ଭୁବନେଶ୍ବର : ସଂଜ ବୁଡ଼ୁବୁଡ଼ୁ ତାପମାତ୍ରା କମି କମି ଚାଲିଥିଲା। ହେଲେ ଜିରୋ ନାଇଟ୍ ପାଳନର ଉତ୍ସାହ ରାଜଧାନୀବାସୀଙ୍କ ମଧ୍ୟରେ ବଢ଼ିବଢ଼ି ଚାଲିଥିଲା। ନୂଆବର୍ଷକୁ ନାଚଗୀତରେ ସ୍ବାଗତ କରିବା ପାଇଁ ହୋଟେଲ୍, କ୍ଲବ୍ ଆଡ଼କୁ ଛୁଟିଥିଲା ସେମାନଙ୍କ ଗାଡ଼ି। ଘଣ୍ଟା କଣ୍ଟା ଟିକ୍ଟିକ୍ ହୋଇ ୧୨ଟା ଆଡ଼କୁ ଯେତେ ଆଗଉଥିଲା, ପରସ୍ପରକୁ ନୂଆବର୍ଷର ପ୍ରଥମ ଅଭିନନ୍ଦନ ଜଣାଇବା ପାଇଁ ହୃଦ୍ସ୍ପନ୍ଦନ ସେତେ ବଢ଼ି ଚାଲିଥିଲା। କିଏ ନାଚଗୀତରେ ମଜି ଯାଉଥିବା ବେଳେ ଘଣ୍ଟାକୁ ଚାହୁଁଥିଲା ତ କିଏ ରାତ୍ରି ଭୋଜନ କରିବା ବେଳେ ମୋବାଇଲ୍ କାଢ଼ି ସମୟ ଦେଖି ନେଉଥିଲା। ୧୨ଟା ବାଜିବା କ୍ଷଣି ଅଭିନ୍ଦନର ସୁଅ ବର୍ଷିଥିଲା। ଆତସବାଜିର ଶବ୍ଦ ବି ନୂଆ ବର୍ଷ ଆସିବା ନେଇ ସୂଚାଇ ଦେଇଥିଲା। ପରସ୍ପରକୁ କୋଳାଗ୍ରତ ହୋଇ ଅଭିନନ୍ଦନ ଜଣାଇଥିଲେ। ଆଜି ଚିହ୍ନା ଅଚିହ୍ନା ସମସ୍ତେ ପାଲଟି ଯାଇଥିଲେ ଆପଣାର। ଯିଏ ଯାହାକୁ ପାଖରେ ପାଉଥିଲା, ଯାହା ଉପରେ ଆଖି ପଡ଼ୁଥିଲା ତାକୁ ଅଭିନନ୍ଦନ ଜଣାଇବାକୁ ଭୁଲୁ ନଥିଲା।
ସନ୍ଧ୍ୟାରୁ ଅଭି ତୋ ପାର୍ଟି ସୁରୁ ହୁଇ ହୈ...ଗୀତରେ ଉଚ୍ଛୁଳୁଥିବା ହୋଟେଲ୍ ଓ କ୍ଲବ୍ରେ ଆରମ୍ଭ ହୋଇଯାଇଥିଲା ନନ୍ଷ୍ଟପ୍ ଡ୍ୟାନ୍ସ ବିଟ୍ସ। ଅନେକ ନିଜ ପରିବାର ସହ ଭିଡ଼ ଜମାଇଥିବା ବେଳେ କିଛି ନବ ବିବାହିତ ଦମ୍ପତି ଓ ପ୍ରେମୀ ଯୁଗଳ ଜିରୋ ନାଇଟ୍ ଉତ୍ସବକୁ ମନଭରି ଉପଭୋଗ କରିଥିଲେ। କିଏ ଦୁଇ ପେଗ୍ ଦେଇ ଝୁମୁଥିଲା ତ କିଏ ଫୁଲଟିଏ ଧରେଇ ଦେଇ କହୁଥିଲା ‘ହାପି ନ୍ୟୁ ଇୟର..। ସହର, ବଜାର, ଗଳି, ରାସ୍ତା, ବସ୍ତି ସବୁଠି ନୂଆବର୍ଷକୁ ନେଇ ଉତ୍ସାହ ବାରି ହୋଇପଡ଼ୁଥିଲା। କିଛି ଯୁବକ ରାସ୍ତାରେ ୨୦୧୯ ଲେଖି ସ୍ବାଗତ କରିଥିଲେ।
ହୋଟେଲ୍ କଳିଙ୍ଗ ଅଶୋକା ପରିସରରେ ଏଣ୍ଟରଟେନ୍ ବିଜ୍ନେସ୍ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ବାକାଡି ସହଯୋଗରେ ଆୟୋଜିତ ‘ମାସ୍କୁଇରେଡ୍ ନାଇଟ୍’ରେ ନୃତ୍ୟ ସଂଗୀତ ସହ ସୁସ୍ବାଦୁ ଖାଦ୍ୟରେ ମଜିବାର ଅବକାଶ ଜୁଟିଥିଲା। ଏଥିରେ ଡିଜେ ସତ୍ୟ ଡିଜେ ପରିବେଷଣ କରିଥିଲେ। ଅମିତ୍ ଡ୍ୟାନ୍ସ ଗ୍ରୁପ ନୃତ୍ୟ ପରିବେଷଣ କରିଥିବା ବେଳେ ସୋନାଲି ନନ୍ଦ ଓ ସତ୍ୟଜିତ ସଂଗୀତ ପରିବେଷଣ କରିଥିଲେ। ଏଣ୍ଟରଟେନ୍ର ରାକେଶ ଓ ସତ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ହୋଟେଲ୍ ଏଚ୍ଏଚ୍ଆଇରେ ଋଷୀୟ ନୃତ୍ୟଶିଳ୍ପୀ ମେରିନାଙ୍କ ନୃତ୍ୟ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ତାରକା ହୋଟେଲ୍ରେ ବଲିଉଡ୍ ଓ ଓଲିଉଡ୍ କଣ୍ଠଶିଳ୍ପୀଙ୍କ ଗୀତରେ ବିଭୋର ହୋଇଥିଲେ ରାଜଧାନୀବାସୀ। ଏନେଇ ବିଭିନ୍ନ ହୋଟେଲ୍ ପକ୍ଷରୁ ଆମିଷ ଓ ନିରାମିଷ ଡିସ୍ ପ୍ରସ୍ତୁତ ହୋଇଥିଲା। ତେବେ ସୋମବାର ଯୋଗୁଁ ନିରାମିଷ ଖାଦ୍ୟକୁ ଗୁରୁତ୍ବ ଦିଆଯାଇଥିଲା। ମାତ୍ର ରାତି ୧୨ଟା ପରେ ଅନେକ ଆମିଷ ଭୋଜିରେ ଆପ୍ୟାୟିତ ହୋଇଥିଲେ।