ସେବାୟତଙ୍କୁ ମିଳିବ ୨୦୦୦ ଟଙ୍କା ଉପହାର

ରୁକୁଣା ରଥଯାତ୍ରା ସମନ୍ଵୟ ବୈଠକ

ପୁରୁଣା ଭୁବନେଶ୍ୱର: ଆଉ ତିନିଦିନ ପରେ ରୁକୁଣା ରଥଯାତ୍ରା। ଏଥିପାଇଁ ମନ୍ଦିର ଓ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଅନ୍ୟପକ୍ଷରେ ୨୨ ତାରିଖ ସୁଦ୍ଧା ରଥକାମ ଶେଷ ହୋଇ ଫିଟ୍‌ନେସ୍‌ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ରଥଖଳାରୁ ଜଣାପଡ଼ିଛି। ଆଜି ଶ୍ରୀଲିଙ୍ଗରାଜ ଥାନା ପରିସରରେ ଅନୁଷ୍ଠିତ ସମନ୍ଵୟ ବୈଠକରେ ସେବାୟତଙ୍କୁ ଉପହାର ବାବଦରେ ୨୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଅତିରିକ୍ତ ପୁଲିସ କମିସନର ପିଏସ୍‌ ରଣପିସେ ପ୍ରତିଶ୍ରୁତି ଦେଇଛନ୍ତି। ରଥଯାତ୍ରା ବେଳେ ସେବାୟତମାନଙ୍କ ପ୍ରତିନିଧିମାନଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ପକ୍ଷରୁ ପୂର୍ବରୁ ହଜାରେ ଟଙ୍କା ଦିଆଯାଉଥିଲା। ଏ ନେଇ ରଥ କାଳେସୀ ନୃସିଂହ ଖୁଣ୍ଟିଆ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ରଥତଳେ ରହି କରଡ଼ା ସେବା କରୁଥିବା ସେବାକାରୀଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବୀମା ବ୍ୟବସ୍ଥା କରାଯାଇଛି ବୋଲି ବୈଠକରେ କୁହାଯାଇଛି। ଅତିରିକ୍ତ ପୁଲିସ କମିସନର ପିଏସ୍‌ ରଣପିସେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରାଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ବିଭିନ୍ନ ସେବା ଓ ସରକାରୀ ବିଭାଗର କାର୍ଯ୍ୟ ସହ ଆଇନ ଶୃଙ୍ଖଳା ସଂପର୍କରେ ଆଲୋଚନା ହୋଇଥିଲା। ଯାତ୍ରା ବେଳେ ରାମେଶ୍ୱର ଛକ, ଇଲେକ୍‌ଟି୍ରକ୍‌ ଅଫିସ ଛକ, କେଦାରଗୌରୀ ଛକ, ବଢ଼େଇବାଙ୍କ ଛକଠାରୁ ରାସ୍ତା ସିଲ୍‌ କରାଯିବ ବୋଲି କୁହାଯାଇଛି। ବିଏମ୍‌ସି ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ଅଧିକ ଲାଇଟ୍‌ ଲଗାଇବାକୁ କୁହାଯାଇଛି। ମାଉସୀ ମା’ ମନ୍ଦିରଠାରେ ଆଲୋକ ବ୍ୟବସ୍ଥା କରିବା ସହ ଯାତ୍ରା ପୂର୍ବରୁ ରାସ୍ତା ପ୍ରସ୍ତୁତି, ଡ୍ରେନ୍‌ ଉପରେ ସ୍ଲାବ ପକାଇବା, ପାନୀୟ ଜଳ, ନେତ୍ର ଉତ୍ସବ ଦିନ କେଦାର-ଗୌରୀ ନିକଟ ମରିଚୀ କୁଣ୍ଡ ପାଖରେ ଅସ୍ଥାୟୀ ଗାଧୁଆ ଘର ନିର୍ମାଣ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ଏକାମ୍ର କ୍ଷେତ୍ରରେ ବୁଲୁଥିବା ଷଣ୍ଢଗୁଡ଼ିକୁ ରଥଯାତ୍ରା ପୂର୍ବରୁ ଦୂରରେ ଛାଡ଼ିବା ପାଇଁ କୁହାଯାଇଛି।

ସୂଚନା ଅନୁଯାୟୀ ରଥଖଳାରେ ରଥ କାମ ପ୍ରାୟ ୮୦ଭାଗ ଶେଷ ହୋଇଛି। ୨୨ତାରିଖରେ ରଥ ନିର୍ମାଣ ଶେଷ ହେବ ବୋଲି କୁହାଯାଇଛି। ରଥର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯିବା ପରେ କପଡ଼ା ଲଗାଯିବ। ତେବେ ଚଳିତ ବର୍ଷ ଭଲ କପଡ଼ା ଲଗାଯିବାକୁ ବୈଠକରେ ଗରୁତ୍ଵ ଦିଆଯାଇଥିଲା। ଆଜିର ବୈଠକରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ମନୋଜ ମହାନ୍ତି, ଡିସିପି ସତ୍ୟବ୍ରତ ଭୋଇ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା, ସମୀର ମହାନ୍ତି, କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ରାଜେନ୍ଦ୍ର ସମର୍ଥା, ବିରଞ୍ଚି ନାରାୟଣ ମିଶ୍ର, କମଳା ବଡ଼ୁ, ସଚ୍ଚିକାନ୍ତ ପୂଜାପଣ୍ଡା, ନୃସିଂହ ଖୁଣ୍ଟିଆ, ପ୍ରଶାନ୍ତ ସମର୍ଥା, ରାଜକିଶୋର ମହାପାତ୍ର, ଟୁନିଆ ମହାରଣା, ନୀଳମଣି ମିଶ୍ର, ବୈକୁଣ୍ଠ ଭୋଇ ସମେତ ବହୁ ସେବାୟତ, ସରକାରୀ ଅଧିକାରୀ ଓ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ରଥ ଦାଣ୍ଡରୁ ଜବରଦଖଲ ଉଚ୍ଛେଦ
ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ରଥ ଦାଣ୍ଡରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ରଥଯାତ୍ରା ଉପଲକ୍ଷେ ସେଠାରେ ଥିବା ୧୫ଟି ବାଉଁଶରେ ତିଆରି ସେଡ୍‌, ୧୦ଟି କ୍ୟାବିନ୍‌, ୯ଟି ଫାଷ୍ଟ୍‌ଫୁଡ୍‌ ଦୋକାନକୁ ଉଚ୍ଛେଦ କରାଯାଇଛି। ସାଧାରଣ ପ୍ରଶାସନ, ବିଏମ୍‌ସି, ବିଡିଏର ମିଳିତ ସ୍କ୍ଵାଡ୍‌ ଓ ପୁଲିସ୍‌ ଅଧିକାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ହୋଇଥିଲା। ତେବେ ରଥଦାଣ୍ଡରେ ଅନେକ ସ୍ଥାନରୁ ଜବରଦଖଲ ଉଚ୍ଛେଦ ହୋଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ପରବର୍ତୀ ପର୍ଯ୍ୟାୟରେ ପୁଣି ଉଚ୍ଛେଦ କରାଯିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର