କଟକ-ଭୁବନେଶ୍ୱର ରାସ୍ତାରେ ୨୦୦ଟି ରଙ୍ଗରୁଟ ପଏଣ୍ଟ ଚିହ୍ନଟ, ୬୦ ସମ୍ବେଦନଶୀଳ ପଏଣ୍ଟ ଉପରେ କଡ଼ା ନଜର ରଖିବ ଟ୍ରାଫିକ ପୁଲିସ

ଭୁବନେଶ୍ବର: କଟକ-ଭୁବନେଶ୍ୱର ରାସ୍ତାରେ ୨୦୦ଟି ରଙ୍ଗରୁଟ ପଏଣ୍ଟ ଚିହ୍ନଟ କରାଯାଇଛି । ତେବେ ସେଥି ମଧ୍ୟରୁ ୬୦ଟି ରଙ୍ଗରୁଟ ପଏଣ୍ଟ ସମ୍ବେଦନଶୀଳ । ଏସବୁ ସ୍ଥାନରେ ଲୋକେ ରଙ୍ଗ ଡ୍ରାଇଭିଂ କରୁଥିବାରୁ ଅଧିକ ଦୁର୍ଘଟଣା ହେଉଛି । ତେଣୁ ସେସବୁ ସ୍ଥାନରେ ହୋଡିଂ ବ୍ୟବସ୍ଥା କରାଯିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି । ତେବେ ଉକ୍ତ ୬୦ଟି ରଙ୍ଗରୁଟ ପଏଣ୍ଟରେ ଆମର ଅଧିକ ଫୋକସ ରହିବ । କିଭଳି ସେସବୁ ସ୍ଥାନରେ ଲୋକେ ଭୁଲ ମାର୍ଗରେ ଯିବା ଆସିବା ନ କରିବେ ସେଥିପ୍ରତି ଧ୍ୟାନ ଦିଆଯିବ।

ସେପଟେ ଡିସେମ୍ବର ୧ରୁ କଡାକଡି ଭାବେ ନିୟମ ପାଳନ ହେଉଥିବାରୁ ଅନେକ ଲୋକେ ସଚେତନ ହୋଇଛନ୍ତି । ରାସ୍ତାରେ ଲୋକେ ହେଲମେଟ ବ୍ୟବହାର କରୁଛନ୍ତି । ଜେବ୍ରା କ୍ରସିଂ ରୁଲ ମାନୁଛନ୍ତି । ଆଉ ନାଲି ବତୀ ନିୟମକୁ ଭାଙ୍ଗୁ ନାହାନ୍ତି ବୋଲି ସାଗରିକା ସୂଚନା ଦେଇଛନ୍ତି ।

ସେହିପରି କାଗଜପତ୍ର  କୋହଳ ପରେ  ବି ଏହି ୩ ଦିନ ଭିତରେ ନିୟମ ଉଲ୍ଲଂଘନକାରୀଙ୍କୁ ନିସ୍ତାର ଦିଆଯାଇନି । ୩ ଦିନରେ ୨ ହଜାର ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯାଇଛି ଆଉ ସେମାନଙ୍କ ପାଖରୁ ଚାଲାଣ କଟାଯାଇଛି । ତେବେ ଯିଏ ବି ନିୟମ ଭାଙ୍ଗିବ ତାଙ୍କ ଘରକୁ ଏମିତି ଚାଲାଣ ଯିବ ବୋଲି ଟ୍ରାଫିକ ଡିସିପି ସୂଚନା ଦେଇଛନ୍ତି ।
ସମ୍ବନ୍ଧିତ ଖବର