ଭୁବନେଶ୍ୱର: ବିଶ୍ୱ ଜନସଂଖ୍ୟାର ୩୩ ପ୍ରତିଶତ ଜଳାଭାବ ଦେଶରେ ବସବାସ କରୁଛନ୍ତି। ବିଶ୍ୱର ୬୫ ପ୍ରତିଶତ ଲୋକ ୨୦୨୫ ମସିହା ସୁଦ୍ଧା ଜଳ ଅଭାବର ଶିକାର ହେବେ। ୨୦୫୦ ମସିହା ସୁଦ୍ଧା ୫ ବିଲିୟନ ଲୋକ ଏହାର ଶିକାର ହୋଇପାରନ୍ତି ବୋଲି ଏକ ଆକଳନରୁ ଜଣାପଡ଼ିଛି। ବର୍ତମାନ ବିଶ୍ୱର ଜନସଂଖ୍ୟା ୬ ବିଲିୟନ ଥିବା ବେଳେ ୨୦୪୦ ସୁଦ୍ଧା ୧୦ ବିଲିୟନରେ ପହଞ୍ଚିବ। ପିପୁଲ୍ସ କଲ୍ଚରାଲ୍ ସେଣ୍ଟର ଏବଂ ଆଡପ୍ସନ ସେଣ୍ଟ୍ରମ୍ର ମିଳିତ ସହଯୋଗରେ ଆୟୋଜିତ ‘ଇକୋ ସେଭର୍ସ ୟୁଥ୍ ନେଟ୍ଓ୍ଵର୍କ’ କାର୍ଯ୍ୟକ୍ରମରେ ଏଭଳି ମତ ପ୍ରକାଶ ପାଇଛି। ଚାଷ ଜମିର ଅବକ୍ଷୟ, ଅତ୍ୟଧିକ ଜଳ ବ୍ୟବହାର, ଭୂ ଉପରିସ୍ଥ ଏବଂ ଭୂଗର୍ଭସ୍ଥ ଖଣିଜ ସମ୍ପଦର ମାତ୍ରାଧିକ ଖନନ, ବୃକ୍ଷ ଓ ପଶୁ ପ୍ରଜାତିର ଧ୍ୱଂସ ମାନବ ଜାତିର ଆବଶ୍ୟକତାରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ନେଇ ଅତିଥିମାନେ ଚିନ୍ତା ପ୍ରକଟ କରିଥିଲେ। ବାୟୁ, ଜଳ ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ ପରିଚାଳନା ତଥା ପରିବେଶ ସୁରକ୍ଷା ଦିଗରେ ଯୁବ ସମାଜର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ବରିଷ୍ଠ ପ୍ରଶାସକ ପ୍ରଦୀପ କୁମାର ବିଶ୍ୱାଳ, ରାଜ୍ୟ ପ୍ରଦୂଷଣ ବୋର୍ଡର ପରିବେଶ ବିଜ୍ଞାନୀ ଡ. ଦିଲ୍ଲୀପ କୁମାର ବେହେରା, ବନ ସୁରକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଅଶୋକ ମିଶ୍ର, ଆଡପ୍ସନ ସେଣ୍ଟ୍ରମ୍ର ରୁବି ରାଉତ, ପିକକର ସମ୍ପାଦକ ରଂଜନ କୁମାର ମହାନ୍ତି, ଓୟୁଏଟି ପ୍ରଫେସର ବଳରାମ ପାଣିଗ୍ରାହୀ, ଶୈଲାନୀ ସୁମନ, ପିକକର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। ୧୦ଟି ଜିଲ୍ଲାରୁ ଯୁବ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ଜ୍ୟୋତିର୍ମୟୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
୨୦୨୫ରେ ୬୫ % ଲୋକ ଜଳାଭାବର ଶିକାର ହେବେ
/sambad/media/post_attachments/wp-content/uploads/2018/06/water-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)