୨୦ ଯୁବ ଜ୍ୟୋତିର୍ବିଜ୍ଞାନୀ ବୁଲିବେ ଇସ୍ରୋ; ରାଜ୍ୟରେ ହେବ ୧୦ ବିଜ୍ଞାନ ଉଦ୍ୟାନ, ୬ ପ୍ଲାନେଟୋରିୟମ

ଭୁବନେଶ୍ବର: ଜ୍ୟୋତିର୍ବିଦ ଓ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ପାଇଁ ଟାଟା ଷ୍ଟିଲ୍‌ ପକ୍ଷରୁ ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ଆୟୋ‌ଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟାଟ୍ସ)ର ୨୦ ଜଣ ବିଜେତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଧିତ କରିଛନ୍ତି। ୩୦ଟି ଜିଲ୍ଲାର ୩ ଶହ ବିଦ୍ୟାଳୟର ୬୨ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୟନ କରାଯାଇଥିବା ଏହି ୨୦ଜଣଙ୍କୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପରିଦର୍ଶନରେ ନିଆଯିବ। ‘ବ୍ରହ୍ମାଣ୍ଡର ଚମତ୍କାରକୁ ଉନ୍ମୁକ୍ତ କରିବା’ ବିଷୟ ଉପରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ଏପରି ସୁଯୋଗ ଲାଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏଭଳି କାର୍ଯ୍ୟକ୍ରମ ଦେଶର ଜ୍ୟୋତିର୍ବିଜ୍ଞାନ ଏବଂ ମହାକାଶ ବିଜ୍ଞାନ ଗବେଷଣା ଓ ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି କହିଛନ୍ତି।

ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ରାଜ୍ୟରେ ୧୦ଟି ବିଜ୍ଞାନ ଉଦ୍ୟାନ ନିମନ୍ତେ ଯେଉଁ ଘୋଷଣା ହୋଇଥିଲା, ସେଥିପାଇଁ ସବୁଜ ସଙ୍କେତ ମିଳି ସାରିଛି। ସଂପ୍ରତି ଭୁବନେଶ୍ବର ଓ ବୁର୍ଲାରେ ପ୍ଲାନେଟୋରିୟମ୍‌ ଥିବା ବେଳେ ବାରିପଦା, ଗୋପାଳପୁର, ରାୟଗଡ଼ା, କେନ୍ଦୁଝର, ବଲାଙ୍ଗିର ଓ ରାଉରକେଲାରେ ଆଉ ୬ଟି ପ୍ଲାନେଟୋରିୟମ୍‌ ପ୍ରତିଷ୍ଠା ସହ ଅନ୍ୟ ଜିଲ୍ଲାରେ ବିଜ୍ଞାନ ଉଦ୍ୟାନ ପର୍ଯ୍ୟାୟ କ୍ରମେ ପ୍ରତିଷ୍ଠା ହେବ ବୋଲି ସେ କହିଥିଲେ। ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ସଚିବ ତଥା ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ର ନିର୍ଦେଶକ ରସିଦ ଖାନ, ଟାଟା ଷ୍ଟିଲ୍‌ର ସିଇଓ ତଥା ପରିଚାଳନା ନିର୍ଦେଶକ ଟି.ଭି ନରେନ୍ଦ୍ରନ୍‌ ଓ ଟାଟା ଷ୍ଟିଲ କର୍ପୋରେଟ୍‌ ସେବା ବିଭାଗର ଉପ-ସଭାପତି ଚାଣକ୍ୟ ଚୌଧରୀ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ (ନାଇଜର)ର ନିର୍ଦେଶକ ଡ. ସୁଧାକର ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ‘ବ୍ରହ୍ମାଣ୍ଡର ଚମତ୍କାରକୁ ଉନ୍ମୁକ୍ତ କରିବା’ ବିଷୟ ଉପରେ ପ୍ରବନ୍ଧ ଲେଖିଥିଲେ। ଏଥିପାଇଁ ପ୍ରତି ଜିଲ୍ଲାର ଶ୍ରେଷ୍ଠ ଦୁଇ ବିଜେତାଙ୍କୁ ଚୟନ କରାଯାଇଥିଲା ଏବଂ ସେମାନଙ୍କୁ ଗ୍ରାଣ୍ଡ ଫାଇନାଲ ପାଇଁ ନିମନ୍ତ୍ରଣ କରାଯାଇ ଥିଲା। ବ୍ୟକ୍ତିଗତ ସାକ୍ଷାତକାର ଜରିଆରେ ମୂଲ୍ୟାୟନ କରାଯିବା ପରେ ଶ୍ରେଷ୍ଠ ୨୦ ବିଜେତାଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ପରିସରକୁ ଆକର୍ଷଣୀୟ କରିବା ପାଇଁ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଭିଏସଏସୟୁଟି) ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ଲାନେଟୋରିୟମ୍‌ ପରିସରରେ ଏକ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର