୨ ଶହ ଦେଶର ପ୍ରାଚୀନ ମୁଦ୍ରା ସାଇତିଛନ୍ତି ସମରଞ୍ଜନ, ମ୍ୟୁଜିୟମ୍‌ କରିବା ଲକ୍ଷ୍ୟ

ଚନ୍ଦ୍ରଶେଖରପୁର: ପେସାରେ ସମରଞ୍ଜନ ଜଣେ ଘରୋଇ କମ୍ପାନିର କର୍ମଚାରୀ। ହେଲେ ନିଶା ତାଙ୍କର ଦେଶ ବିଦେଶର ପୁରୁଣା ମୁଦ୍ରା ସଂଗ୍ରହ କରିବା। ନିଜ ଘରେ ଏକ ମିନି ସଂଗ୍ରହାଳୟ କରିଛନ୍ତି। ସେଥିରେ ଦେଶ ବିଦେଶର ପ୍ରାଚୀନ ମୁଦ୍ରା ସହ ସାଇତିଛନ୍ତି ବିଭିନ୍ନ ପୁରୁଣା ଡାକ ଟିକେଟ୍‌, ଆନ୍ତର୍ଜାତୀୟ ଖେଳ ସବୁର ଟିକେଟ୍‌, ଦିଆସିଲି ଖୋଳ ଓ ଷ୍ଟାମ୍ପ। ଏ ପର୍ଯ୍ୟନ୍ତ ସେ ପାଖାପାଖି ୨୦ରୁ ଊର୍ଧ୍ବ ଦେଶ ବିଦେଶର ମୁଦ୍ରା ଓ ନୋଟ୍‌ ସଂଗ୍ରହ କରିପାରିଛନ୍ତି। ଭିଏସ୍‌ଏସ୍‌ନଗର ଅଞ୍ଚଳରେ ସମରଞ୍ଜନଙ୍କ ନିଜ ଘର। ସେ ଏକ ଘରୋଇ କମ୍ପାନିରେ କାମ କରନ୍ତି। ୨୦୧୦ ମସିହାଠାରୁ ସେ ଏହି କାମରେ ନିଜକୁ ନିୟୋଜିତ କରି ଆସିଛନ୍ତି। ପୁରୁଣା ମୁଦ୍ରା ସଂଗ୍ରହ କରି ଏକ କାଚ ଫ୍ରେମ୍‌ରେ ସାଇତି କରି ରଖିଛନ୍ତି। ବିଶେଷକରି ବ୍ରିଟିସ୍‌ ଶାସନ କାଳରେ ଭାରତରେ ପ୍ରଚଳିତ ବିଭିନ୍ନ ପ୍ରକାର ମୁଦ୍ରା ସଂଗ୍ରହ କରିବା ତାଙ୍କର ବଡ଼ ସଉକ। ଏଥିସହ ସ୍ବାଧୀନ ଭାରତରେ ବିଭିନ୍ନ ସମୟରେ ପ୍ରକାଶ ପାଇଥିବା ସ୍ମାରକୀ ମୁଦ୍ରାକୁ ମଧ୍ୟ ସେ ସଂଗ୍ରହ କରିଛନ୍ତି।

ବ୍ରିଟିସ୍‌ ଅମଳର ପ୍ରଚଳିତ ପଇସା, ଅଣା, ଦି’ ଅଣା, ଆଠଅଣା, ଚାରିଅଣା ଭଳି ପ୍ରାୟ ୨୦୦ରୁ ଅଧିକ ଦେଶର ନୋଟ୍‌ ଓ କଏନ୍‌ ସଂଗ୍ରହ କରି ପାରିଛନ୍ତି। ସେହିଭଳି ୮୦ରୁ ଅଧିକ ଦେଶ ବିଦେଶ ବିଭିନ୍ନ ଷ୍ଟାମ୍ପ ସଂଗ୍ରହ କରିଛନ୍ତି। ବିଦେଶରେ ରହୁଥିବା ସାଙ୍ଗମାନଙ୍କଠାରୁ ସେ ଏସବୁ ସଂଗ୍ରହ କରିଛନ୍ତି। ୧୮୦୭ ମସିହାରୁ ବିଭିନ୍ନ ଦେଶର ମୁଦ୍ରା ତାଙ୍କ ପାଖରେ ରହିଛି। ସେହିଭଳି ଅନ୍ତର୍ଜାତୀୟ ହକି, କ୍ରିକେଟ୍‌ ଓ ଫୁଟବଲ୍‌ ମ୍ୟାଚ୍‌ର ଟିକେଟ୍ ମଧ୍ୟ ସାଇତିଛନ୍ତି। ସେହିପରି ପୁରୁଣା ଟ୍ରେନ୍‌ ଟିକେଟ୍‌, ଷ୍ଟାମ୍ପ ଲଗା ଟିକେଟ୍‌ ସଂଗ୍ରହ କରି ରଖିଛନ୍ତି। ଏହି ନିଶାକୁ ନେଇ ତାଙ୍କ କହିବା କଥା, ଏଥିପାଇଁ ତାଙ୍କୁ ଦୀର୍ଘ ୧୧ବର୍ଷ ଲାଗିଛି। ଆଗାମୀ ଯୁବପିଢ଼ିଙ୍କ ପାଇଁ ଏହି ପ୍ରାଚୀନ ଜିନିଷ ଦେଖିବାର ବା ଜାଣିବାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ସେ ଏଭଳି କରୁଛନ୍ତି। ସଂଗ୍ରହ କରି ରଖୁଥିବା ଜିନିଷକୁ ନେଇ ଗଢ଼ି ଉଠିଥିବା ମିନି ସଂଗ୍ରହାଳୟଟିକୁ ଏକ ମ୍ୟୁଜିୟମ୍‌ କରିବା ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି। ଏଥିପାଇଁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର