ଭୁବନେଶ୍ବର: ୨୦୦୩ ମସିହାରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଶାସନ ଚାଲିଥିଲା। ଭୁବନେଶ୍ବରର ବିଜେପି ବିଧାୟକ ବିଶ୍ବଭୂଷଣ ହରିଚନ୍ଦନ ମେଣ୍ଟ ସରକାରରେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ। ସେହି ବର୍ଷ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ନିର୍ବାଚନରେ ଦୁଇ ଦଳ ମେଣ୍ଟ ନ କରି ପରସ୍ପର ବିରୋଧରେ ଲଢ଼ିଥିଲେ। ଉଭୟ ଦଳ ପରସ୍ପରକୁ କଡ଼ା ମୁକାବିଲା କରିଥିଲେ। ବିଧାୟକ ବିଶ୍ବଭୂଷଣ ନିଜ ପୁଅ ପୃଥ୍ବୀରାଜ ହରିଚନ୍ଦନଙ୍କୁ ୨୯ ନମ୍ବର ୱାର୍ଡରୁ (ୟୁନିଟ୍-୮ ଅଞ୍ଚଳ) ପ୍ରାର୍ଥୀ କରାଇଥିଲେ। ପୃଥ୍ବୀରାଜଙ୍କୁ ମେୟର କରାଯିବ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ତେଣୁ ସେହି ନିର୍ବାଚନରେ ବିଜେପି ପୂରା ଦମ୍ରେ ଲଢ଼ିଥିଲା।
ପୃଥ୍ବୀରାଜଙ୍କ ବିରୋଧରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା। ଅନନ୍ତଙ୍କର ତାହା ଥିଲା ପ୍ରଥମ ନିର୍ବାଚନ ଲଢ଼େଇ। ନିର୍ବାଚନରେ ସମସ୍ତଙ୍କ ନଜର ଥିଲା ୨୯ ନମ୍ବର ୱାର୍ଡରେ। କଡ଼ା ମୁକାବିଲା ମଧ୍ୟରେ ବାଜି ମାରି ନେଇଥିଲେ ଅନନ୍ତ। ୬୩୨ଟି ଭୋଟ୍ରେ ପୃଥ୍ବୀରାଜଙ୍କୁ ସେ ପରାସ୍ତ କରିଥିଲେ। ଶ୍ରୀ ହରିଚନ୍ଦନଙ୍କୁ ମେୟର କରାଯିବା ଯୋଜନା ତ ସଫଳ ହୋଇ ନ ଥିଲା। ତାହା ସହ ବିଜେପି ମଧ୍ୟ ନିର୍ବାଚନରେ ପଛରେ ପଡ଼ିଯାଇଥିଲା। ୪୭ ୱାର୍ଡ ବିଶିଷ୍ଟ ବିଏମ୍ସିରେ ବିଜେଡି ୧୮ଟି ଆସନରେ ଜିତିଥିଲା ବେଳେ ବିଜେପି ୧୩ଟିରେ ବିଜୟୀ ହୋଇଥିଲେ। କଂଗ୍ରେସ ମଧ୍ୟ ୧୦ଟି ଆସନ ଅକ୍ତିଆର କରିଥିଲା। ଅନ୍ୟ ଆସନଗୁଡ଼ିକରେ ସ୍ବାଧୀନ ପ୍ରାର୍ଥୀ ଜିତିଥିଲେ। ବିଜେଡି କିମ୍ବା ବିଜେପି ଏକାକୀ ବିଏମ୍ସି ଦଖଲ କରିବା ସମ୍ଭବ ହୋଇ ନ ଥିଲା। ଫଳରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହେଲା ଓ ବିଏମ୍ସିରେ ବିଜେଡି-ବିଜେପି ରାଜୁତି ଆରମ୍ଭ ହେଲା। ବିଜେଡିରୁ ମିହିର ମହାନ୍ତି ମେୟର ଓ ବିଜେପିରୁ ଉର୍ମିଳା ମହାପାତ୍ର ଡେପୁଟି ମେୟର ରହିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/49.jpg)