ପୁରୁଣା ଭୁବନେଶ୍ୱର: ଆଜି ଶ୍ରାବଣ ଦ୍ବିତୀୟ ସୋମବାରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ୨୦ ହଜାରରୁ ଊର୍ଧ୍ବ କାଉଡ଼ିଆ ଜଳଲାଗି କରିଛନ୍ତି। ଭୋର୍‌ ପ୍ରାୟ ସାଢ଼େ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବା ପରେ ୪ଟା ୧୫ରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ସିଂହଦ୍ବାର ନିକଟରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ହୋଇଥିଲେ ହେଁ ପୁଲିସ ଧାଡ଼ି କରି ସେମାନଙ୍କୁ ଛାଡ଼ିଥିଲା। ମନ୍ଦିର ଆଗରେ ଆଜି ଏତେ ଭିଡ଼ ହୋଇଥିଲା ଯେ ଲିଙ୍ଗରାଜ ମାର୍କେଟ୍‌ ମଧ୍ୟ ଦେଇ ଧାଡ଼ି ତୀର୍ଥେଶ୍ବର ଆଡ଼କୁ ଲମ୍ବିଥିଲା। ଦିନ ୧୨ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ସହ କାଉଡ଼ିଆମାନେ ଜଳଲାଗି କରିଥିଲେ। ପରେ କାଉଡ଼ିଆମାନେ ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ଅନ୍ୟ ଶିବଲିଙ୍ଗରେ ପାଣି ଢ଼ାଲିଥିଲେ।

Advertisment

ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ମେଘେଶ୍ବର, ବ୍ରହ୍ମେଶ୍ବର, ଭାସ୍କରେଶ୍ବର, ନାଗେଶ୍ବର, ରାମେଶ୍ବର, ଗୋସାଗରେଶ୍ବର, କୁକ୍କୁଟେଶ୍ବର, କପିଳେଶ୍ବର, ସୂକ୍ଷ୍ମେଶ୍ବର, ମୁକ୍ତେଶ୍ବର, ପର୍ଶୁରାମେଶ୍ବର, ଡାକରା ବିଭୀଷଣେଶ୍ବର, ଖରାଖିଆ ବୈଦ୍ୟନାଥ, ତୀର୍ଥେଶ୍ବର, ଭବାନୀଶଙ୍କର, ଚିନ୍ତାମଣିଶ୍ବର ଓ ଜମେଶ୍ବର ମନ୍ଦିର ପରି ଅନେକ ମନ୍ଦିରକୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟିଥିଲା। ଏହି ଅବସରରେ ବିଭିନ୍ନ ସେବା ସଂସ୍ଥା ପକ୍ଷରୁ କାଉଡ଼ିଆଙ୍କୁ ସେବା ଯୋଗାଇ ଦିଆଯାଇଥିଲା।