୩ ଦିନରେ ୨ହଜାର ଟପିଲା: କ୍ୟାପିଟାଲ ହସ୍ପିଟାଲରେ ୨ ସନ୍ଦେହଜନକ କରୋନା ମୃତ୍ୟୁ

ଭୁବନେଶ୍ବର: ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗୁଛି। ସ୍ଥିତି ଏପରି ହୋଇଛି ଯେ, ଯେତିକି କରୋନା ପରୀକ୍ଷା ହେଉଛି ତା’ର ଏକ ଚତୁର୍ଥାଂଶ କରୋନା ଆକ୍ରାନ୍ତ ବାହାରୁଛନ୍ତି। ଅର୍ଥାତ୍ ରାଜଧାନୀରେ ଏବେ ପ୍ରତି ୪ଜଣରେ (ପରୀକ୍ଷା କରୁଥିବା) ଜଣେ ଆକ୍ରାନ୍ତ ଚିହ୍ନଟ ହେଲେଣି। ଯେଉଁଥିପାଇଁ ରାଜଧାନୀରେ ଗତ ତିନି ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ଟପିଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ଏପ୍ରିଲ ୨୨ରୁ ୨୪ମଧ୍ୟରେ ୨୦୩୩ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ତିନିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହିଭଳି ସ୍ଥିତି ଉପୁଜିଛି। ଏପ୍ରିଲ ୨୨ରେ ୫୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩ରେ ୬୯୮ଜଣ, ୨୪ରେ ୭୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ଦିନଗୁଡ଼ିକର ସବୁ ରେକର୍ଡ ଭାଙ୍ଗିଛି। ମୋଟ୍ ୭୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୯୯ ଜଣ ସ୍ଥାନୀୟ ସଂକ୍ରମିତ ଏବଂ ୧୪୭ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି।

ଲଗାତର ଭାବେ ପଟିଆ, ପୁରୁଣା ଭୁବନେଶ୍ବର, ନୂଆପଲ୍ଲୀ ଓ ଖଣ୍ଡଗିରିିରୁ ପୁଳାପୁଳା ଆକ୍ରାନ୍ତ ବାହାରୁଥିବାରୁ ଏଠାରେ ସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ଏହି ୪ଟି ଅଞ୍ଚଳରେ ପ୍ରତି ଗଳିକନ୍ଦିରେ ଆକ୍ରାନ୍ତ ଛାଇ ଯାଇଛନ୍ତି। ଆଜି ପଟିଆରୁ ୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରେ ସ୍ଥାନୀୟ ସଂକ୍ରମିତ ୪୫ଜଣ। ପୁରୁଣା ଭୁବନେଶ୍ବରରୁ ୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନୂଆପଲ୍ଲୀରୁ ୪୩ଜଣ, ଖଣ୍ଡଗିରିରୁ ୪୦, ଚନ୍ଦ୍ରଶେଖରପୁରରୁ ୨୮, ବଡ଼ଗଡ଼ରୁ ୧୯, ଡୁମୁଡୁମାରୁ ୧୬, ବରମୁଣ୍ଡାରୁ ୨୩, ଝାରପଡ଼ାରୁ ୧୮, ମଞ୍ଚେଶ୍ବରରୁ ୨୩, ଭୀମଟାଙ୍ଗିରୁ ୧୩, ପୋଖରୀପୁଟରୁ ୧୫, ଟଙ୍କପାଣି ରୋଡରୁ ୨୪, ରସୁଲଗଡ଼ରୁ ୧୭, ସୁନ୍ଦରପଦାରୁ ୧୯, ଶାସ୍ତ୍ରୀନଗରରୁ ୮, ସାଲିଆସାହିରୁ ୪, ୟୁନିଟ-୬ରୁ ୧୨, ୟୁନିଟ-୯ରୁ ୧୧, ୟୁନିଟ-୧ରୁ ୪, ୟୁନିଟ-୨ରୁ ୩, ୟୁନିଟ-୩ରୁ ୭ ଓ ୟୁନିଟ-୪ରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବାଦ୍ ବିଭିନ୍ନ ସ୍ଥାନରୁ ଏକା‌ଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୯୨୩୭ରେ ପହଞ୍ଚିଛି। ଏବେ ୪୭୬୩ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ୨ ସନ୍ଦେହଜନକ କରୋନା ମୃତ୍ୟୁ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଆଜି ଦୁଇଜଣ ରୋଗୀଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ତେବେ ଏନେଇ ହସ୍ପିଟାଲ ପକ୍ଷରୁ ଆଧିକାରିକ ଘୋଷଣା କରାଯାଇନାହିଁ। ମୃତକଙ୍କ ମଧ୍ୟରେ ଜଣେ ଲିଙ୍ଗରାଜ ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟଜଣଙ୍କର ଘର ଜଙ୍କିଆ ଥାନା‌ ଅଞ୍ଚଳରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଥଣ୍ଡା ଜ୍ବରରେ ପୀଡ଼ିତ ହୋଇ ଉଭୟ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସଂଗରୋଧ ଗୃହରେ ସେମାନଙ୍କ ଚିକିତ୍ସା କରାଯିବା ସହ କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ଆସିବା ପୂର୍ବରୁ ଆଜି ସେମାନଙ୍କ ମୃତ୍ୟୁ ହୋଇଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ବିଏମ୍‌ସି ପକ୍ଷରୁ ଉଭୟଙ୍କ ମରଶରୀରକୁ ଆଜି ସତ୍ୟନଗର ମଶାଣିରେ ସଂସ୍କାର କରାଯାଇଛି।

ସମ୍ବନ୍ଧିତ ଖବର