ରାଜଧାନୀରେ ଗଡ଼ିବ ଅତ୍ୟାଧୁନିକ ୨୦୦୦ ବାଇସାଇକେଲ୍‌

ଆସନ୍ତା ସପ୍ତାହରୁ ଭଡ଼ାରେ ମିଳିବ ସାଇକେଲ୍‌

ଭୁବନେଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ବର ବାସିନ୍ଦାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଏବଂ ପ୍ରଦୂଷଣ ମୁକ୍ତ ସହର କରିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ରାଜଧାନୀରେ ପବ୍ଲିକ ବାଇସାଇକେଲ୍‌ ସେୟାରିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୨୦୦୦ ସାଇକେଲ୍ ଚଳାଇବାକୁ ଯୋଜନା ହୋଇଥିବାବେଳେ ଏହି ସାଇକେଲ୍ ଏବେ ରାଜଧାନୀରେ ପହଞ୍ଚିଛି। ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ପବ୍ଲିକ ବାଇସାଇକଲେ୍‌ ସେୟାରିଂ ବ୍ୟବସ୍ଥାରେ ଲୋକଙ୍କୁ ସହଜରେ, କମ୍‌ ଖର୍ଚ୍ଚରେ ସାଇକେଲ୍‌ ଚଳାଇବାର ସୁଯୋଗ ମିଳିବ। ଜିପିଏସ୍‌ ବ୍ୟବସ୍ଥା ଦ୍ବାରା ପରିଚାଳିତ ହେବାକୁ ଥିବା ଏହି ସାଇକେଲ୍‌ର ବିଶେଷତ୍ବ ହେଲା ମୋବାଇଲ୍‌ ଆପ୍ ଦ୍ବାରା ସାଇକେଲ୍ କେଉଁଠି ଅଛି ତାହା ଜାଣିହେବ। ଏହାସହ ଅନଲାଇନ୍‌‌େର ମଧ୍ୟ ବୁକିଂ ହେବ। ଏହି ଯୋଜନାର ବିଶେଷତ୍ବ ହେଲା ଜଳଗହଳିପୂର୍ଣ୍ଣ ଅଞ୍ଚଳରୁ ଆରମ୍ଭ କରି ଆବାସିକ ଅଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହାର ରହଣି ବ୍ୟବସ୍ଥା ହେବ। ଫଳରେ ଲୋକମାନେ ଘରୁ ବାହାରିଲେ ସୁବିଧାରେ ସାଇକେଲ୍ ବ୍ୟବହାର କରିପାରିବେ ଏବଂ ଏହାକୁ ଫେରାଇ ପାରିବେ। ଏହାସହ ପ୍ରତି ୧୦ମିନିଟ୍‌ରେ ଚାଲିବାକୁ ଥିବା ସିଟି ବସ୍‌ରେ ଯେଉଁମାନେ ଯାତ୍ରା କରିବେ ସେମାନଙ୍କ ପାଇଁ ବସ୍‌ କ୍ୟୁ ସେଲ୍‌ଟର ହିଁ ସାଇକେଲ୍‌ ଭଡ଼ାରେ ମିଳିବ। ରାଜଧାନୀରେ ଲୋକଙ୍କୁ ଭଡ଼ାରେ ସାଇକେଲ୍‌ ଯୋଗାଇବା ପାଇଁ ତିନିଟି ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ହେକ୍ସି ବାଇକ୍ ୧୦୦୦ଟି ହିରୋ ସାଇକେଲ୍ ଯୋଗାଇବାକୁ ଥିବାବେଳେ ୟାନା ଓ ୟୁଲୁ ସଂସ୍ଥା ୫୦୦ଟି ଲେଖାଏଁ ସାଇକେଲ୍‌ ଦେବେ। ଏହି ସାଇକେଲ୍‌ଗୁଡ଼ିକୁ ଯେପରି କମ୍ ବୟସର ପିଲା, ସ୍କୁଲ ଛାତ୍ରଛାତ୍ରୀ ଏବଂ ଶାଢ଼ି ପିନ୍ଧିଥିବା ମହିଳାମାନେ ଚଲାଇପାରିବେ ସେହିଭଳି ଏହାକୁ ନିର୍ମାଣ କରାଯାଇଛି। ଆବଶ୍ୟକସ୍ଥଳେ ସିଟ୍‌କୁ ତଳ ଉପର କରି ହେବ। ବିଏସ୍‌ସିଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ଅଧୀନରେ ଏହି ପବ୍ଲିକ ବାଇ‌ସାଇକେଲ୍ ସେୟାରିଂ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହି ବ୍ୟବସ୍ଥା ବିଏମ୍‌ସି ଅଞ୍ଚଳରେ ରହୁଥିବା ଲୋକ ପାଇପାରି‌େବ। ଏହା ବାହାରକୁ ସାଇକେଲ୍ ନଯିବା ପାଇଁ ଏଥିରେ ସ୍ମାର୍ଟ ଲକିଂ ବ୍ୟବସ୍ଥା କରାଯାଇଛି। ଏହାସହ ଲୋକମାନେ ମୋବାଇଲ୍ ଆପ୍ ବ୍ୟବହାର କରି ସାଇକେଲ୍ ଲକ୍ ଖୋଲିପାରିବେ।

ପବ୍ଲିକ ବାଇସାଇକେଲ୍‌ ସେୟାରି˚ ବ୍ୟବସ୍ଥା ପ୍ରଥମ ପର୍ଯ୍ୟାୟରେ ୩ଟି ରୁଟ୍‌ରେ ଲାଗୁ ହେବ। ପ୍ରଥମ ରୁଟ୍‌ଟି ହେଲା ଗଭର୍ଣ୍ଣର ହାଉସ୍‌ ଛକରୁ କଳିଙ୍ଗ ଷ୍ଟାଡିୟମ-ଜୟଦେବ ବିହାର-କଳିଙ୍ଗ ହସ୍ପିଟାଲ ଛକ- ପଟିଆ- କିଟ୍‌ ଛକ। ଦ୍ବିତୀୟ ରୁଟ୍‌ଟି ହେଲା ବିମାନବନ୍ଦରରୁ ସଚିବାଳୟ ମାର୍ଗ-ଜୟଦେବ ବିହାର- କଳିଙ୍ଗ ହସ୍ପିଟାଲ ଛକ। ତୃତୀୟ ରୁଟ୍‌ଟି ହେଲା ୟୁନିଟ ୧ରୁ ରେଳ ଷ୍ଟେସନ୍‌-ବାଣୀବିହାର ପର୍ଯ୍ୟନ୍ତ ଜନପଥ ରାସ୍ତା। ଏହାଛଡ଼ା ଏହି ମୁଖ୍ୟ ରାସ୍ତାଗୁଡ଼ିକୁ ସ˚ଯୋଗ କରୁଥିବା ରାସ୍ତାଗୁଡ଼ିକରେ ଏହି ସୁବିଧା ଉପଲବ୍ଧ ହେବ। ବର୍ତ୍ତମାନ ୪୦କିମି ରାସ୍ତାରେ ବାଇସାଇକେଲ୍‌ ଗଡ଼ିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ୧୨୦କିମି ରାସ୍ତାରେ ଏହା ଲାଗୁ ହେବ। ଏଥିପାଇଁ ସ୍ବତନ୍ତ୍ର ଟ୍ରାକ୍‌ ନିର୍ମାଣ ହେଉଛି। ଲୋକମାନେ ସାଇକେଲ୍‌ ଷ୍ଟେସନ୍‌ଗୁଡ଼ିକରୁ ସାଇକେଲ ନେଇ ଗନ୍ତବ୍ୟସ୍ଥଳକୁ ଯାଇପାରିବେ। ସାଇକେଲ ଷ୍ଟେସନ୍‌ ମଧୢରେ ହାରାହାରି ବ୍ୟବଧାନ ପ୍ରାୟ ୨କିଲୋମିଟର ରଖିବାକୁ ସ୍ଥିର ହୋଇଥିବା ବେଳେ ସ୍ଥଳ ବିଶେଷରେ ୫୦୦ ମିଟର ଦୂରତାରେ ଏହି ଷ୍ଟେସନ୍‌ ନିର୍ମାଣ ହେବ। ଏହାସହ ଏବେ ୧୦୦ଟି ବସ୍ କ୍ୟୁ ସେଲ୍ଟର୍‌ରେ ସାଇକେଲ୍‌ ରଖି ହେବ। ପୁରୁଣା ଭୁବନେଶ୍ବରରୁ ଆରମ୍ଭ କରି ଇନଫୋସିଟି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଡକିଂ ଷ୍ଟେସନ୍ ରହିବ।

ମେମ୍ବରସିପ୍ ନେଲେ ଅଧ ଘଣ୍ଟା ମାଗଣା

ସାଇକେଲ୍ ଚଳାଇବା ପାଇଁ ନାମ ପଞ୍ଜୀକରଣ କରି ‌ସଦସ୍ୟ ହେଲେ ମାଗଣାରେ ଅଧ ଘଣ୍ଟା ସାଇକେଲ୍ ଚଳାଇବାର ସୁଯୋଗ ମିଳିବ। ଏହାପରେ ଯେତେ ସମୟ ସାଇକେଲ୍ ଚଲାଇବେ ସେହି ଅନୁଯାୟୀ ଫି’ ଦେବାକୁ ପଡ଼ିବ। ସେହିପରି ଯେଉଁମାନେ ମେମ୍ବରସିପ୍ ନେଇ ନଥିବେ ସେମାନଙ୍କୁ ସାଇକେଲ୍ ଚଳାଇବା ପାଇଁ ଫି’ ଦେବାକୁ ପଡ଼ିବ। ଓଡ଼ିଶୀ କାର୍ଡ, ଅନଲାଇନ୍‌ରେ ଏବଂ ଡେବିଟ୍ ଓ କ୍ରେଡିଟ୍ କାର୍ଡ ବ୍ୟବହାର କରି ମଧ୍ୟ ସାଇକେଲ୍ ଭଡ଼ାରେ ନେଇ ହେବ।

ସମ୍ବନ୍ଧିତ ଖବର