୨୦୨୧କୁ ସଦ୍‌ଭାବନା ବର୍ଷ ଭାବେ ପାଳିବ ‘ବିଶ୍ୱ ଓଡ଼ିଶା’

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଓଡ଼ିଆ ଜାତୀୟତା ଜାଗରଣ ଅଭିଯାନ ‘ବିଶ୍ୱ ଓଡ଼ିଶା’ର ନବବର୍ଷ ସଂକଳ୍ପ କାର୍ଯ୍ୟକ୍ରମ ଏହାର ସଭାପତି ତଥା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବ୍ୟାପୀ ଓଡ଼ିଆଙ୍କ ମଧ୍ୟରେ ସମ୍ପର୍କ, ସମନ୍ୱୟ ରଖି ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ‘ବିଶ୍ୱ ଓଡ଼ିଶା’ କାର୍ଯ୍ୟ କରୁଛି। ଆଗାମୀ ଦିନରେ ଏହା ଓଡ଼ିଶାର କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଭାଷା, ସାହିତ୍ୟ, ସଂସ୍କୃତି, ଖାଦ୍ୟ ପାନୀୟ, ବେଶ ପୋଷାକ ତଥା ପର୍ଯ୍ୟଟନକୁ ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର କରିବ ବୋଲି ଡ. ପାତ୍ର କହିଥିଲେ।

ଏହି ଅବସରରେ ନବବର୍ଷ ସଂକଳ୍ପ ସ୍ବରପ ୨୦୨୧କୁ ‘ବିଶ୍ୱ ଓଡ଼ିଆ ସଦ୍‌ଭାବନା ବର୍ଷ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଡ. ପାତ୍ର ଏହାର ସ୍ମାରକ ଉନ୍ମୋଚନ କରିଥିଲେ। ଏହି ବର୍ଷ ପାଳନ ମାଧ୍ୟମରେ ଭାଷା, ସାହିତ୍ୟ, କଳା, ସଂସ୍କୃତି, ପର୍ଯ୍ୟଟନ ଆଦି ୫ଟି ବିଭାଗରେ ବିଶ୍ୱବ୍ୟାପୀ ପ୍ରଚାର, ପ୍ରସାର ଓ ବିନିମୟ କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟ ସଂଯୋଜକ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ। ଏହି ବର୍ଷ ପାଳନକୁ ଆହୁରି କ୍ରିୟାଶୀଳ କରିବା ପାଇଁ ବାଚସ୍ପତି ଡ. ପାତ୍ରଙ୍କ ପରାମର୍ଶରେ ୨୧ଟି ରାଷ୍ଟ୍ରରେ ‘ବିଶ୍ୱ ଓଡ଼ିଶା ସଦ୍‌ଭାବନା ବାର୍ତ୍ତାବହ’ ବା ଗୁଡ୍‌ ଉଇଲ ଆମ୍ବାସାଡର୍‌ ନିଯୁକ୍ତ କରାଯାଇଥିଲା। ଉଭୟ ରାଷ୍ଟ୍ର ମଧ୍ୟରେ ସଦ୍‌ଭାବନା ପ୍ରତିଷ୍ଠା ପୂର୍ବକ ବିଭିନ୍ନ ବିକାଶ ଓ ବିନିମୟ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି କାର୍ଯ୍ୟକାରୀ ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମି ସଦସ୍ୟ କବି ବାହାଦୂର ପାଟ୍ଟସାଣୀ କହିଥିଲେ।
ବିଶ୍ୱ ଓଡ଼ିଶା ସଦ୍‌ଭାବନା ବାର୍ତ୍ତାବହ ଭାବେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଦାୟିତ୍ବ ଅର୍ପଣ କରାଯାଇଛି। ଏହି ସମସ୍ତ ରଷ୍ଟ୍ରୀୟ ପ୍ରତିନିଧିଙ୍କୁ ନେଇ ବିଶ୍ୱ ଓଡ଼ିଶା ଆନ୍ତର୍ଜାତିକ ପରିଷଦ ଗଠନ କରାଯାଇ ବାହରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜଙ୍କୁ ଆନ୍ତର୍ଜାତିକ ଅଧ୍ୟକ୍ଷ ଏବଂ ପ୍ରବାସୀ ଓଡ଼ିଆ କଳିଙ୍ଗ ମିତ୍ର ସମାଜର ପ୍ରତିଷ୍ଠାତା ଡ. ଅଦ୍ରିଶ ବ୍ରହ୍ମଦତ୍ତଙ୍କୁ ଆନ୍ତର୍ଜାତିକ ସମ୍ପାଦକ ଦାୟିତ୍ୱ ଅର୍ପଣ କରାଯାଇଛି।

ସମ୍ବନ୍ଧିତ ଖବର