ଜବରଦଖଲରେ ସଫେଇ ଓ କାଡ଼ାନାଳି, ୨୦୦ ଏକର ଧାନ ଫସଲ ନଷ୍ଟ

ବାଲିଅନ୍ତା: ବାଲିଅନ୍ତା ତହସିଲ ଅଧୀନ ସତ୍ୟଭାମାପୁର ମୌଜା ରଙ୍ଗବଜାର ଅଞ୍ଚଳରେ ଥିବା ସଫେଇ, କେନାଲ ଓ କାଡ଼ା ନାଳିଗୁଡ଼ିକ କ୍ରମଶଃ ଜବରଦଖଲ ହୋଇଗଲାଣି। ଜମିରୁ ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ ଥିବା ସଫେଇ ଓ କାଡ଼ା ବିଲଡରମାନଙ୍କ ପ୍ଲଟିଂ ସ୍କିମରେ ମିଶି ଯାଇଛି। ଫଳରେ ସତ୍ୟଭାମ‌ାପୁର ମୌଜା ଅଞ୍ଚଳରେ ବର୍ଷାପାଣି ନିଷ୍କାସନ ସମସ୍ୟା ସଂଗିନ୍‌ ରୂପ ଧାରଣ କରିଛି। ଜଳ ନିଷ୍କାସନ ପାଇଁ ଥିବା ଏସବୁ ଉତ୍ସଗୁଡ଼ିକର ଗତିପଥ ବନ୍ଦ ହୋଇଯିବା ଦ୍ବାରା ଚାଷ ଜମିରେ ମାସ ମାସ ଧରି ବର୍ଷାପାଣି ଜମି ରହି କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରିଛି। ଫଳରେ ଏ ଅଞ୍ଚଳରେ ପ୍ରାୟ ୨୦୦ ‌ଏକର ଜମିରେ ଧାନଫସଲ ବୁଡ଼ି ରହି ନଷ୍ଟ ହୋଇଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ ଶତାଧିକ ଚାଷୀମାନଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ବାଲିଅନ୍ତା ତହସିଲଦାରଙ୍କୁ ପ୍ରଦାନ କରାଯାଇଛି।

ସ୍ଥାନୀୟ ଅଞ୍ଚଳର କିଛି ଚାଷୀ ଆଜି ପୂର୍ବାହ୍ନରେ ବାଲିଅନ୍ତା ତହସିଲଦାରଙ୍କୁ ଭେଟି ଉକ୍ତ ଅଭିଯୋଗପତ୍ର ତାଙ୍କୁ ପ୍ରଦାନ କରିଛନ୍ତି। ଏହାର ତୁରନ୍ତ ସରଜମିନ୍‌ ତଦନ୍ତ କରି ଚାଷୀଙ୍କୁ ଫସଲ କ୍ଷତିପୂରଣ ବାବଦରେ ଉପଯୁକ୍ତ ସହାୟତା ପ୍ରଦାନ କରିବା ସହ ଜଳନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଜମିର ପରିବର୍ତ୍ତନ ବେଳେ ତହସିଲ ପ୍ରଶାସନ ଚକ ଜମିରୁ ଜଳ ନିଷ୍କାସନ ସମସ୍ୟା ପ୍ରତି ଦୃଷ୍ଟି ଦେଲେ ଏଭଳି ସମସ୍ୟାର ଉପୁଜି ନଥାନ୍ତା ବୋଲି ଅନେକ ଚାଷୀ ମତ ଦେଇଛନ୍ତି। ସେହିପରି ଚାଷଜମି ଭିତରେ ଥିବା କାଡ଼ା ନାଳିକୁ କିଛି ଚାଷୀ ହାଣି ନିଜ ଜମିରେ ମିଶାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଡ୍ରେନେଜ୍‌ ବିଭାଗ ଚାଷୀଙ୍କ ସମସ୍ୟାର ସମାଧାନ ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ସମୂହ ଚାଷୀଙ୍କ ସମସ୍ୟା ଦୃଷ୍ଟିରୁ ବର୍ଷାପାଣି ନିଷ୍କାସନ ନେଇ କର୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର