀ ବଜାର ଖୋଲିଯାଇଛି। ଗୁପ୍‌ଚୁପ୍‌, ଝାଲମୁଡ଼ି, ମୋମୋ, ମକା, ଦହିବରା, ପାମ୍ପଡ଼, ଆଇସକ୍ରିମ ଓ ଛୋଟ ପିଲାଙ୍କ ଖେଳଣା ପରି ଭଳିକି ଭଳି ଦୋକାନ ଖୋଲିଛି। ଆଶାଠାରୁ ଅଧିକ ଅର୍ଥ ଉର୍ପାଜନ କରିପାରୁଛନ୍ତି ବେପାରୀ। ଏହି ସମୟରେ ସେମାନଙ୍କ ହାତକୁ ଫୁର୍‌ସତ୍‌ ମିଳୁନି। ମାତ୍ର ତିନି ଘଣ୍ଟା ଭିତରେ ଦୋକାନୀମାନେ ବେଶ୍‌ ମୋଟା ଅଙ୍କର ବେପାର କରିପାରୁଛନ୍ତି। ଏଠାରେ ଦେକାନ ପକାଇଥିବା ମହମ୍ମଦ ଇନସ କୁହନ୍ତି, ଛୋଟ ପିଲାଙ୍କ ଖେଳଣା ବିକ୍ରି କରୁଛି। ମୁଁ ଆଗରୁ ମାର୍କେଟ ବିଲ୍‌ଡିଂରେ ଦୋକାନ ପକାଏ କିଛି ଦିନ ହେବ ଏଠାରେ ଦୋକାନ ପକାଉଛି। କାରଣ ମାର୍କେଟଠାରୁ ଅଧିକ ବିକ୍ରି ଏହିଠାରେ ହିଁ ହେଉଛି। ଦିନକୁ ବେପାର ଏକ ହଜାର ଟଙ୍କା ଟପିଯାଉଛି।

ସମ୍ବନ୍ଧିତ ଖବର