ସରିତଦୀପ ଶତପଥୀ
ଭୁବନେଶ୍ବର: କେବଳ ପ୍ରଦୂଷଣ ନୁହେଁ ବରଂ ପେଟ୍ରୋଲ ଓ ଡିଜେଲ ଭଳି ଇନ୍ଧନ ଖର୍ଚ୍ଚରୁ ବର୍ତ୍ତିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବୈଦ୍ୟୁତିକ ଯାନ(ଇଭି)କୁ ପ୍ରୋତ୍ସାହିତ କରୁଛନ୍ତି। ବ୍ୟାଟେରିଚାଳିତ ଗାଡ଼ି ବ୍ୟବହାର ମଧ୍ୟ ବଢ଼ିବଢ଼ି ଚାଲିଛି। ଏ ପର୍ଯ୍ୟନ୍ତ ଭୁବନେଶ୍ବରରେ ୨୦ ହଜାର ଇଭି ସରକାରୀ ଭାବରେ ପଞ୍ଜୀକୃତ ହୋଇଛି। ବିଭିନ୍ନ କାମରେ ରାଜଧାନୀକୁ ଆସୁଥିବା ଲୋକ ବି ଇଭି ବ୍ୟବହାର କରୁଛନ୍ତି। କିନ୍ତୁ ଆବଶ୍ୟକତା ଅନୁସାରେ ଚାର୍ଜିଂ ପଏଣ୍ଟ ନାହିଁ। ଇଭି ଗାଡ଼ିଗୁଡ଼ିକର ଫିଚର ନିୟମିତ ବଦଳୁଥିବାରୁ ଚାର୍ଜିଂ ପୋର୍ଟ ମଧ୍ୟ ପରିବର୍ତ୍ତନ ହୋଇଯାଉଛି। ଫଳରେ ପୁରୁଣା ପିନ୍ ଆଉ ନୂଆ ପୋର୍ଟକୁ ସପୋର୍ଟ କରୁନାହିଁ। ଫଳରେ ଚାର୍ଜିଂ ଷ୍ଟେସନ ବଢ଼ିବ କଣ କମି କମି ଯାଉଛି। ବିଗତ ୮ ମାସରେ ରାଜଧାନୀରେ ୫ରୁ ଅଧିକ ଚାର୍ଜିଂ ଷ୍ଟେସନ ବନ୍ଦ ହୋଇଗଲାଣି। ଏକକ ଚାର୍ଜିଂ ପଏଣ୍ଟ ଅଭାବରୁ ଇଭି ଗାଡ଼ି ପ୍ରତି ଆଗ୍ରହ କମୁଛି।
ଭୁବନେଶ୍ବରେ ଥିବା ଦୁଇଟି ଆର୍ଟିଓରେ ଏଯାବତ୍ ୨୦ ହଜାରରୁ ଊର୍ଦ୍ଧ୍ବ ଇଭି ପଞ୍ଜୀକୃତ ହୋଇଛି। ପଞ୍ଜୀକରଣ ପାଇଁ ଆବେଦନ ହୋଇଥିବା ସଂଖ୍ୟା ମଧ୍ୟ ଏହି ଚାହିଦା ଯେ କେତେ ଅଧିକ ତାହା ପ୍ରମାଣିତ କରୁଛି। ତେବେ ଗାଡ଼ିଗୁଡ଼ିକ ନିର୍ଦ୍ଦିଷ୍ଟ ବ୍ୟବଧାନ ଅତିକ୍ରମ କରିବା ପରେ ଚାର୍ଜ ହେବା ଆବଶ୍ୟକତା ରହିଛି। ଏହାକୁ ଆଖିଆଗରେ ରଖି ଟାଟା ପାୱାର ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ର ମିଳିତ ସହଯୋଗରେ ୫ଟି ଚାର୍ଜିଂ ଷ୍ଟେସନ କରାଯାଇଥିଲା। ହେଲେ ଯେତେ ନୂଆ ନୂଆ ଗାଡ଼ି ଆସିଲା ତାହାର ଚାର୍ଜିଂ ପୋର୍ଟ ଭିନ୍ନ ଭିନ୍ନ ରହିଲା। ଫଳରେ ପ୍ରତ୍ୟେକ ଦିନ ଇଭିଗୁଡ଼ିକ ଚାର୍ଜିଂ ପାଇଁ ଆସି ଫେରିଲା। ସ୍ଥିତି ଏଭଳି ହେଲା ଏହି ସବୁ ଷ୍ଟେସନରେ ଯେଉଁ ଚାର୍ଜିଂ ପିନ୍ ଥିଲା ତାହା ଅକାମୀ ହୋଇଗଲା। ଫଳରେ ଏହି ସବୁ ଷ୍ଟେସନକୁ ବନ୍ଦ କରିବାକୁ ପଡ଼ିଲା। ବଜାରରେ ଏବେ ଇଭି ଗାଡ଼ିଗୁଡ଼ିକର ଯେତେ ପ୍ରକାରର ପୋର୍ଟ ଉପଲବ୍ଧ ଅଛି ସେହି ସବୁ ପିନ୍ ବ୍ୟବସ୍ଥା କରି ବନ୍ଦ ହୋଇଯାଇଥିବା ଷ୍ଟେସନକୁ ଚାଲୁ କରିବାକୁ ଟାଟା ପାୱାର ଉଦ୍ୟମ କରୁଛି। ଖୁବ୍ଶୀଘ୍ର ଏହି ଷ୍ଟେସନ ଉଦ୍ଘାଟନ ହେବ ବୋଲି ଜଣାପଡ଼ିଛି।
ଏହି ସବୁ ଷ୍ଟେସନ ବନ୍ଦ ହୋଇଯାଇଥିବାରୁ ହଜାର ହଜାର ଇଭି ପାଇଁ ଚାର୍ଜିଂ ପଏଣ୍ଟ ଅଭାବ ପଡ଼ିଛି। ରାଜଧାନୀରେ ହାତଗଣତି କିଛି ଅଞ୍ଚଳରେ ଚାର୍ଜିଂ ପଏଣ୍ଟ ରହିଛି। କଳ୍ପନା ଛକ ଓ ବରମୁଣ୍ଡା ପେଟ୍ରୋଲ୍ ଟାଙ୍କିରେ କାର୍ଯ୍ୟକ୍ଷମ ଥିବା ବେଳେ ଖଣ୍ଡଗିରି ପେଟ୍ରୋଲ ପମ୍ପ୍ରେ କାର୍ଯ୍ୟକ୍ଷମ ହୋଇନାହିଁ। କେତେକ ମଲର ପାର୍କିଂ ଓ କିଛି ରାଜଧାନୀର କିଛି କାଫେ ସମ୍ମୁଖରେ ହାତ ଗଣତି ଚାର୍ଜିଂ ପଏଣ୍ଟ ରହିଛି। ଏଥିରୁ ମଧ୍ୟ ଏହି ପୋର୍ଟ ସମସ୍ୟା ନେଇ ବନ୍ଦ ହେବାକୁ ବସିଛି। ଟାଟା ପାୱାର ଭୁବନେଶ୍ବର ସମେତ କେନ୍ଦ୍ରୀୟ ଅଞ୍ଚଳରେ ୨୬ଟି ଇଭି ଚାର୍ଜିଂ ପଏଣ୍ଟ ଖୋଲିଛି। ଯାହା ସମୁଦ୍ରକୁ ଶଙ୍ଖେ ବୋଲି ଗ୍ରାହକ କହିଛନ୍ତି। ସୂଚନାନୁସାରେ ରାଜଧାନୀରେ ପରିବହନ ବିଭାଗରେ ଏବେ ପ୍ରାୟ ୧୯୪୩୭ଟି ଇଭି ଗାଡ଼ି ଚାଲୁଛି। ଦିନକୁ ଦିନ ମଧ୍ୟ ଏହାର ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଚାର୍ଜି ଷ୍ଟେସନ ଅଭାବରୁ ଗାଡ଼ି ମାଲିକ ବା ଚାଳକ ଗାଡ଼ିକୁ ସହର ମଧ୍ୟରେ ଚଳାଇବାକୁ ଉଚିତ ମନେ କରୁଛି। ଦୂର ଜାଗା ଯିବା ପାଇଁ ପେଟ୍ରୋଲ କିମ୍ବା ଡିଜେଲ ଗାଡ଼ି ବ୍ୟବହାର କରୁଛି। ରାସ୍ତାରେ ଚାର୍ଜ ସରିଗଲେ ଅନେକ ସମୟରେ ଚାଳକ ଫସି ଯାଇଥିବା କହିଛନ୍ତି। ଯାହାକୁ ନେଇ ଇଭି ମାଲିକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। କିନ୍ତୁ ସହର ଭିତରେ ଇଭି ଗାଡ଼ି ଚଳାଇବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ଫାଲଗୁନି ପ୍ରସାଦ ନାୟକ। କିନ୍ତୁ ଚାର୍ଜିଂ ଷ୍ଟେସନ କରିଥିବା ମାଲିକମାନେ ଏହାକୁ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି ରାଜଧାନୀରେ ଇଭି ଗାଡ଼ି ବଢ଼ିବା ଫଳରେ ବିଭିନ୍ନ ପେଟ୍ରୋଲ ଟାଙ୍କି ସହ ପାର୍କିଂ ସ୍ଥାନ ମାନଙ୍କରେ ଚାର୍ଜିଂ ପଏଣ୍ଟ ସଂସ୍ଥାପନା କରିଥିଲୁ। କିନ୍ତୁ ବିଭିନ୍ନ ଗାଡ଼ି ପାଇଁ ଭିନ୍ନଭିନ୍ନ ଚାର୍ଜିଂ ପୋର୍ଟ ଅବଶ୍ୟକ ହେବାରୁ ବହୁ ସମୟରେ ଅସୁବିଧା ସମ୍ମୁଖୀନ ହେଲୁ। ଗୋଟିଏ କମ୍ପାନିର ଗାଡ଼ି ପାଇଁ ହିଁ ସେହି ଚାର୍ଜିଂ ପଏଣ୍ଟ କାମ କଲା। ଅନ୍ୟଗାଡ଼ି ସବୁ ଫେରିଲେ। ତେଣୁ ଆସ୍ତେ ଆସ୍ତେ ବ୍ୟବସାୟ କମିବାରୁ ଏହାକୁ ବନ୍ଦ କରିବାକୁ ପଡ଼ିଲା।
ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ, ପିଏମ ଗତିଶକ୍ତି ଯୋଜନାରେ ଜାତୀୟ ରାଜପଥ କଡ଼ରେ ଥିବା ପେଟ୍ରୋଲ୍ ଟାଙ୍କି ସମେତ ସପିଂ ମଲ, ବିଶ୍ରାମଗାର, କାଫେ ଆଦି ସ୍ଥାନ ମାନଙ୍କରେ ଚାର୍ଜିଂ ପଏଣ୍ଟ ସ୍ଥାପନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତି ୫୦ କିମି ମଧ୍ୟରେ ବିଭିନ୍ନ ପେଟ୍ରୋଲ୍ ଟାଙ୍କିରେ ଚାର୍ଜିଂ ପଏଣ୍ଟ କରାଯାଇଛି। ଟାଟା ପାୱାରର ଓଡ଼ିଶା ସେଣ୍ଟ୍ରାଲ ଜୋନରେ ମୋଟ ୨୬ଟି ପଏଣ୍ଟ ରହିଛି। ଆଗକୁ ଏହାକୁ ବୃଦ୍ଧି କରାଯିବ। ରାଜଧାନରେ ୫ଟି ପଏଣ୍ଟ ଖୁବ୍ଶୀଘ୍ର ଉଦ୍ଘାଟନ ହେବାକୁ ଯାଉଛି। ଫାଷ୍ଟ ଚାର୍ଜିଂ ପଏଣ୍ଟ ମଧ୍ୟ ସଂସ୍ଥାପନ କରାଯିବାର ଯୋଜନା କରାଯାଉଛି। ବଜାରରେ ଉପଲବ୍ଧ ଗାଡ଼ିର ଭିନ୍ନ ଭିନ୍ନ ଚାର୍ଜିଂ ପୋର୍ଟ ପାଇଁ ଚାର୍ଜିଂ ପଏଣ୍ଟ ଲଗାଯିବାକୁ ବ୍ୟବସ୍ଥା ହେଉଛି।