ଭୁବନେଶ୍ବର: ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜରିତ ହେଉଥିଲା ଏକାମ୍ରକ୍ଷେତ୍ର। ଆପେକ୍ଷାରତ ହଜାର ହଜାର କାଉଡ଼ିଆଙ୍କ ମୁହଁରୁ ବାହାରି ଆସୁଥିଲା ଓଁ ନମଃ ଶିବାୟ... ଜୟ ପ୍ରଭୁ ଲିଙ୍ଗରାଜ। ଦେବଦେବ ମହାଦେବଙ୍କୁ ଜଳଲାଗି କରିବାକୁ ରାତି ଗୋଟାଏରୁ ଧାଡ଼ିରେ ଛିଡ଼ା ହୋଇଥିଲେ। ହେଲେ ପ୍ରବଳ ଭିଡ଼ ସାଙ୍ଗକୁ ପରିଚଳନାରେ ତ୍ରୁଟି ପାଇଁ ଆଜି ଦୁଇ ହଜାରରୁ ଅଧିକ କାଉଡ଼ିଆ ପ୍ରଭୁ ଲିଙ୍ଗରାଜଙ୍କୁ ଜଳଲାଗି କରିପାରିଲେ ନାହିଁ। ସେହିପରି ସାଧାରଣ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁ ମଧ୍ୟ ଦର୍ଶନ ପାଇଁ ନାହିଁ ନଥିବା ସମସ୍ୟାରେ ପଡ଼ିଥିଲେ।
ପ୍ରଥମ ସୋମବାର ଅପେକ୍ଷା ଆଜି ଅଧିକ କାଉଡ଼ିଆ ଜଳଲାଗି ପାଇଁ ଏକାମ୍ରକ୍ଷେତ୍ରରେ ପହଞ୍ଚିଥିଲେ। ରବିବାର ଅପରାହ୍ଣରୁ ଲିଙ୍ଗରାଜ ମନ୍ଦିର ସମେତ ଏକାମ୍ରକ୍ଷେତ୍ରର ଅନ୍ୟ ମନ୍ଦିରମାନଙ୍କରେ ଜଳଲାଗି କରିବାକୁ ଅପେକ୍ଷାରେ ଥିଲେ। ରାତି ୧୨ଟା ପରେ ସ୍ନାନ ସାରି ଧାଡ଼ିରେ ରହିଥିଲେ। ରାତି ପ୍ରାୟ ୩ ଟାରେ ଦ୍ବାରଫିଟା ପରେ ମଙ୍ଗଳଆଳତି ଓ ଅବକାଶ ନୀତି ହୋଇଥିଲା। ଏହାପରେ ଭୋର୍ ୪ଟାରୁ ମଧ୍ୟାହ୍ନ୧୨ଟା ଯାଏ ସାହାଣମେଲା ଦର୍ଶନ ହୋଇଥିଲା। ରାତି ୪ଟାରୁ କାଉଡ଼ିଆମାନେ ସ୍ବତନ୍ତ୍ର ବ୍ୟାରିକେଡ୍ରେ ଯାଇ ଆଡ଼କାଠ ନିକଟରେ ତମ୍ବାପାତ୍ରରେ ତୀର୍ଥ ଜଳ ଢାଳିଥିଲେ। ସେହିଜଳ ସିଧା ଯାଇ ଦିଅଁଙ୍କ ଶକ୍ତି ଉପରେ ପଡ଼ୁଥିଲା। ଏହାପରେ କାଉଡ଼ିଆମାନେ ଗର୍ଭଗୃହରେ ଦର୍ଶନ କରିଥିଲେ। ସକାଳ ୭ଟା ଯାଏ କାଉଡ଼ିଆମାନେ ସୁରୁଖୁରୁରେ ଜଳଲାଗି କରିଥିଲେ। କିନ୍ତୁ ସ୍ଥାନୀୟ ବାସିନ୍ଦା ଓ ଅନ୍ୟ ଶ୍ରାଦ୍ଧାଳୁ ଆସିବାରୁ ସମସ୍ୟା ବଢ଼ି ଯାଇଥିଲା। ଅବଶ୍ୟ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ଅଲଗା ଧାଡ଼ି କରାଯାଇଥିଲା। କିନ୍ତୁ ଅନେକ ସେବାୟତ ଧାଡ଼ି ଭାଙ୍ଗି ଗଳାବାଟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ନେଇଥିଲେ। ଫଳରେ କାଉଡ଼ିଆମାନଙ୍କ ଧାଡ଼ି ଧିମା ହୋଇ ଯାଇଥିଲା। ଦିନ ୧୨ଟାରେ ସାହାଣମେଲା ଦର୍ଶନ ବନ୍ଦ କରାଯାଇ ଛାମୁ ପରିଷ୍କାର କରାଗଲା। ତେଣୁ ଅନ୍ୟାନ୍ୟ ନୀତି ପାଇଁ ପ୍ରାୟ ୨ ହଜାର କାଉଡ଼ିଆ ଘଣ୍ଟା ଘଣ୍ଟା ଅପେକ୍ଷା କରି ମଧ୍ୟ ଲିଙ୍ଗରାଜଙ୍କୁ ଜଳଲାଗି କରିବାରୁ ବଞ୍ଚିତ ହେଲେ। ସେମାନେ ବେଢ଼ା ଭିତରେ ଥିବା ଅନ୍ୟ ଶିବ ମନ୍ଦିରରେ ଜଳ ଲାଗି କରିଥିଲେ। ଏହାକୁ ନେଇ ଅଧିକାଂଶ କାଉଡ଼ିଆ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବଡ଼ମ୍ବାରୁ ଆସିଥିବା ଜଣେ କାଉଡ଼ିଆଙ୍କ କହିବା କଥା ‘ଜଣଙ୍କ ପିଛା ୧୦ଟଙ୍କା ନେଉଛି ପ୍ରଶାସନ। କିନ୍ତୁ ସୁବ୍ୟବସ୍ଥା କରାଯାଉନାହିଁ। ମନଇଚ୍ଛା ଲୋକଙ୍କୁ ଦର୍ଶନ ପାଇଁ ଛଡ଼ା ଯାଉଛି।
ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କଲେ ୨୦ହଜାର କାଉଡ଼ିଆ
ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜରିତ ହେଉଥିଲା ଏକାମ୍ରକ୍ଷେତ୍ର। ଆପେକ୍ଷାରତ ହଜାର ହଜାର କାଉଡ଼ିଆଙ୍କ ମୁହଁରୁ ବାହାରି ଆସୁଥିଲା ଓଁ ନମଃ ଶିବାୟ... ଜୟ ପ୍ରଭୁ ଲିଙ୍ଗରାଜ। ଦେବଦେବ ମହାଦେବଙ୍କୁ ଜଳଲାଗି କରିବାକୁ ରାତି ଗୋଟାଏରୁ ଧାଡ଼ିରେ ଛିଡ଼ା...
/sambad/media/media_files/2025/07/22/lingaraj-2025-07-22-07-14-58.jpg)