ନୂଆବର୍ଷରେ ଶାନ୍ତିସ୍ତୂପରେ ୫୦୦୦ ପର୍ଯ୍ୟଟକ, ଗାଡ଼ି ପାର୍କିଂ ଫି ବଢ଼ିଲା

ଧଉଳି: ନୂତନ ବର୍ଷ ଅବସରରେ ଆଜି ଧଉଳି ଶାନ୍ତିସ୍ତୂପରେ ପୂର୍ବଦିନ ଅପେକ୍ଷା ସ୍ଥାନୀୟ ପର୍ଯ୍ୟଟକମାନଙ୍କ ବୃଦ୍ଧି ଦେଖିବାକୁ ମିଳିଥିଲା । ପୂର୍ବାହ୍ନ ୧୧ଟା ସୁଦ୍ଧା ଶାନ୍ତିସ୍ତୂପ ଅଞ୍ଚଳରେ ବିଶେଷ ଗହଳଚହଳ ନଥିଲା । ଅପରାହ୍ନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ବୃଦ୍ଧି ପାଇଥିଲା । ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣିମା ସାହୁଙ୍କ ସୂଚନାନୁସାରେ ଆଜି ୫୦୦୦ ପର୍ଯ୍ୟଟକ ଶାନ୍ତିସ୍ତୂପ ସମେତ ବହିରଙ୍ଗେଶ୍ବର ମନ୍ଦିର ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ ।

ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଜି ଠାରୁ ଶାନ୍ତିସ୍ତୂପରେ ଗାଡ଼ି ପାର୍କିଂ ଫି ବୃଦ୍ଧି କରାଯାଇଛି । ଚାଳକ ସମେତ ୫ ସିଟେଡ଼ ଗାଡ଼ି ପାର୍କିଂ ଫି ପୂର୍ବରୁ ୨୦ ଟଙ୍କା ଥିବା ବେଳେ ୩୦ ଟଙ୍କା , ଚାଳକ ସମେତ ୮ ସିଟେଡ଼ ଗାଡ଼ି ପୂର୍ବରୁ ୪୦ଟଙ୍କାରୁ ୫୦ ଟଙ୍କା ଓ ଚାଳକ ସମେତ ୧୪ ସିଟେଡ଼ ଗାଡ଼ି ଆଗରୁ ୧୦୦ ଟଙ୍କାରୁ ୧୨୦ ଟଙ୍କା ପାର୍କିଂ ଫି ବୃଦ୍ଧି କରାଯାଇଛି ।

ଏ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସରପଞ୍ଚ ଜଣାଇଛନ୍ତି । ସେହିପରି ଆଜି ୫୮୦ ଟ୍ୟାକ୍ସି , ୫୦୦ ବାଇକ ଶାନ୍ତିସ୍ତୂପକୁ ଚଳାଚଳ କରିଥିବା ସେ କହିଛନ୍ତି । ଅନୁରୂପ ଭାବେ ଚାଳକ ସମେତ ୨୬ ସିଟେଡ଼ ସର୍ଟଲ ବସ ସେବା ଫି ପର୍ଯ୍ୟଟକ ପିଛା ପୂର୍ବରୁ ୧୦ ଟଙ୍କା ଥିବା ବେଳେ ୧୨ ଟଙ୍କାକୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର