ଭୁବନେଶ୍ବର ଆଇଆଇଟିରେ ଅଟକି ରହିଛନ୍ତି ୨୦୦ ଶ୍ରମିକ

ଭୁବନେଶ୍ବର : ଭୁବନେଶ୍ବର ଆଇଆଇଟିର ବିଭିନ୍ନ କୋଠା ନିର୍ମାଣରେ ସାମିଲ ହୋଇଥିବା ଶ୍ରମିକଙ୍କ ହାତରେ ୮ଦିନ ହେଲା କାମଧନ୍ଦା ନାହିଁ। ପାଖରେ ଅର୍ଥ ନାହିଁ କି ଖାଇବାକୁ ସାମଗ୍ରୀ ନାହିଁ। ଏମିତି ସ୍ଥିତିରେ ଜାତୀୟସ୍ତରୀୟ ଶିକ୍ଷାନୁଷ୍ଠାନ ଆଇଆଇଟିରେ ଦିନ କାଟୁଛନ୍ତି ୨୦୦ରୁ ଅଧିକ ଶ୍ରମିକ। ସ୍ଥିତି ଏମିତି ହେଲାଣି ଯେ ସେମାନେ କ୍ୟାମ୍ପସ ବାହାରକୁ ବି ଆସିପାରୁ ନାହାନ୍ତି। ଯେଉଁ ଠିକାଦାର ସଂସ୍ଥା କାମ କରୁଛି, ସେ ବି ଉପଯୁକ୍ତ ସହାୟତା ଦେଉ ନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ଏନେଇ ଶ୍ରମିକମାନେ ଆଜି ଭୁବନେଶ୍ବର ଆଇଆଇଟି ନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରାଇଥିବା ଜଣାପଡ଼ିଛି। ସେମାନଙ୍କ ଅଭିଯୋଗ ହେଉଛି ଯେ ଲକ୍‌ଡାଉନ୍‌ର ବହୁ ପୂର୍ବରୁ ଶ୍ରମିକମାନଙ୍କୁ ବିନା ମଜୁରିରେ କାମ କରାଯାଉଛି। ଏବେ ସ୍ଥିତି ଖରାପ ହେଉଥିବା ବେଳେ ପାଖରେ ଅର୍ଥ ସରି ଆସୁଛି। ମଜୁରି ମିଳୁ ନ ଥିବାରୁ ଖାଦ୍ୟପେୟ କିଣିବା ସମ୍ଭବପର ହେଉନି। ପାଖରେ ଯାହା ଯେତିକି ଅର୍ଥ ଥିଲା ସବୁ ଖର୍ଚ୍ଚ ହୋଇ ଯାଇଛି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବା ସହ ଖାଦ୍ୟ ପାନୀୟ ପାଇଁ ବ୍ୟବସ୍ଥା କରିବାକୁ ସେମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର